କରୋନା କାଳରେ ଦେଖା ନାହିଁ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି: ବିଧାୟକ ଓ ସାଂସଦଙ୍କୁ ଖୋଜୁଛନ୍ତି ଅଂଚଳବାସୀ

Published: May 17, 2021, 1:54 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ଏବେ କରୋନା ସଂକ୍ରମଣ ସଂଖ୍ୟା ଉପର ମୁହାଁ ହେଉଛି। ପ୍ରତ୍ୟେକ ଦିନ ଅଂଚଳରେ ଶହ ଶହ ଜଣଙ୍କ କରୋନା ଟେଷ୍ଟ କରାଯାଉଛି। କଳାହାଣ୍ଡି ଜିଲ୍ଲାରେ କରୋନା ଗ୍ରାଫ ଉପର ମୁହାଁ ହେଇଛି ଏବଂ ରେଡ଼ ଜୋନରେ ଅଛି। ପ୍ରତ୍ୟେକ ଦିନ କେସିଙ୍ଗା, କର୍ଲାମୁଣ୍ଡା, ମ.ରାମପୁର ଏବଂ ନର୍ଲା ବ୍ଲକ ମାନଙ୍କରୁ ଅଧିକ ଲୋକ ପଜିଟିଭ ହେଉଥିବା ବେଳେ ରିପୋର୍ଟରେ କମ୍ ଆସୁଥିବା କୁହାଯାଉଛି।

କରୋନା କାଳରେ ଲୋକେ ଅସହାୟ ମଣୁଛନ୍ତି। ଅସହାୟ କାଳରେ ସାହା ହେବା ପାଇଁ ଲୋକେ ନିଜର ମୂଲ୍ୟବାନ ଭୋଟ ଖଣ୍ଡେ ଜନପ୍ରତିନିଧି ମାନଙ୍କୁ ଦେଇ ନିର୍ବାଚିତ କଲେ ହେଲେ ଏପରି ବିପଦ କାଳେ ସ୍ଥାନୀୟ ବିଧାୟକ କି ସାଂସଦଙ୍କର ଦେଖା ନାହିଁ। ଭୋଟ ସମୟରେ ଆମେ ଆପଣଙ୍କର ସବୁ କାମରେ ଆସିବୁ। ନିର୍ବାଚନ ମଣ୍ଡଳିର କୋଣ ଅନୁକୋଣ ରେ ଶିକ୍ଷା, ସ୍ବାସ୍ଥ୍ୟ, ପାନିୟ ଜଳ ସୁବିଧା ଯୋଗାଇ ଦେବୁ ବୋଲି ପ୍ରତିଶୃତି ଦେଇଥିବା ନେତା ଆଜି ଭୁଲିଗଲେ। ଏହି ମହାମାରୀ କରୋନା କାଳରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ତ ଦୂରର କଥା କାହାରି ହେଲେ ଦେଖା ଦର୍ଶନ ମିଳୁ ନାହିଁ।

ବିଧାୟକ ଭୁପିନ୍ଦର ସିଂ ନର୍ଲା ନିର୍ବାଚନ ମଣ୍ଡଳିରେ ବିଧାୟକ ଭାବେ ଅନେକ ଥର ନିର୍ବାଚିତ ହୋଇ ଓଡିଶା ସରକାର ଅଧୀନରେ ଆସୁଥିବା ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ମଧ୍ୟ ହାତେଇଥିଲେ। ବିଧାୟକ ବିଧାନସଭାରେ ନିଜ ଅଞ୍ଚଳ ସମସ୍ୟା ଛାଡି ଜିଲ୍ଲା ତଥା ଜିଲ୍ଲା ବାହାର କଥା ଉଠାଉଛନ୍ତି ସତ। ହେଲେ ନର୍ଲା ନିର୍ବାଚନର କଥା ବିଧାୟକ ଭୁଲି ଯାଇଛନ୍ତି। ଏହି କରୋନା କାଳରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ଶୁଣିବାକୁ ମିଳୁଛି।

ନର୍ଲା, ରାମପୁର, କେସିଙ୍ଗା, କର୍ଲାମୁଣ୍ଡା ଅଂଚଳରେ ଶହ ଶହ ଆକ୍ରାନ୍ତ ବଢୁଥିବା ଖବର ଆସୁଛି। ନର୍ଲା ନିର୍ବାଚନ ମଣ୍ଡଳିର ଅଧିକ ଭୋଟ ପାଇ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବସନ୍ତ କୁମାର ପଣ୍ଡାଙ୍କ ମଧ୍ୟ ଦେଖାନାହିଁ। ନର୍ଲା ଲୋକ କରୋନା ଜାଲରେ ଛନ୍ଦି ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଲୋକଙ୍କ କାମରେ ସବୁ ସମୟରେ ବୋଲି କହୁଥିବା ସାଂସଦ ଗଲେ କୁଆଡେ ବୋଲି ଅଂଚଳରେ ଚର୍ଚ୍ଚା ହେଉଛି। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଦୁଇ ଦୁଇ ଟାଣୁଆ ନେତା ନିର୍ବାଚନ ମଣ୍ଡଳୀରେ ଅନୁପସ୍ଥିତିକୁ ଲୋକେ ସମାଲୋଚନା କରୁଛନ୍ତି।

Related posts