କରୋନା ସଂକ୍ରମଣକୁ ରୋକିବା ପାଇଁ ଧାର୍ମିକ କାର୍ଯ୍ୟକ୍ରମ ଉପରେ ଲାଗିଲା କଟକଣା

Published: Mar 26, 2021, 1:01 pm IST

ଭୁବନେଶ୍ବର: କରୋନା ସଂକ୍ରମଣର ଦ୍ଵିତୀୟ ଲହରକୁ ଦେଖି ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି। ଦଣ୍ଡ ଯାତ୍ରା, ଝାମୁ ଯାତ୍ରା, ପଣା ସଂକ୍ରାନ୍ତି,ରାମ ନବମୀ, ଗୁଡ ଫ୍ରାଇଡେ, ଇଷ୍ଟର ଭଳି ଧାର୍ମିକ କାର୍ଯ୍ୟକ୍ରମରେ କଟକଣା ଲାଗିଛି। ସ୍ଵତନ୍ତ୍ର ରିଲିଫ କମିଶନର ଏହି ସବୁ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛନ୍ତି।

୧- ସର୍ବସାଧାରଣ ସ୍ଥାନରେ ଏସବୁ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକରେ ଜନଗହଳି କରିବାକୁ ବାରଣ କରାଯାଇଛି।

୨- କୋଭିଡ ନିୟମକୁ ପାଳନ କରି ଧାର୍ମିକ ସ୍ଥାନ ଯଥା ମନ୍ଦିର, ଚର୍ଚ୍ଚରେ ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ନୀତି ପାଳନ କରାଯାଇପାରିବ।

୩- ସ୍ଥାନୀୟ ଅଞ୍ଚଳରେ ପର୍ବ ପର୍ବାଣୀ ପାଇଁ ସ୍ଥିତିକୁ ଦେଖି ଜିଲ୍ଲାପାଳ ଏବଂ କମିଶନର କଟକଣା ଲଗାଇପାରିବେ।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ଆଜି ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୪୦୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

Related posts