ମାନବିକତା ଦେଖାଇଲେ ଟାଙ୍ଗୀ ଆଇଆଇସି ଓ ଡାକ୍ତର: ମୃତ ଆକ୍ରାନ୍ତଙ୍କ କଲେ ଅନ୍ତିମ ସଂସ୍କାର

Published: May 28, 2021, 2:38 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କରୋନା କାଳରେ ଲୋକଙ୍କ ମାନବିକତା ହଜିଯାଉଥିବାର ଅନେକ ନଜିର ରହିଛି। ନିଜ ସମ୍ପର୍କୀୟ ମଧ୍ୟ ମୃତକଙ୍କ ଶବକୁ ସ୍ପର୍ଶ କରିବାକୁ କୁଣ୍ଠିତ ହେଉଛନ୍ତି। ହେଲେ ଏପରି ପରିସ୍ଥିତିରେ ଥାନା ଅଧୀକାରୀ, ଅତିରିକ୍ତ ତହସିଲଦାର ଓ ଡାକ୍ତର ମଣିଷ ପଣିଆ ଦେଖାଇଛନ୍ତି। ମୃତ କୋଭିଡ୍ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଏହିପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି।

ପ୍ରକାଶ ଥାଉ କି, ଟାଙ୍ଗୀ ଅନ୍ତର୍ଗତ ସାନ ରାଉତ ପଡା ଗ୍ରାମର ହବିବ୍ ଖାଁ (୩୯) ନାମକ ଜଣେ ଯୁବକ କୋରୋନା ରେ ଆକ୍ରାନ୍ତ ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେ ମେଡିକାଲରେ ପ୍ରାଣ ହରାଇଥିଲେ। ଏହାପରେ ମୃତକଙ୍କ ଶବକୁ ସ୍ଥାନୀୟ ପ୍ରଶାସନ ଗ୍ରାମକୁ ଆଣିଥିଲା। ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ମଶାନରେ ଶବ ଶତ୍କାର ବ୍ୟବସ୍ଥା କରାଯାଇଥିଲା।

ଲୋକେ ଭୟରେ କୋରୋନା ଆକ୍ରାନ୍ତଙ୍କ ଶବକୁ ଛୁଉଁନଥିବା ବେଳେ ଲୋକଙ୍କ ମନରୁ ଭୟକୁ ଦୂରେଇବା ପାଇଁ ଗତ କାଲି ରାତିରେ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଜିତେନ୍ଦ୍ର କୁମାର ସାହୁ ଏବଂ ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ ଦେହୁରୀ କୋଭିଡ୍ କଟକଣା ମଧ୍ୟ୍ୟରେ ପିପିଇ କିଟ୍ ପିନ୍ଧି ହବିବ୍ ଖାଁଙ୍କ ଅନ୍ତିମ ସଂସ୍କାର କରିଥିଲେ।

ଅତିରିକ୍ତ ତହସିଲଦାର, ଡାକ୍ତର ଓ ପୋଲିସ ବାବୁଙ୍କ ଏଭଳି କାର୍ଯ୍ୟକୁ ଦେଖି ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି।

Related posts