
ସୀତାରାମ ଅଗ୍ରୱାଲ
ବାଲୁଗାଁ: ସାରା ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ଦମନ କରିବା ପାଇଁ ବିଭିନ୍ନ ଦିଗରୁ ସରକାର, ଜିଲ୍ଲାପାଳ ଓ ପୋଲିସ୍ ପ୍ରଶାସନ ଜନତାଙ୍କୁ ସଚେତନ କରିବା ସହ ମାସ୍କ, ସାନିଟାଇଜର୍, ସାମାଜିକ ଦୂରତା ବଜାୟ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଅମାନିଆ ନିୟମ ଉଲ୍ଲଙ୍ଘନ କରୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରିବା ସହ ସମସ୍ତ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଲକ୍ଡାଉନ୍ର ପ୍ରଥମ ଦିବସରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସକାଳ ୬ଟାରୁ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳରେ ଦିନତମାମ ପଇଁତରା ମାରିବା ସହ କୋଭିଡ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୩୦ ହଜାର ଟଙ୍କାର ଫାଇନ ଆଦାୟ କରିଛନ୍ତି।
କିନ୍ତୁ ପୋଲିସର ଏପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କେତେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ସେମାନଙ୍କ ମତରେ ପ୍ରଥମ ଦିନ ପୋଲିସ ଜନସାଧାରଣଙ୍କଠାରୁ ଫାଇନ ନକାଟି ସେମାନଙ୍କୁ ତାଗିଦ କରିବା କଥା। ତେବେ ଜନସାଧାରଣଙ୍କ ଠାରୁ ଜରିମାନା ଆଦାୟ କରିବା ପୋଲିସର ଉଦ୍ଦେଶ୍ୟ ନୁହେଁ ବୋଲି ବାଲୁଗାଁ ଆଇଆଇସି ଶ୍ରୀ ମାହାଲିକ ସୂଚନା ଦେଇଛନ୍ତି।
ବାରମ୍ବାର ନିବେଦନ କଲା ପରେ ମଧ୍ୟ କିଛି ଆମାନିଆଙ୍କ ଲାଗି ସାରା ଅଞ୍ଚଳରେ ମହାମାରୀ ବ୍ୟାପିବାର ସମ୍ଭାବନା ବଢୁଛି। ଲକଡ଼ାଉନରେ ଯଦି ମହାମାରୀ କମିବା ବଦଳରେ ବଢିବ ତେବେ ଲକଡ଼ାଉନର ମୂଲ୍ୟ କିଛି ରହିବନାହିଁ। ସେଥିପାଇଁ ପୁନଶ୍ଚ ଗଣମାଧ୍ୟମ ଜରିଆରେ ଲକଡ଼ାଉନ ନିୟମକୁ ମାନିବାପାଇଁ ବାଲୁଗାଁ ବାସୀଙ୍କୁ ଆଇଆଇସି ନିବେଦନ କରିଛନ୍ତି।