ସିଷ୍ଟର ଅଭୟା ହତ୍ୟା ମାମଲା : ଆରୋପୀଙ୍କ ଅନୁରୋଧକୁ ଖାରଜ କଲେ କୋର୍ଟ

Published: Apr 9, 2019, 5:01 pm IST

କେରଳର ବହୁଚର୍ଚ୍ଚିତ ସିଷ୍ଟର ଅଭୟା (ବୀନା ଥୋମାସ) ହତ୍ୟା ମାମଲାରେ ଆରୋପୀଙ୍କ ଖଲାସ ହେବା ଅନୁରୋଧକୁ କେରଳ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ମଙ୍ଗଳବାର ମାମଲାର ମୁଖ୍ୟ ଅଭିଯୁକ୍ତ ଡ. ଥୋମାସ କୋଟ୍ଟୁର୍‌ ଏବଂ ସିଷ୍ଟର ସେଫିଙ୍କ ଆବେଦନକୁ ଖାରଜ କରିଛନ୍ତି କେରଳ ହାଇକୋର୍ଟ। ଉଭୟଙ୍କ ବିପକ୍ଷରେ ସିବିଆଇ ତରଫରୁ ଦାଏର କରାଯାଇଥିବା ମାମଲା ଅନୁଯାୟୀ ଉଭୟଙ୍କୁ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଜଷ୍ଟିସ୍‌ ସୁନିଲ୍‌ ଥୋମାସ୍‌ କହିଛନ୍ତି। ସିବିଆଇ ତରଫରୁ ଉଭୟଙ୍କ ବିରୋଧରେ ହତ୍ୟା, ପ୍ରମାଣ ନଷ୍ଟ  ପ୍ରଭୃତି ଅଭିଯୋଗ ଅଣାଯାଇଛି। ମାମଲାର ଅନ୍ୟତମ ଅଭିଯୁକ୍ତ ଫାଦର୍‌ ଜୋସ୍‌ ପୁଥିରିକାୟାଲୀଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଖଲାସ କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୨ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ। କୋଟୁର ଏବଂ ସେଫିଙ୍କୁ ଅନୈତିକ ଅବସ୍ଥାରେ ଦେଖିବା ପରେ ଉଭୟ ବୀନାଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଇଥିଲେ। ପ୍ରାରମ୍ଭରୁ ସ୍ଥାନୀୟ ପୋଲିସ ଏବଂ କେରଳ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିଲେ। ପରବର୍ତ୍ତୀ ସମୟରେ ସିବିଆଇ ମାମଲାର ତଦନ୍ତ କରିବା ସହିତ ୨୦୦୮ରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପ୍ରମାଣ ନଷ୍ଟ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସ୍‌ପି କେଟି ମାଇକେଲଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଥିଲା ସିବିଆଇ। କୋର୍ଟ ଏହି ଅନୁରୋଧକୁ ଖାରଜ କରିବା ସହିତ ମାଇକେଲଙ୍କୁ ତଦନ୍ତରେ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Related posts