Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିକେନ ଦୋକାନୀକୁ ଆକ୍ରମଣ ଅଭିଯୋଗରେ ଦୁଇ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅନ୍ତର୍ଗତ ବାଲିପଡା ଛକରେ ଚିକେନ ଦୋକାନ କରିଥିବା କାଳିଆ ଗୌଡ଼କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ସୁର୍ଯ୍ୟ ନାରାୟଣ ସାହୁ ଓ ସୌମ୍ୟରଞ୍ଜନ ସାମନ୍ତରାୟ ନାମକ ଦୁଇ ଯୁବକଙ୍କୁ ଗିରଫ କରି ସଦର ଥାନା ପୋଲିସ କୋର୍ଟ ଚାଲାଣ କରିଛି।

ସୁଚନା ଥାଉକି ଅଭିଯୁକ୍ତ ସୁର୍ଯ୍ୟ ନାରାୟଣ ଜଣେ କୁକୁଡ଼ା ଫାର୍ମ ମାଲିକ ଓ ଆହତ କାଳିଆ ଗୌଡ଼ ତା ପାଖରେ ଅଟୋ ଚାଳକ ଭାବେ କାମ କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କାଳିଆ ଅଟୋ ଚାଳକ କାମ ଛାଡି ନିଜ ଗାଁ ରେ ଗୋଟେ ଚିକେନ ଦୋକାନ ଖୋଲିଥିଲ। ସେହି ସମୟରୁ କାଳିଆ ସହ ସୁର୍ଯ୍ୟ ନାରାୟଣର ଶତ୍ରୁତା ଆରମ୍ଭ ହୋଇଥିଲା।

ଗତ ମଙ୍ଗଳବାର ଦିନ କାଳିଆକୁ ବିଭିନ୍ନ ବାହାନା ଦେଖାଇ ସୁର୍ଯ୍ୟ କୁକୁଡ଼ା ଫାର୍ମକୁ ଡାକି ଅତର୍କିତ ଭାବେ ସେ ଓ ସାଙ୍ଗ ସୌମ୍ୟରଞ୍ଜନ କାତିରେ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ କାଳିଆ ସେଠାରୁ ଘରକୁ ଯାଇ ପରିବାର ଲୋକଙ୍କ ସହଯୋଗରେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସଦର ଥାନାରେ ଅଭିଯୋଗ କରିଥିଲା ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ୫୮୪/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମୋଟରସାଇକେଲ ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଶ୍ମଶାନ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଅଟୋ ଚାଳକ ସିମାଞ୍ଚଳ ଦଳେଇଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଅଚିହ୍ନା ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଟୋ ଚାଳକ ସିମାଞ୍ଚଳ ମୃଦ୍ୟୁ ପାନୀୟ ବ୍ୟବସାୟ ସାରି ନିଜ ନିଜ ଘରକୁ ଫେରୁଥିବା ବେଳେ ଉକ୍ତ ମୋଟରସାଇକେଲ ପଛପଟୁ ବଡ଼ ଜୋରରେ ପିଟି ଦେବାରୁ ଅଟୋଟି ରାସ୍ତା କଡ଼କୁ ଖସି ଯିବାରୁ ସିମାଞ୍ଚଳ ଦେହରେ ଅଟୋ କାଚ ପଶି ସେ ଗୁରୁତର ଆହତ ହୋଇ ଯାଇଥିଲେ। ଯ’ଦ୍ଵାରା ସେ ଗୁରୁତର ଆହତ ହୋଇ ବିୟୋଗ ଘଟିଛି।

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତର ଆହତ ମୋଟରସାଇକେଲ ଆରୋହୀ ଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଞ୍ଚଳିକ

୧୬ ଶହ ଲିଟର ମଦ ପୋଚ ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ବାଉଁଶିଆପଲୀ ଓ ବନ୍ଧ ଗାଁ ରେ ସଦର ଥାନା ପୋଲିସ ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଯେଉଁଥିରେ ୧୬ ଶହ ଲିଟର ମଦ ପୋଚ ଜବତ କରିବା ସହ ଗଣେଶ ମଳିକ ନାମକ ଜଣେ ରନ୍ଧା ମଦ ପ୍ରସ୍ତୁତ କରୁଥିବା ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଜବତ ମହୁଲି ପୋଚ କୁ ନଷ୍ଟ କରାଯାଇଛି ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ସୁଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାପାକୁ ଆକ୍ରମଣ କରି ପୌଷ୍ୟପୁତ୍ର ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମର ପି ମନିକେଶ୍ଵର ରେଡି ନାମକ ଜଣେ ଯୁବକକୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନାରୁ ଜଣାପଡିଛି ଯେ, ଉକ୍ତ ଗ୍ରାମର ୟୁ ଆପାରାଓ ନାମରେ ଜଣେ ବ୍ୟକ୍ତିଙ୍କ କୌଣସି ସନ୍ତାନ ନଥିବାରୁ ସେ ମନିକେଶ୍ଵରକୁ ପୌଷ୍ୟ ସନ୍ତାନ ରୁପେ ପାଳିଥିଲେ। କିନ୍ତୁ ମନିକେଶ୍ଵର ବିଭିନ୍ନ ସମୟରେ ବାପାକୁ ଗାଳିଗୁଲଜ ଓ ମାଡ଼ ମାରି ଅର୍ଥ ମାଗି ମଦ ପିଇ ଅଶାନ୍ତ କରୁଥିଲା। ଏଥିପାଇଁ ସେ ପୁର୍ବରୁ ସେ ଜେଲ୍ ଯାଇ ଜାମିନରେ ଆସି ପୁଣି ଆପାରାଓ ଙ୍କ ଜମି ଚାଷ କରୁଥିବା ରୟିତ ବାବୁ ସ୍ୱାଇଁକୁ ଗାଳିଗୁଲଜ କରି ନିଜ ବାପାର ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ଯ’ଦ୍ଵାରା ଆପାରାଓ ସଦର ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ନଂ ୩୩୮/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ହତ୍ୟା ଉଦ୍ୟମ, ସ୍ବାମୀ ନାମରେ ଏତଲା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ପାଣ୍ଡିଆ ଝୋଳି ଗ୍ରାମର ଗୀତା ବେହେରା ନାମ୍ନୀ ଜଣେ ବୋହୂ ନିଜ ସ୍ବାମୀ ପ୍ରମୋଦ ବେହେରା ନାମରେ ସଦର ଥାନାରେ ଅଭିଯୋଗ କରିଛନ୍ତି। ସ୍ବାମୀ ତଣ୍ଟି ଚିପି ମାରି ଦେବାକୁ ଉଦ୍ୟମ କରୁଥିବାର ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ନିକଟସ୍ଥ ବାଲିପଡା ଗ୍ରାମର ଗୀତା ୧୦ ବର୍ଷ ତଳେ ପ୍ରମୋଦକୁ ଭଲ ପାଇ ବାହା ହୋଇଥିଲେ ଓ ଉଭୟଙ୍କର ୯ ବର୍ଷର ପୁତ୍ର ସନ୍ତାନ ରହିଛି। କିନ୍ତୁ ଏହି କିଛି ବର୍ଷ ହେଲା ଉଭୟଙ୍କ ମଧ୍ୟରେ ଅଶାନ୍ତି ସହ ପ୍ରମୋଦଙ୍କ ପରିବାର ତାଙ୍କୁ ଶାରୀରିକ, ମାନସିକ ଓ ଯୌତୁକ ନିର୍ଯାତନା ଦେଉଥିବାରୁ ଗୀତା ତାଙ୍କ ବାପ ଘରକୁ ପଳେଇ ଯାଇଥିଲେ।

କିନ୍ତୁ ହଠାତ୍ ଗତ ୨୦ ତାରିଖ ଦିନ ପ୍ରମୋଦ ତାଙ୍କର ଜଣେ ସାଙ୍ଗ ସହିତ ଗୀତାଙ୍କ ବାପା ଘରକୁ ଯାଇ ତାଙ୍କର ମାଁ ସହିତ ଝଗଡ଼ା କରିଥିଲେ ଓ ଗୀତାଙ୍କୁ ତଣ୍ଟି ଚିପି ମାରି ଦେବାକୁ ଉଦ୍ୟମ କରିଥିଲେ। ଏହାପରେ ଗୀତା ବାଧ୍ୟ ହୋଇ ସଦର ଥାନା ପୋଲିସର ଦ୍ଵାରସ୍ଥ ହୋଇଥିଲେ।

ପୋଲିସ ଗୀତାର ଅଭିଯୋଗ ଗ୍ରହଣ କରି ଏତଲା ନଂ ୩୧୮/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଇନଜୀବୀଙ୍କୁ ଆକ୍ରମଣ ଓ ଦାଦାବଟି ଅଭିଯୋଗରେ ସଦର ଥାନାରେ ମାମଲା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ବାଳକୃଷ୍ଣ ଚୌଧୁରୀ ନାମକ ଜଣେ ଆଇନଜୀବିଙ୍କୁ ହତ୍ୟା ଧମକ ଓ ଦାଦାବଟି ଅଭିଯୋଗରେ ସଦର ଥାନାରେ ଅଭିଯୋଗ ଦାଖଲ ହୋଇଛି। ଅଭିଯୋଗ ପାଇ ପୋଲିସ ଏତଲା ନଂ ୩୧୬/୨୦୨୩ ଅନୁସାରେ ମକଦ୍ଦମା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି।

ଘଟଣାରୁ ପ୍ରକାଶ ଯେ, ଜନୈକା ମହିଳା ଉକ୍ତ ଆଇନଜୀବୀଙ୍କ ଘର ପାଖରେ ଅଳିଆ ଆବର୍ଜ୍ଜନା ପକାଇଥିଲେ। ଏହି କାର୍ଯ୍ୟକୁ ଆଇନଜୀବୀ ଜଣଙ୍କ ଆପତ୍ତି କରିବାରୁ ମହିଳାଙ୍କ ସ୍ବାମୀ ଏକ ଧାରୁଆ ଖଣ୍ଡା ଧରି ଆଇନଜୀବୀଙ୍କ ଚେମ୍ବର୍ ଭିତରକୁ ଯାଇ ହତ୍ୟାର ଧମକ ଦେବା ସହ ଆଜିଠାରୁ ପ୍ରତ୍ୟେକ ମାସରେ ବଟି ଦାବି କରିଥିଲେ। ନଚେତ ଏହି ଖଣ୍ଡାରେ ତୋତେ ହତ୍ୟା କରିବି ବୋଲି ଧମକ ଦେଇଥିଲେ। ବାଧ୍ୟ ହୋଇ ଆଇନଜୀବୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅନ୍ତଃସତ୍ତ୍ଵା ଅଭିଯୋଗରେ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ନିକଟସ୍ଥ ଏକ ଗ୍ରାମର ଜନୈକା ନାବାଳିକା ଜଣେ ଯୁବକ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଦାଖଲ ପାଇଁ ସଦର ଥାନାକୁ ଆସିଥିଲା। ସେତେବେଳେ ତା’ର ସ୍ବାସ୍ଥ୍ୟ ଅବସ୍ଥା ବହୁତ ଖରାପ ଥିବାରୁ ସଦର ଥାନା ପୋଲିସ ନାବାଳିକାକୁ ଚିକିତ୍ସା ପାଇଁ ବଡଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ସମୟରେ ନାବାଳିକା ଜଣକ ଏକ ଶିଶୁ କନ୍ୟା ଜନ୍ମ କରିଥିଲେ।

ନାବାଳିକାର ଅଭିଯୋଗକୁ ଭିତ୍ତି କରି ପୋଲିସ ରାଜେନ୍ଦ୍ର କୁମାର ପଲେଇ ନାମକ ଜଣେ ଯୁବକକୁ ଗିରଫ କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ପକ୍ଷରେ ଗିରଫ ଯୁବକ ଓ ଜନ୍ମିତ ଶିଶୁର ଡି ଏନ୍ ଏ ପରୀକ୍ଷା କରାଯିବ ବୋଲି ସଦର ପୋଲିସଙ୍କ ନିକଟରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ବୋଲେରୋ ଓ ବୁଲେଟ୍ ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ବାଲିପଡା ଛକ ଏକ ହୋଟେଲ ସାମ୍ନାରେ ଗୋଟିଏ ବୁଲେଟ୍ ମୋଟରସାଇକେଲକୁ ଆଉ ଏକ ବୋଲେରୋ ଗାଡ଼ି ଧକ୍କା ଦେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବାଲିପଡା ଗ୍ରାମର ସୁଶାନ୍ତ ନାୟକ ଓ ପତିତପାବନ ପୁର ଗ୍ରାମର ଅମିୟ ଦାସଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାସହ ସଂଗ୍ରାମ ସାହୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅମିୟ ଦାସ ନିଜ ସାଙ୍ଗ ସୁଶାନ୍ତକୁ ଛାଡ଼ିବା ପାଇଁ ବାଲିପଡା ଇନ୍ଦିରା ଆବାସ କଲୋନୀକୁ ଯାଉଥିବା ବେଳେ ହଠାତ୍ ଏକ ବୋଲେରୋ ଗାଡ଼ି ଧକ୍କାରେ ଦୁଇ ମୋଟରସାଇକେଲ ଆରୋହୀ ତଳେ ପଡ଼ିଯିବା ପରେ ସେଠାରୁ ଚମ୍ପଟ୍ ମାରିବାକୁ ଉଦ୍ୟମ କରୁଥିବା ବୋଲେରୋ ଚାଳକ ପୁଣି ସଂଗ୍ରାମ ସାହୁ ନାମକ ଜଣେ ଯୁବକକୁ ଧକ୍କା ଦେଇ ସେଠାରୁ ପଳାୟନ କରିଥିଲା। ଖବର ପାଇ ଅଞ୍ଚଳ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯୁବକ ମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ।

ଚିକିତ୍ସା ସମୟରେ ଅମିୟ ଓ ସୁଶାନ୍ତଙ୍କ ବିୟୋଗ ଘଟିଥିବା ବେଳେ ଗୁରୁତର ସୁଶାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ର ଅନୁସନ୍ଧାନ ଚଳାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସଦର ଥାନା ଅଞ୍ଚଳରୁ ବ୍ରାଉନ ସୁଗାର ଜବତ, ବେପାରି ଗିରଫ

ଖୋର୍ଦ୍ଧା: ଆଜି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କରିଛି। ସୂଚନା ମୁତାବକ ସଦର ଥାନା କୁରାଢ଼ମଲ ଅଞ୍ଚଳ ବାଉତି ମନ୍ଦିର ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ସଦର ଆଇଆଇସି ବିଦିତା ନାୟକଙ୍କ ତତ୍ୱାବଧାନରେ ଏସଆଇ ବିଜୟ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଅଭିଯୁକ୍ତ ପ୍ରଦୀପ୍ତ ବଳିୟାରସିଂହ (୩୪) ଓରଫ ଫକୀର ଗିରଫ ହୋଇଥିବା ବେଳେ ସହଯୋଗୀ ବକୁନା ଫେରାର ହୋଇଯାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୧୧.୫୭ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୫ ହଜାର ଟଙ୍କା), ଦୁଇ ଗୋଟି ବାଇକ, ଗୋଟିଏ ମୋବାଇଲ ଏବଂ ନକଦ ୬ ହଜାର ୫୦ ଟଙ୍କା ଜବତ କରିଥିବା ବେଳେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୯୧/୨୨ ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡିଏସପିଙ୍କୁ ଧରିଲା ଭିଜିଲାନ୍ସ, କୋଇଲା ପରିବହନ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ

କଟକ: ଆଜି ଭିଜିଲାନ୍ସ ଜଣେ ଡିଏସପି ଇନଚାର୍ଯ୍ୟଙ୍କୁ ରଙ୍ଗ ହାତରେ ଧରିଛି। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ସଦର ଥାନାରେ କାର୍ଯ୍ୟରତ ଅଭିନବ ଡାଳୁଅ। ସେ ଜଣେ ବ୍ୟବସାୟୀଙ୍କଠାରୁ 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ତାଙ୍କ ହାତରୁ ଏହି ଟଙ୍କା ଜବତ କରାଯିବା ସହିତ 8ଟି ସ୍ଥାନରେ ଏକକାଳୀନ ଚଢାଉ ଜାରୀ ରହିଛି।

ଘଟଣାରୁ ଜଣାପଡିଛି ଯେ, ଅଭିନବ ଜଣେ କୋଇଲା ପରିବହନ ବ୍ୟବସାୟୀଙ୍କୁ ଧମକ ଚମକ ଦେଉଥିଲେ। ଟଙ୍କା ନ ଦେଲେ ସେ ତାଙ୍କର ପରିବହନ ବନ୍ଦ କରିଦେବେ ବୋଲି କହୁଥିଲେ। ଏଥିରେ ବ୍ୟବସାୟୀ ଡରି ତାଙ୍କୁ ପୂର୍ବରୁ 15 ହଜାର ଟଙ୍କା ଦେଇଥିଲେ। ହେଲେ ସେଥିରେ ସେ ସନ୍ତୁଷ୍ଠ ହେଲେ ନାହିଁ। ପୁଣି ଟଙ୍କା ମାଗିଲେ। ଏଥରେ ସେ 30 ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ, ୭ ହଜାରରୁ ଉର୍ଦ୍ଧ୍ଵ ଲିଟର ପୋଚ ଜବତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରି ବିଭାଗ ପକ୍ଷରୁ ସଦର ଥାନା ଅନ୍ତର୍ଗତ ବରପଡ଼ା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଉକ୍ତ ସମୟରେ ବେଆଇନ ମଦ ଭାଟି ଗୁଡିକୁ ଅବକାରୀ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିବା ବେଳେ ୭ ହଜାର ୨୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୩୪୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।

ତେବେ ଜଙ୍ଗଲର ସୁଯୋଗ ନେଇ ବେପାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ଜଟଣୀ ଅବକାରୀ ଅଧିକାରୀଣି ଗୀତାଞ୍ଜଳି ବେହେରା, ବେଗୁନିଆ ଅବକାରୀ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତି ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତାପଙ୍ଗ କ୍ରସର କମ୍ପାନୀ ନିକଟରୁ ଗାଡି ଚାଳକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାପଙ୍ଗ କ୍ରସର କମ୍ପାନୀ ନିକଟରେ ଟ୍ରକ୍‌ ଡାଲାରେ ପଡିରହିଛି ଯୁବକଙ୍କ ମୃତଦେହ। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଓରବରସିଂ ଗ୍ରାମର ପିତବାସ ବେହେରାଙ୍କ ପୁତ୍ର ସଞ୍ଜୟ ବେହେରା (୨୫) ଓରଫ ବାପି ତାପଙ୍ଗରେ ଏକ କ୍ରସର କମ୍ଫାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

ତେବେ ଆଜି ମଧ୍ୟାହ୍ନରେ ଟ୍ରକ୍ ଡାଲାରେ ଯୁବକ ଜଣକ ପଡ଼ିରହିଥିବାର ସାଥୀ ଚାଳକମାନେ ଦେଖିଥିଲେ। ତାପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁ ଘଟଣା ସ୍ଥଳରେ ପହଁଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମେଡିକାଲ୍ କୁ ପଠାଇଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ସଦର ଥାନା ପୋଲିସ କେଶ ନମ୍ବର ୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଜାରୀ ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ, ଜଣେ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ସଦର ଥାନା ପୋଲିସ ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ ସଦର ଥାନା ଅନ୍ତର୍ଗତ ଗୁଡ଼ୁମ ଅଞ୍ଚଳର ଏକ ପାଣି ଟାଙ୍କି ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର ଏବଂ ସଦର ଥାନା ଆଇଆଇସି ଅନିତା ସାହୁଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ପୋଲିସ ସଂନ୍ଦିଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଉକ୍ତ ସ୍ଥାନରେ ବୁଲୁଥିବାର ଦେଖିବାକୁ ପାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ଯୁବକଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ଯୁବକଙ୍କ ନିକଟରୁ ୩୨ ଗ୍ରାମ ବ୍ରାଉନ ସୁଗାର ସହିତ ଗୋଟାଏ ମୋବାଇଲ ଫୋନ, ପାନ କାର୍ଡ ଏବଂ ଏକ ଅଣ ପଞ୍ଜିକୃତ ହଣ୍ଡା ଆକ୍ଟିଭା ସ୍କୁଟି ଜବତ କରିଛି ପୋଲିସ। ଜବତ ବ୍ରାଉନସୁଗରର ମୂଲ୍ୟ ୩ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ପାନବରଜ ଅଞ୍ଚଳର ଶେଖ ନସୀମ (୨୭)।

ଖୋର୍ଦ୍ଧା ସଦର ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୧୯୧/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ସଦର ଥାନା ଆଇଆଇସି ଅନିତା ସାହୁ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଏସ ଆଇ ପବିତ୍ର ମୋହନ ପଟ୍ଟନାୟକ ,ଏଏସଆଇ ଆରାଧ୍ୟ ପ୍ରସାଦ ନାୟକ ଓ ସ୍ପେଶାଲ ସ୍କ୍ୱାର୍ଡ ଆଦି ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ: ୩ ନାବାଳକ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରରେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ୩ ଜଣ ନାବାଳକଙ୍କୁ ପୋଲିସ ଅଟକ ରଖିଛି। ସୋମବାର ରାତିରେ ସଦର ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଘରେ ଏକା ଥିବା ବେଳେ ଏହି ତିନିଜଣ ନାବାଳକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନାବାଳିକା ପରିବାର ପକ୍ଷରୁ ଥାନାରେ ଏତଲା  ଦେବା ପରେ ଏହି ତିନି ଜଣଙ୍କୁ ଅଟକ ରାଖୀ ପୋଲିସ ତଦନ୍ତ ଆରମ୍ଭ କରିଛି।