ଟାଙ୍ଗୀ: ନକଲି ପୋଲିସ ଅଧିକାରୀକୁ ଗିରଫ କଲା କୁହୁଡି ଫାଣ୍ଡି ପୋଲିସ

Published: Jul 29, 2021, 11:35 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗାଡ଼ି ଚାଳକ ମାନଙ୍କଠାରୁ ଦାଦାବଟି ଆଦାୟ କରି ଜଣେ ନକଲି ପୋଲିସ ଗିରଫ ହୋଇଛନ୍ତି। ଟାଙ୍ଗୀ ଥାନା କୁହୁଡି ଫାଣ୍ଡି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଯାଇଛି।

ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ସୂଚନା ମୁତାବକ ଆଜି ସଂନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥ କୟଥପଲା ଛକ ନିକଟରେ ଜଣେ ଯୁବକ ନିଜକୁ ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ବିଭିନ୍ନ ଅଟୋ ଏବଂ ଗାଡ଼ି ଚାଳକଙ୍କୁ ଅଟକାଇ ୫୦୦ ଟଙ୍କା ଲେଖାଏଁ ଦାଦାବଟି ଆଦାୟ କରୁଥିଲେ। ସେଥିରୁ ଜଣେ ଗାଡ଼ିଚାଳକଙ୍କର ସନ୍ଦେହ ହେବାରୁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ସମ୍ବନ୍ଧୀୟ ଏକାଧିକ ପ୍ରଶ୍ନ ପଚାରିଥିଲେ। କିନ୍ତୁ ସମ୍ପୃକ୍ତ ଯୁବକଜଣଙ୍କ ଉତ୍ତର ଦେବାକୁ ବିଫଳ ହେବାରୁ ସ୍ଥାନୀୟ ଜନସାଧାରଣ ମାନେ ତାଙ୍କୁ ଅଟକ ରଖି ତୁରନ୍ତ କୁହୁଡି ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ।

ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବାରୁ ଯୁବକ ଜଣକ ନକଲି ପୋଲିସ ଅଧିକାରୀ ବୋଲି ଜାଣିପାରିଥିଲେ। ଯୁବକଙ୍କ ନାମ ସନ୍ତୋଷ ବିଶ୍ୱାଳ(୩୫) ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲା ଶେରଗଡ ଅଞ୍ଚଳରେ। ନିକଟରେ ସେ ଏକ ଅପରାଧିକ ମାମଲାରେ ଜଡିତ ଥାଇ ଶେରଗଡ଼ ଜେଲ ଯାଇ ଜାମିନ ରେ ଆସିଥିବାର ଫାଣ୍ଡି ଅଧିକାରୀ କହିଛନ୍ତି।

ଏ ନେଇ ସ୍ଥାନୀୟ ଜନସାଧାରଣ ଏକ ଲିଖିତ ଅଭିଯୋଗ ଦେବାରୁ ଟାଙ୍ଗୀ ଥାନାରେ କେସ ନମ୍ବର ୨୪୯/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତ।

Related posts