ସରକାରୀ ହସ୍ପିଟାଲରେ ମାଗଣାରେ ମିଳିବ ଦ୍ଵିତୀୟ ଡୋଜ: ନୂଆ ଲୋକଙ୍କୁ ଏବେ ମିଳିବନି ଟୀକା

Published: May 6, 2021, 8:43 pm IST

ଭୁବନେଶ୍ବର: ରାଜ୍ୟରେ ଦ୍ଵିତୀୟ ଡୋଜକୁ ପ୍ରାଥମିକତା ଦିଆଯିବ। ଏବେ ଆଉ ନୂଆ ଲୋକଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ ନାହିଁ। ଏବେ ନୂଆ ଲୋକଙ୍କୁ ଅପେକ୍ଷା କରିବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ୧୮ ରୁ ୪୪ ବର୍ଷର ଲୋକଙ୍କୁ ଏବେ କେବଳ ପଞ୍ଜୀକରଣ କରିବାକୁ ପଡିବ। ରାଜ୍ୟରେ ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୮୭ ପ୍ରତିଶତ ସ୍ଵାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ ଦିଆଗଲାଣି।

ସେହିଭଳି ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ ୯୭ ପ୍ରତିଶତ ନେଇଥିବା ବେଳେ ଦ୍ଵିତୀୟ ଡୋଜ ୮୫ ପ୍ରତିଶତ ନେଇଛନ୍ତି। ରାଜ୍ୟରେ ମୋଟ ୪୫ ବର୍ଷରୁ ଉର୍ଦ୍ଧ୍ଵ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨୩ ଲକ୍ଷ ୪୩ ହଜାର ଲୋକ ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷାରତ ଅଛନ୍ତି। ଏଯାବତ ୫ ଲକ୍ଷ ୯୬ ହଜାର ଲୋକ ଦ୍ଵିତୀୟ ଡୋଜ ନେଇସାରିଲେଣି। ପାଖାପାଖି ୧୭ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ନେବାକୁ ଅପେକ୍ଷାରେ ଅଛନ୍ତି।

ତେବେ କୋଭାକ୍ସିନ ଟୀକା କେବଳ ଭୁବନେଶ୍ଵର ମହାନଗର ଅଞ୍ଚଳରେ ଦିଆଯାଉଛି। ଓଡ଼ିଶାକୁ କୋଭାକ୍ସିନ ଟୀକା ଆସୁଥିବାରୁ ଟିକାରଣ ଚାଲିଛି। ଏହି ଟୀକାର ଦ୍ଵିତୀୟ ଡୋଜ ଦେବାରେ ଏଯାଏଁ କିଛି ଅସୁବିଧା ନାହିଁ। କିନ୍ତୁ କୋଭିସିଲ୍ଡ ଆସିବାରେ ବିଳମ୍ବ ହେଉଥିବାରୁ ଟୀକା ଦେବାରେ ମଧ୍ୟ ବିଳମ୍ବ ହେଉଛି।

ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ ନେଇଥିବା ଲୋକ ସରକାରୀ ହସ୍ପିଟାଲରେ ଦ୍ଵିତୀୟ ଡୋଜ ନେଇପାରିବେ। ଏପ୍ରିଲ ୩୦ ତାରିଖ ସୁଦ୍ଧା ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ ନେଇଥିଲେ, ଦ୍ଵିତୀୟ ଡୋଜ ସରକାରୀ ହସ୍ପିଟାଲରେ ଦ୍ଵିତୀୟ ଡୋଜ ମାଗଣାରେ ନେଇପାରିବେ ନେଇପାରିବେ। ସେଥିପାଇଁ କେବଳ ଆଡମିନିଷ୍ଟ୍ରେସନ ଚାର୍ଜ ଭାବେ ଲୋକଙ୍କୁ କେବଳ ୧୦୦ ଟଙ୍କା ଦେବାକୁ ପଡିବ। ଭୁବନେଶ୍ବରକୁ ଛାଡି ରାଜ୍ୟର ବାକି ୩୦ ଟି ଜିଲ୍ଲାରେ କୋଭିସିଲ୍ଡ ଟୀକା ଦିଆଯାଉଥିବାରୁ ସମସ୍ୟା ଉପୁଜୁଛି। ରାଜ୍ୟ ସରକାର ଆଉ ୧୫ ଲକ୍ଷ ଟୀକା ଡୋଜ ଦେବାକୁ କେନ୍ଦ୍ରକୁ ନିବେଦନ କରିଛନ୍ତି।

ଗତ ମଙ୍ଗଳବାର ଦିନ ଓଡ଼ିଶାକୁ ଏକ ଲକ୍ଷ ଟୀକା ଡୋଜ ମିଳିଥିବା ବେଳେ ୧୫ ଦିନ ଭିତରେ ଆଉ ୬ରୁ ୭ ଲକ୍ଷ ଟୀକା ଡୋଜ ମିଳିବା ନେଇ ଆଶା କରାଯାଉଛି। ଟୀକା ଆସିଲେ ନୂଆ ଲୋକଙ୍କୁ ଟୀକା ଦିଆଯିବ। ଏନେଇ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Related posts