ଏଣିକି କାର୍ଯ୍ୟାଳୟରେ କୋଭିଡ କଟକଣା ନ ମାନିଲେ ହେବ ବଡ କାର୍ଯ୍ୟାନୁଷ୍ଠାନ, ସୋମବାରରୁ ଲାଗୁ

Published: Jul 18, 2021, 6:58 pm IST

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଆଂଶିକ ଲକଡାଉନ ଜାରି ରହିଛି। କରୋନା କଟକଣା ଭିତରେ କାର୍ଯ୍ୟାଳୟ ଚଳାଇବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ହେଲେ କରୋନା ସଂକ୍ରମଣକୁ ଦେଖି ଭୁବନେଶ୍ଵରରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ବିଏମସି ଏକ ଗାଇଡଲାଇନ୍ ଜାରି କରିଛି। କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ସହିତ ହାତ ସାନିଟାଇଜ କରିବା ପାଇଁ ବିଏମସି ବାଧ୍ୟତାମୂଳକ କରିଛି।

ଯଦି କୌଣସି କାର୍ଯ୍ୟାଳୟ ଏହି ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ସମ୍ପୃକ୍ତ କାର୍ଯ୍ୟାଳୟ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ସଞ୍ଜୟ ସିଂ ପ୍ରକାଶ କରିଛନ୍ତି। ଭୁବନେଶ୍ଵରରେ କରୋନା ସଂକ୍ରମଣରେ ଆଶାତୀତ ହ୍ରାସ ପାଉନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କମିଶନର କହିଛନ୍ତି।

ତେବେ ଆସନ୍ତା ସୋମବାର ଠାରୁ ବିଏମସି ଏନଫୋର୍ସମେଣ୍ଟ ଟିମ୍ ଏବଂ ପୋଲିସ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯେଉଁ ସରକାରୀ ଅଥବା ଘରୋଇ କାର୍ଯ୍ୟାଳୟ ନିୟମ ଉଲ୍ଲଂଘନ କରିବେ, ତାହାକୁ ବନ୍ଦ କରାଯିବ ବୋଲି କମିଶନର କହିଛନ୍ତି। କୌଣସି କାର୍ଯ୍ୟାଳୟରେ ଏପରି ମାମଲା ସାମ୍ନାକୁ ଆସିଲେ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯିବ ବୋଲି ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛି।

Related posts