ବାଣପୁର ଉପ କାରାଗାରରେ କଏଦୀମାନଙ୍କୁ ଦିଆଗଲା ଟୀକା: ଆସନ୍ତାକାଲି ଚିଲିକାରେ ବନ୍ଦ ରହିବ ଟୀକାକରଣ

Published: Jun 29, 2021, 7:31 pm IST

ସୀତାରାମ ଅଗ୍ରୱାଲ

ଚିଲିକା: କେନ୍ଦ୍ର ସରକାର ସାରା ଦେଶରେ ନିଃଶୁଳ୍କ ଟୀକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର ୧୮ ରୁ ଉର୍ଦ୍ଧ୍ଵ ବୟସର ସବୁ ବର୍ଗର ବ୍ୟକ୍ତିଙ୍କୁ ଟୀକାକରଣ କରେଇବା ପାଇଁ ଯଥାସମ୍ଭବ ପ୍ରଚେଷ୍ଟା ଜାରି ରଖିଛନ୍ତି। ଅସହାୟ, ବୃଦ୍ଧ, ନିରାଶ୍ରୟ ବର୍ଗଙ୍କୁ ସରକାର ଟୀକାକରଣ ପାଇଁ ପ୍ରାଧାନ୍ୟ ଦେଉଥିବାବେଳେ କଏଦୀମାନେ ଏଥିରୁ ବାଦ ପଡ଼ିନାହାନ୍ତି।

ସାମ୍ପ୍ରତିକ ପରିସ୍ଥିତିରେ ଦେଖିବାକୁ ଗଲେ ଜେଲ ଗୁଡିକରେ ସଂକ୍ରମଣ ବୃଦ୍ଧିପାଉଛି। ଶତାଧିକ କଏଦୀମାନେ ଏକାଠି ରହୁଥିବାରୁ ସଂକ୍ରମଣ ବଢୁଛି। ତେବେ ସୁରକ୍ଷା ଦୃଷ୍ଟିରୁ କଏଦୀମାନଙ୍କୁ ଟୀକାକେନ୍ଦ୍ରଗୁଡିକକୁ ନେଇ ଟୀକାକରଣ କରାଇବା ଜେଲ ପ୍ରଶାସନ ପାଇଁ ବିପଦପୂର୍ଣ୍ଣ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜେଲ ଗୁଡିକରେ କଏଦୀମାନଙ୍କୁ ଟୀକାକରଣ କରାଯିବାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଉପ କାରାଗାରରେ ୧୮-୪୪ ବର୍ଷୀୟ କଏଦୀମାନଙ୍କୁ ପ୍ରଥମ ଡୋଜ ଟୀକାକରଣ କରାଯାଇଛି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ଧୁର୍ଯଟି ପ୍ରସାଦ ମହାପାତ୍ରଙ୍କ ତତ୍ୱାବଧାନରେ ଏକ ଟିମ ବାଣପୁର ଉପ କାରାଗାର ଯାଇ ଜେଲ ଅଧିକ୍ଷକ କୋଶଳ ପଦ୍ମିନୀ ଦଳବେହେରାଙ୍କ ଉପସ୍ଥିତରେ କଏଦୀମାନଙ୍କୁ ପ୍ରଥମ ଡୋଜ ଟୀକା ଦେଇଥିଲେ। ତେବେ ଆଜି ସମୁଦାୟ ୯୯ ଜଣ କଏଦୀ ଟୀକା ନେଇଥିବାରୁ ସୂଚନା ମିଳିଛି।

ସେପଟେ ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଟୀକାକରଣ ବନ୍ଦ ରହିବ। ଟୀକାର ଅଭାବ ଯୋଗୁଁ ଟୀକାକରଣ ବନ୍ଦ ରହିବ ବୋଲି ଉଭୟ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଯାଇଛି। କରୋନାକୁ ହରାଇବାକୁ ହେଲେ ଟୀକାକରଣ ପ୍ରକ୍ରିୟାରେ ଗତି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Related posts