ବାଲି ବୋଝେଇ ହାଇୱା ଓଲଟି ଖଲାସିଙ୍କ ପ୍ରାଣହାନି: ଟାଙ୍ଗୀ ଗାଡି ମାଲିକଙ୍କ ଘର ସାମ୍ନାରେ ଉତ୍ତେଜନା

Published: Jun 27, 2021, 8:54 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବାଲି ବୋଝେଇ ହାଇୱା ଓଲଟି ଜଣେ ଖଲାସୀଙ୍କ ପ୍ରାଣହାନି ଘଟିଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ମୃତ ଦେହକୁ ନେଇ ହାଇୱା ମାଲିକଙ୍କ ଘର ସାମ୍ନାରେ ପ୍ରତିବାଦ କରିଛନ୍ତି। ଶତାଧିକ ଲୋକ ଗାଡି ମାଲିକଙ୍କ ଘର ସାମ୍ନାରେ ପ୍ରତିବାଦ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ବଡପାରୀ ଗ୍ରାମର ରାମକୃଷ୍ଣ ବେହେରା ହାଇୱା ଗାଡିରେ ଖଲାସି କାମ କରୁଥିଲେ। ଗାଡି ମାଲିକ ପ୍ରକାଶ ବେହେରାଙ୍କ ହାଇୱାରେ ସେ ଖଲାସି କାମ କରୁଥିଲେ। ସବୁ ଦିନ ଭଳି ରାମକ୍ରୁଷ୍ଟ ହାଇୱା ଗାଡିରେ ଖଲାସୀ କାମ କରିବା ପାଇଁ ବାହାରି ଯାଇଥିଲେ। ହାଇୱା ବାଲି ବୋଝେଇ କରି ଟାଙ୍ଗୀ ଫେରୁଥିଵା ବେଳେ ସିକୋ ଫାଣ୍ଡି ନିକଟ ମାଣିକ ପାଟଣା ଠାରେ ରାସ୍ତା ଖରାପ ଥିଵାରୁ  ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା।

ଫଳରେ ଖଲାସୀ ରାମ କୃଷ୍ଣ ହାଇୱା ତଳେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ପୋଲିସ୍ ସହ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଘଟଣା ସ୍ଥଳରେ ହିଁ  ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ୍  ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ହୋଇ ଶବ ଗ୍ରାମକୁ ଫେରିବା ପରେ ଗ୍ରାମବାସୀ ମୃତକଙ୍କ ସମ୍ପର୍କୀୟଙ୍କୁ ସହାୟତା ଦାବିରେ ମାଲିକଙ୍କୁ ଗୁହାରୀ କରିଥିଲେ।

ହେଲେ ମାଲିକ କୌଣସି ସହାୟତା ନଦେଵାରୁ ସ୍ଥାନୀୟ ବଡପାରୀ ଗ୍ରାମର ଗ୍ରାମଵାସୀ ଶବକୁ ଧରି ଟାଙ୍ଗୀର ହାଇୱା ମାଲିକ   ପ୍ରକାଶ ବେହେରାଙ୍କ ଘର ସମ୍ମୁଖରେ କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ମୃତ ଖଲାସି  ରାମକୃଷ୍ଣଙ୍କ ୩ ଭଉଣୀରେ ଗୋଟିଏ ଭାଇ ଓ ତାଙ୍କର ବୟସ ମାତ୍ର ୨୨ ବର୍ଷ। ସେ ପରିବାରର ଏକ ମାତ୍ର ରୋଜଗାରକ୍ଷମ କ୍ଷମ ଥିଲେ।

Related posts