ପାଣି ନମିଳିବାରୁ ଶୋଷରେ ଛଟପଟ ହୋଇ ୫ ବର୍ଷର ଝିଅର ଗଲା ଜୀବନ: ଅଚେତ ହେଲେ ଜେଜେମା’

Published: Jun 8, 2021, 8:54 pm IST

ନୂଆଦିଲ୍ଲୀ: ପାଣି ପାଇଁ ୫ ବର୍ଷର ଶିଶୁ କନ୍ୟାଟିର ଛଟପଟ ହୋଇ ଜୀବନ ଚାଲିଯାଇଛି। ଏହା ସହ ଝିଅଟିର ଜେଜେମା’ ମଧ୍ୟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରାଜସ୍ଥାନର ଜାଲୋର ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଜାଲୋର ଜିଲ୍ଲା ଅନ୍ତର୍ଗତ ରାଣୀୱାଡ ଗ୍ରାମର ସୁଖୀ ନାମକ ଜଣେ ମହିଳା ଏବଂ ତାଙ୍କର ନାତୁଣୀ ମଞ୍ଜୁ (୫ ବର୍ଷ) ରୋଡ଼ା ଗାଁର ସମ୍ପର୍କୀୟଙ୍କ ଘରକୁ ଚାଲି ଚାଲି ଯାଉଥିଲେ। ରାସ୍ତାରେ ଉଭୟଙ୍କୁ ଶୋଷ ଲାଗିଥିଲା। କିନ୍ତୁ ପାଖାପାଖି ଅଞ୍ଚଳରେ ସେମାନଙ୍କୁ ପାଣି ମିଳିଲା ନାହିଁ। ଫଳରେ ଉଭୟ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ କିଛି ଲୋକ ଉଭୟଙ୍କୁ ଅଚେତ ଅବସ୍ଥାରେ ଦେଖି ତୁରନ୍ତ ଗାଁର ସରପଞ୍ଚଙ୍କୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା।

ସେଠାରେ ପୋଲିସ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇ ଦେଇଥିଲା। ହେଲେ ଡାକ୍ତର ମଞ୍ଜୁକୁ ମୃତ୍ୟୁ ଘୋଷିତ କରିଥିବା ବେଳେ ମହିଳା ଜଣଙ୍କ ଡିହାଇଡ୍ରେସନ ଯୋଗୁଁ ଅଚେତ ହୋଇଯାଇଥିଲେ।

Related posts