ଫଳାଫଳ ପରେ ବିଜେପି ଉପରେ ବର୍ଷିଲେ ମମତା: ନିର୍ବାଚନ କମିଶନରଙ୍କ ବିରୋଧରେ ଯିବେ ସୁପ୍ରିମକୋର୍ଟ

Published: May 2, 2021, 7:13 pm IST

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଭୋଟ ଗଣତିରେ ୨୦୦ ରୁ ଉର୍ଦ୍ଧ୍ଵ ଆସନରେ ଟିଏମସି ଆଗୁଆ ଚାଲିଛି। ଟିଏମସିର ଏହି ଫଳାଫଳକୁ ଦେଖି ମମତା ବାନାର୍ଜୀ ବିଜେପି ଉପରେ ବଡ ଅଭିଯୋଗ ଆଣିଛନ୍ତି।

ମମତା କହିଛନ୍ତି ଯେ, କେନ୍ଦ୍ରର ଅନେକ ପ୍ରୟାସ ପରେ ମଧ୍ୟ ଆମେ ବଡ ବିଜୟ ହାସଲ କରିବାକୁ ଯାଉଛୁ। ଏହା ବଙ୍ଗଳା ଏବଂ ବଙ୍ଗଳା ଲୋକଙ୍କର ବିଜୟ ଅଟେ। ବଙ୍ଗଳା ଲୋକ ଦେଶକୁ ବଞ୍ଚେଇ ଦେଇଛନ୍ତି। ଆମେ ଦ୍ଵିଶତକ ହାସଲ କରିବୁ ବୋଲି ଆଶା ରଖିଥିଲୁ। ଆମେ କହିଥିଲୁ ‘ଖେଲା ହୋବେ’, ଶେଷରେ ଏହା ହେଲା ଏବଂ ଆମେ ବିଜୟ ଲାଭ କଲୁ। ଏଥିପାଇଁ ବଙ୍ଗଳାର ସମସ୍ତ ଜନତାଙ୍କୁ ଧନ୍ୟବାଦ ଦେଉଛି। ବର୍ତ୍ତମାନ କୋଭିଡ ରୋକିବା ଦିଗରେ କାମ ଆରମ୍ଭ କରିବି। କରୋନା ସଂକ୍ରମଣ ଯୋଗୁଁ ଶପଥ ସମାରୋହକୁ ଛୋଟ କରାଯିବ।

ଅପରପକ୍ଷେ ନନ୍ଦିଗ୍ରାମ ବିଧାନସଭା ଆସନର ଫଳାଫଳ ଆସିବା ପରେ ମମତା ବାନାର୍ଜୀ ନିର୍ବାଚନ କମିଶନର ଉପରେ ଅଭିଯୋଗ ଆଣିଛନ୍ତି। ଏହି ଫଳାଫଳ ପାଇଁ ନିର୍ବାଚନ କମିଶନ ବିରୋଧରେ ସେ ସୁପ୍ରିମକୋର୍ଟର ଦ୍ଵାରସ୍ତ ହେବେ ବୋଲି କହିଛନ୍ତି। ଏହି ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ୧୯୫୭ ଭୋଟରେ ମମତାଙ୍କୁ ପରାସ୍ତ କରିଥିବା ଜଣାପଡିଛି।

Related posts