ଅକ୍ଟୋବରରେ ପିକକୁ ଆସିବ ତୃତୀୟ ଲହର!: ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି ୨୩ ପ୍ରତିଶତ ପିଲା

Published: Aug 23, 2021, 1:34 pm IST

ଭୁବନେଶ୍ବର: ସମ୍ଭାବ୍ୟ କରୋନାର ତୃତୀୟ ଲହରୀକୁ ନେଇ ଡିଏମଇଟି ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି। ତୃତୀୟ ଲହରୀରେ ପିଲାମାନେ ଅଧିକ ପ୍ରଭାବିତ ହୋଇପାରନ୍ତି। ସେପ୍ଟେମ୍ବର-ଅକ୍ଟୋବର ମାସରେ କରୋନାର ତୃତୀୟ ଲହରୀ ପିକ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତୃତୀୟ ଲହରୀ ଆସିଲେ ଦେଶରେ ଦୈନିକ ୪ ଲକ୍ଷ ଲୋକ ସଂକ୍ରମିତ ହେବେ ବୋଲି ଅନୁମାନ କରାଯାଇଛି। ସେହି ହିସାବରେ ଓଡିଶାରେ ଦୈନିକ ସଂକ୍ରମଣ ମଧ୍ୟ ୧୪ ହଜାରକୁ ଛୁଇଁପାରେ। ଯେହେତୁ ଏଥିରେ ଶିଶୁମାନେ ଅଧିକ ସଂକ୍ରମଣ ହେବା ସମ୍ଭାବନା ଦେଖାଯାଇଛି। ସେଥିପାଇଁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

ତେବେ ବର୍ତ୍ତମାନ ୧୨ ରୁ ୧୩ ପ୍ରତିଶତ ପିଲା ସଂକ୍ରମଣ ହେଉଥିବା ବେଳେ ତୃତୀୟ ଲହରୀରେ ୨୩ ପ୍ରତିଶତ ପିଲା ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି। ୬୪ ଦିନରେ ଦ୍ଵିତୀୟ ଲହରୀ ପିକକୁ ଆସିଥିଲା। ସେପ୍ଟେମ୍ବର ମାସରେ ତୃତୀୟ ଲହରୀ ଆସିବାକୁ ଥିବା ବେଳେ ଅକ୍ଟୋବର ମାସରେ ପିକରେ ପହଞ୍ଚିବ। ସେଥିପାଇଁ ସବୁ କୋଭିଡ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଶିଶୁ ଭବନରେ ସେଣ୍ଟର ଅଫ ଏକ୍ସିଲେନ୍ସି କରାଯାଉଛି। ସଂକ୍ରମିତ ହୋଇ ଶିଶୁ ଗୁରୁତର ନହେଲେ ମଧ୍ୟ ଚିକିତ୍ସାରେ କୋହଳ କରାଯିବ ନାହିଁ। ତେଣୁ ଦୈନିକ ସଂକ୍ରମଣ ସଂଖ୍ୟାର ଆନାଲିସିସ କରାଯିବ। ଗତ ୩ ଦିନ ହେଲା କୌଣସି ଆକ୍ରାନ୍ତ ଶିଶୁ ଭେଣ୍ଟିଲେଟରକୁ ଯାଇନାହାନ୍ତି। ସେହିଭଳି କମ ଶିଶୁଙ୍କୁ ଅକ୍ସିଜେନ ଆବଶ୍ୟକ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

Related posts