ପୁଣି ଏକ ସଡକ ଦୁର୍ଘଟଣା: କୁହୁଡି ନିକଟସ୍ଥ କୟଥପଲ୍ଲା ଛକ ନିକଟରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ

Published: Mar 16, 2021, 11:21 am IST

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଗତକାଲି ପୁଣି ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ରଣଜିତ୍ ପ୍ରଧାନ(୨୨) ଗତକାଲି ବିଳମ୍ବିତ ରାତିରେ ତାଙ୍କ ବନ୍ଧୁଙ୍କୁ ଛାଡିବା ପାଇଁ ବାଇକ ଯୋଗେ କୁହୁଡି ଯାଇଥିଲେ। ବନ୍ଧୁଙ୍କୁ ଛାଡି ଫେରୁଥିବା ବେଳେ କୟଥପଲ୍ଲା ଛକ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ରଣଜିତଙ୍କ ମୁଣ୍ଡ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ସେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ।

ଖବର ପାଇ ଟାଙ୍ଗୀ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ରଣଜିତଙ୍କ ମୃତ ଦେହକୁ ଉଦ୍ଧାର କରିଥିଲା। ତଦନ୍ତ ଚାଲିଥିଲେ ମଧ୍ୟ ଧକ୍କା ଦେଇ ଫେରାର ହୋଇଥିବା ଗାଡିର ଏଯାଏଁ କୌଣସି ସନ୍ଧାନ ମିଳିପାରିନାହିଁ ବୋଲି ଟାଙ୍ଗୀ ଆଇଆଇସି ସରୋଜ ଉପାଧ୍ୟୟ ସୂଚନା ଦେଇଛନ୍ତି।

Related posts