ଚିଲିକାରେ କରୋନା କଟକଣା: ଜାଣନ୍ତୁ ବିବାହ ଉତ୍ସବ ପାଇଁ କେଉଁଠୁ ଏବଂ କିପରି ପାଇବେ ଅନୁମତି ପତ୍ର

Published: Apr 28, 2021, 10:09 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ କରୋନା ମହାମାରୀ ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ସୃଷ୍ଟି କରିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ ଧୀରେ ଧୀରେ କଡାକଡି କାରାଯାଉଥିବା ବେଳେ କେବଳ ଅତି ଜରୁରୀକାଳୀନ କାର୍ଯ୍ୟକୁ ଜିଲ୍ଲା  ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ତେବେ ଉକ୍ତ ଜରୁରୀକାଳୀନ କାର୍ଯ୍ୟ ମଧ୍ୟରେ ବାହାଘର ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ଅଟେ।

ହେଲେ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣମାନେ କିଛିଦିନ ହେବ ଏ ବିଷୟକୁ ନେଇ ଦ୍ୱନ୍ଦରେ ପଡିଛନ୍ତି। ଅନୁମତି ପତ୍ର ପାଇବା ପାଇଁ ବାରମ୍ବାର ଥାନା ଏବଂ ତହସିଲ ଦୌଡୁଥିବାର ଦେଖାଯାଉଛି। ତେବେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଛି।

ଗତ ୧୯ ଏପ୍ରିଲ ରେ ପତ୍ର ସଂଖ୍ୟା ୧୮୮୦ ମାଧ୍ୟମରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେଉଁଥିରେ ବାହାଘର ଏବଂ ଶୁଦ୍ଧିକ୍ରିୟା ପାଇଁ ଏଥର ଜନସାଧାରଣ ମାନେ ସ୍ଥାନୀୟ ଥାନାଧିକାରୀଙ୍କଠୁ ଅନୁମତି ନେବେ। ବାଣପୁର ଏବଂ ବାଲୁଗାଁର ଜନସାଧାରଣ ମାନେ ଏଥର ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟପାଇଁ ସ୍ଥାନୀୟ ଥାନାଧିକାରୀଙ୍କ ଠୁ ଅନୁମତି ନେବେ।

ତେବେ ଏଥିନିମନ୍ତେ ଆବେଦନକାରୀଙ୍କୁ ଅତି କମରେ ପାଞ୍ଚ ଦିନ ପୂର୍ବରୁ ସ୍ଥାନୀୟ ଥାନାରେ ଦରଖାସ୍ତ ସହ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଜମା କରିବାକୁ ପଡିବ ବୋଲି ଉଭୟ ବାଣପୁର ଏବଂ ବାଲୁଗାଁ ଥାନାଧିକାରୀ ସୂଚନା ଦେଇଛନ୍ତି। ତତ ସହିତ ବିବାହରେ ସାମିଲ ହେବାକୁ ଥିବା ଜନସାଧାରଣଙ୍କ ନାମ(ଅତି ବେଶୀରେ ୫୦ଜଣ) ମଧ୍ୟ ଥାନାରେ ଜମା କରିବାକୁ ପଡିବ।

ଏହାପରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଦନ୍ତ ଏବଂ ବିଚାର କରାଯାଇ ଅନୁମତି ପତ୍ର ଆବେଦନକାରୀଙ୍କୁ ପ୍ରଦାନ କରାଯିବ ବୋଲି ଉଭୟ ଥାନାଧିକାରୀ ପ୍ରକାଶ କରିଛନ୍ତି। ଏ ନେଇ ଆଜି ବାଣପୁର ତହସିଲ ପକ୍ଷରୁ ପ୍ରଚାର ମାଧ୍ୟମରେ ସୂଚନା ଦିଆଯାଇଛି।

Related posts