ସ୍ତ୍ରୀକୁ ହତ୍ୟା ଉଦ୍ୟମ, ସ୍ବାମୀ ନାମରେ ଏତଲା

Published: Jun 23, 2023, 3:17 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ପାଣ୍ଡିଆ ଝୋଳି ଗ୍ରାମର ଗୀତା ବେହେରା ନାମ୍ନୀ ଜଣେ ବୋହୂ ନିଜ ସ୍ବାମୀ ପ୍ରମୋଦ ବେହେରା ନାମରେ ସଦର ଥାନାରେ ଅଭିଯୋଗ କରିଛନ୍ତି। ସ୍ବାମୀ ତଣ୍ଟି ଚିପି ମାରି ଦେବାକୁ ଉଦ୍ୟମ କରୁଥିବାର ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ନିକଟସ୍ଥ ବାଲିପଡା ଗ୍ରାମର ଗୀତା ୧୦ ବର୍ଷ ତଳେ ପ୍ରମୋଦକୁ ଭଲ ପାଇ ବାହା ହୋଇଥିଲେ ଓ ଉଭୟଙ୍କର ୯ ବର୍ଷର ପୁତ୍ର ସନ୍ତାନ ରହିଛି। କିନ୍ତୁ ଏହି କିଛି ବର୍ଷ ହେଲା ଉଭୟଙ୍କ ମଧ୍ୟରେ ଅଶାନ୍ତି ସହ ପ୍ରମୋଦଙ୍କ ପରିବାର ତାଙ୍କୁ ଶାରୀରିକ, ମାନସିକ ଓ ଯୌତୁକ ନିର୍ଯାତନା ଦେଉଥିବାରୁ ଗୀତା ତାଙ୍କ ବାପ ଘରକୁ ପଳେଇ ଯାଇଥିଲେ।

କିନ୍ତୁ ହଠାତ୍ ଗତ ୨୦ ତାରିଖ ଦିନ ପ୍ରମୋଦ ତାଙ୍କର ଜଣେ ସାଙ୍ଗ ସହିତ ଗୀତାଙ୍କ ବାପା ଘରକୁ ଯାଇ ତାଙ୍କର ମାଁ ସହିତ ଝଗଡ଼ା କରିଥିଲେ ଓ ଗୀତାଙ୍କୁ ତଣ୍ଟି ଚିପି ମାରି ଦେବାକୁ ଉଦ୍ୟମ କରିଥିଲେ। ଏହାପରେ ଗୀତା ବାଧ୍ୟ ହୋଇ ସଦର ଥାନା ପୋଲିସର ଦ୍ଵାରସ୍ଥ ହୋଇଥିଲେ।

ପୋଲିସ ଗୀତାର ଅଭିଯୋଗ ଗ୍ରହଣ କରି ଏତଲା ନଂ ୩୧୮/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Related posts