
ରାୟପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଆଉ କେତେ ଜଣ ଯବାନ ଆହତ ହୋଇଛନ୍ତି। ଏଥିରେ କେତେ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ଛତିଶଗଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସିଆରପିଏଫର କୋବ୍ରା କମାଣ୍ଡୋ ଟିମ୍, ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଟିମ୍ ମାଓବାଦୀ ବିରୋଧରେ ସର୍ଚ୍ଚ ଅଭିଯାନ ଚଲାଉଥିବା ବେଳେ ହଠାତ୍ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ବସ୍ତର ରେଞ୍ଜର ବିଜାପୁର ଜିଲ୍ଲା ଅନ୍ତର୍ଗତ ତାରେମ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା।