
ସୀତାରାମ ଅଗ୍ରୱାଲ
ଚିଲିକା: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଉଥିବାବେଳେ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଏକ ନମ୍ବରରେ ରହୁଛି। ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ କରୋନା କଟକଣାକୁ କଡ଼ାକଡି କରିଛନ୍ତି। ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ଯାଞ୍ଚ ଜୋରଦାର କରାଯାଇଛି।
ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ସହଯୋଗରେ ନାଚୁଣୀ ବଜାରରେ କଡ଼ାକଡ଼ି କୋଭିଡ ଚେକିଂ ଆରମ୍ଭ ହୋଇଥିଲା। ପାଖାପାଖି ୨ ଘଣ୍ଟା ଧରି ଉକ୍ତ ଚଢ଼ାଉ ଜାରି ରହି ୨୧ ଜଣ ଅମାନିଆଙ୍କଠୁ ୪ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏନେଇ ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି।
ତତସହିତ ତହସିଲଦାର ଏବଂ ଫାଣ୍ଡି ଅଧିକାରୀ ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି। ତେବେ ଆଗାମୀ ଦିନରେ କୋଭିଡ ଯାଞ୍ଚକୁ ଆହୁରି ଜୋରଦାର କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି।
ଆଜିର ଚଢ଼ାଉରେ ବାଣପୁର ତହସିଲ କାର୍ଯ୍ୟାଳୟର ଉପ ନିବନ୍ଧକ ବସନ୍ତ ବେଦମତ୍ତା, କର୍ମଚାରୀ ବୀରେନ୍ଦ୍ର ପଣ୍ଡା ଏବଂ ନାଚୁଣୀ ଫାଣ୍ଡି କର୍ମଚାରୀ ଆଦି ସାମିଲ ଥିଲେ।
ଅନୁରୂପ ଭାବେ ଆଜି ଚିଲିକା ବ୍ଲକ ବଡକୁଳ ଅଞ୍ଚଳରେ ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ୱରେ କୋଭିଡ ଯାଞ୍ଚ ହୋଇଥିଲା। ଯେଉଁଥିରେ ସମୁଦାୟ ୮ ଜଣ ଅମାନିଆଙ୍କଠାରୁ ୧ହଜାର ୬ ଶହ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ମିଳିଛି।