ଦୀର୍ଘ ବର୍ଷ ପରେ ଜଗତସିଂହପୁର ଜିଲ୍ଲାରେ ଏପରି ଉତ୍ପାତିଆ ବର୍ଷା: ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ସମୀକ୍ଷା

Published: Sep 13, 2021, 9:38 pm IST

ରମେଶ ମହାନ୍ତି

ଜଗତସିଂହପୁର: ଦୀର୍ଘ ବର୍ଷ ପରେ ଜଗତସିଂହପୁର ଜିଲ୍ଲାରେ ଏପରି ଉତ୍ପାତିଆ ଲଘୁଚାପ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏହି ଲଗାଣ ବର୍ଷାର ପ୍ରକୋପରେ ଚାଷଜମି ଗୁଡିକ ପାଣିରେ ବୁଡ଼ି ରହିଥିବାରୁ ଚାଷୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏମିତିକି ଅନେକ ସ୍ଥାନରେ ସାଧାରଣ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇ ଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ଗତକାଲି ଠାରୁ ଲାଗିରହିଥିବା ଏହି ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ଜିଲ୍ଲାର ୮ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟି ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସମୀକ୍ଷା ଅନୁଯାୟୀ ଜିଲ୍ଲାର ୧୯୮ଟି ପଞ୍ଚାୟତର ୧୩୨୧ଟି ଗ୍ରାମ ଓ ୨ଟି ମ୍ୟୁନିସିପାଲିଟିର ୪୦ଟି ୱାର୍ଡ଼ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ଜିଲ୍ଲାର ୯୯ଟି ଗାଁର ୧୬୯୨୦ ଲୋକ ବର୍ଷାଜଳ ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାରେ ୪୩ଟି ଆଶ୍ରୟ ସ୍ଥଳୀରେ ୧୫୯୦ଜଣ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ୨୯ଟି କେନ୍ଦ୍ରରେ ମାଗଣା ଖାଦ୍ୟ ପ୍ରଦାନ କରାଯାଇଛି। ଜିଲ୍ଲାରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାରେ ୩୦୦୦ କୁକୁଡ଼ା ଚିଆଁ ମରିଥିବା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ କୃଷି ଓ ଉଦ୍ୟାନ କୃଷିକୁ ମିଶାଇ ୫୩୦୪୨.୯ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ୭୫ଟି ଘର ଆଂଶିକ କ୍ଷତିଗ୍ରସ୍ତ ହେବା ସହିତ ୨୮ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ଷା ପ୍ରଭାବିତ ଲୋକଙ୍କୁ ୧୫୦ ପ୍ୟାକେଟ୍ ବିସ୍କୁଟ, ୧୨.୬୦ କ୍ୱିଣ୍ଟାଲ ଚୁଡ଼ା ଓ ୧.୦୮ କ୍ୱିଣ୍ଟାଲ ଗୁଡ ବଣ୍ଟନ କରାଯାଇଛି। ୨ଟି ଅଗ୍ନିଶମ ବାହୀନି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ କ୍ଷତିଗ୍ରସ୍ତ ଅଞ୍ଚଳରେ ୩ଟି ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି। ବର୍ଷା ଜଳରେ ୭ଟି ରାସ୍ତା ବିଛିନ୍ନ ହୋଇଯାଇଥିବା ବେଳେ ୬ଟି କୋଠାଘର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts