ହାତ ଛାଡ଼ିଲେ ସୋନାଲି, ଟିକେଟ ବଣ୍ଟନ ନେଇ ତେଜୁଛି ଅସନ୍ତୋଷ

Published: Apr 11, 2019, 1:28 pm IST
sonali sahu quits from congress

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଲାଣି। ଏଭଳି ସମୟରେ ରାଜ୍ୟରେ କଂଗ୍ରେସର ଅବସ୍ଥା ବେଶ୍‌ ସଂକଟାପନ୍ନ ମନେ ହେଉଛି। ଟିକେଟ ବଣ୍ଟନକୁ ନେଇ କଂଗ୍ରେସ ଭିତରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ସର୍ବସାଧାରଣରେ। କଂଗ୍ରେସ ମୁଖପାତ୍ର ତଥା ଟାଣୁଆ ନେତ୍ରୀ ସୋନାଲି ସାହୁ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ଥିବା ହେତୁ ସେ ଦଳରୁ ଇସ୍ତଫା ଦେଇଥିବା ଶୁଣାଯାଉଛି। ଟିକେଟ ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସର ପରିସ୍ଥିତି ବେଶ୍‌ ଅଡୁଆ ହୋଇଛି। କିଛିଦିନ ପୂର୍ବେ ଦଳର ରାଜ୍ୟ ମହିଳା ସଭାନେତ୍ରୀ ସୁମିତ୍ରା ଜେନା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷୋଦ୍‌ଗାର କରି ଦଳ ଛାଡ଼ି ବିଜେଡ଼ିରେ ଯୋଗଦେଇଥିବାସ୍ଥଳେ ବର୍ତ୍ତମାନ ଆଉ ଜଣେ ନେତ୍ରୀ ସୋନାଲି ସାହୁ ଦଳ ଛାଡିଛନ୍ତି।  ସୋନାଲି ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଟିକେଟ ପ୍ରଦାନ କରାଯାଇନଥିଲା। ତେଣୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ କି, ଟିକେଟ ବଣ୍ଟନକୁ ନେଇ କଂଗ୍ରେସର ଅନେକ ଟାଣୁଆ ନେତା ଦଳରୁ ଇସ୍ତଫା ଦେଇଥିଲେ। କିଛି ନେତା ଟିକେଟ ପାଇ ମଧ୍ୟ ଫେରାଇ ଦେଇଥିଲେ। ଗତକାଲି ପିସିସି ମୁଖିଆ ନିରଂଜନ ପଟ୍ଟନାୟକ ତାଙ୍କ ପସନ୍ଦର ଜଣେ ବି ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇନାହିଁ ବୋଲି ମଧ୍ୟ କହିଥିଲେ।

Related posts