
ମୁମ୍ବାଇ: କରୋନାର ଦ୍ଵିତୀୟ ଲହରରେ ମହାରାଷ୍ଟ୍ରର ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। ଆହୁରି ଅନେକ ଲୋକ ଏହି ମାହାମାରୀରୁ ରକ୍ଷା ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏହାପରେ ମଧ୍ୟ କେତେ ଲୋକ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।
ଯଦିବା ଟୀକାକରଣ ପ୍ରକ୍ରିୟାରେ ମହାରାଷ୍ଟ୍ର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ଅଛି, ତଥାପି ରାଜ୍ୟର ମୋଟ ଜନସଂଖ୍ୟାର ମାତ୍ର ୩.୬୯ ପ୍ରତିଶତ ଲୋକଙ୍କୁ ଏପର୍ଯ୍ୟନ୍ତ ଟୀକା ଦିଆଯାଇଛି। ହିଙ୍ଗୋଲି, ପାଲଘର, ନନ୍ଦୁରବାର, ପରଭନୀ, ଜଲଗାଁଓ, ଗଢଚିରେଲିରେ ୩ ପ୍ରତିଶତରୁ କମ ଲୋକଙ୍କୁ ଏପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦିଆଯାଇଛି। ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳରେ କୋଭିଡ ଟୀକାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ ରହିଛି।
ତେଣୁ ପ୍ରଶାସନ ପକ୍ଷରୁ ଟୀକା ବାବଦରେ ଲୋକଙ୍କୁ ସଚେତନ କରାଯାଉଛି। ଏପରି ଲୋକଙ୍କୁ ଟୀକା ଦେବା ପାଇଁ ବୀମା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅଫର ମଧ୍ୟ ଘୋଷଣା କରାଯାଉଛି। ତେବେ ବର୍ତ୍ତମାନ ମହାରାଷ୍ଟ୍ରର ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳର ଲୋକଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ୫ ଲକ୍ଷ ଟଙ୍କାର ବୀମା ଅଫର କରାଯାଇଛି।