ନିର୍ବାଚନ ପରେ ଏଣିକି ବିଧାନସଭାରେ ହେବେ ମୁହାଁମୁହିଁ: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ହେଲେ ଶୁଭେନ୍ଦୁ

Published: May 10, 2021, 3:33 pm IST

କଲିକତା: ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କଡା ସଂଘର୍ଷ କରି ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଛନ୍ତି। ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ପକ୍ଷରୁ ବଡ ଦାୟିତ୍ଵ ମିଳିଛି। ସେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ଏହି ଦାୟିତ୍ଵ ମିଳିଛି।

ମମତାଙ୍କ ଅତି ବିଶ୍ଵସନୀୟ ମନ୍ତ୍ରୀ ଥିବା ଶୁଭେନ୍ଦୁ ଏହି ନିର୍ବାଚନ ପୂର୍ବରୁ ଦଳରୁ ବିଦାୟ ନେଇ ବିଜେପିରେ ସାମିଲ ହୋଇଥିଲେ। ସେହିଦିନ ଠାରୁ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଯାଇଥିଲା। ଶୁଭେନ୍ଦୁଙ୍କ ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ମମତା ଘୋଷଣା କରିଦେଇଥିଲେ।

ସେପଟେ ଶୁଭେନ୍ଦୁ ମମତାଙ୍କ ଠାରୁ ହାରିଲେ ରାଜନୀତିରୁ ଅବସର ନେବେ ବୋଲି ମଧ୍ୟ ଘୋଷଣା କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ପାଖାପାଖି ୨୦୦୦ ଭୋଟରେ ହରାଇ ଶୁଭେନ୍ଦୁ ବିଜୟ ଲାଭ କରିଥିଲେ। ହେଲେ ଏହି ଫଳାଫଳ ପରେ ମମତା ନିର୍ବାଚନ କମିଶନର ଉପରେ ଅଭିଯୋଗ ଆଣିଥିଲେ ଏବଂ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ ବୋଲି କହିଥିଲେ।

ତେବେ ତୃଣମୂଳ କଂଗ୍ରେସର ବୃହତ ବିଜୟ ପରେ ମମତା ବାନାର୍ଜୀ ଲଗାତର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେପଟେ ଶୁଭେନ୍ଦୁ ଅଧିକାରୀ ବିଧାନସଭାର ବିରୋଧୀ ଦଳ ନେତା ହୋଇଥିବାରୁ ଉଭୟଙ୍କ ମଧ୍ୟରେ ପୂର୍ବ ପରି ତର୍କ ଜାରି ରହିବ ବୋଲି କୁହାଯାଉଛି।

Related posts