
ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସଂପର୍କରେ ଉଚିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ କଳାହାଣ୍ଡି ସମେତ ଓଡିଶାର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପୂର୍ବ ପତ୍ର ସଂଖ୍ୟା ୧୯୧୬୬ ତା୨୯.୧୦.୨୦୨୦, ୨୨୪୨୨ ତା.୦୧.୧୨.୨୦୨୦, ୫୨୬ ତା.୨୧.୦୧.୨୦୨୧ ଏବଂ ୧୩୨୩୨ ତା.୧୯.୦୮.୨୦୨୧ ଆଧାରରେ ପତ୍ର ସଂଖ୍ୟା ୧୩୮୬୩ ତା.୨୮.୦୮.୨୦୨୧ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ତଥା ତତ ସଂଲଗ୍ନିତ ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ଦିଆଯାଇଥିବା ଜଣାପଡିଛି।
ମାନ୍ୟବର ଓଡିଶା ହାଇକୋର୍ଟ WP(C)18752/2018 ରେ ଜାଲ ଶିକ୍ଷକ ତଥା କର୍ମଚାରୀ ମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନେ ତଥ୍ୟ ଯୋଗାଇ ଦେବାରେ ବିଳମ୍ବ ହେଉଥିବା କାରଣରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଅସୁବିଧାର ସମ୍ମୁଖିନ ହେଉଥିବା ଦର୍ଶାଯାଇଛି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଜାଲ ଶିକ୍ଷକ ମାନଙ୍କ ସଂପର୍କରେ ତଥ୍ୟ ଯୋଗାଇ ନଦେଲେ ସଂପୃକ୍ତ ଶିକ୍ଷାଧିକାରୀ ମାନଙ୍କ ଦରମା ବନ୍ଦ କରିଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।
ସରକାରଙ୍କ ଏହି ନିର୍ଦ୍ଦେଶ ଦେବାପରେ କଳାହାଣ୍ଡି ଜିଲ୍ଲାରେ ଜାଲିଆତିକରି ଶିକ୍ଷକତା କରୁଥିବା ଶିକ୍ଷକ ମହଲରେ ଭୟର ବାତାବରଣ ଖେଳିଯାଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାରେ ବହୁ ସଂକ୍ୟାରେ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ କାର୍ଯ୍ୟରତ ଥିବା ବହୁଦିନରୁ ଅଭିଯୋଗ ହୋଇଆସୁଥିବା ବେଳେ ସେସବୁର ତନଖି କରାଯାଉନଥିବା ଜଣାପଡିଛି। ଅଧିକାଂଶ ପ୍ରାର୍ଥୀ ଦରଖାସ୍ତ ଦାଖଲ ସମୟରେ ଅଧିକ ମାର୍କ ପାଇଥିବା ଜାଲ ସାର୍ଟିଫିକେଟ ଦାଖଲ କରି ଚୟନ ହୋଇଯାଉଥିବା ଏବଂ ପୋଷ୍ଟିଂ ଅର୍ଡର ହାସଲ କରି କାର୍ଯ୍ୟରେ ଯୋଗ ଦେବା ସମୟରେ ସଠିକ ସାର୍ଟିଫିକେଟ ଦାଖଲ କରିଦେଇଥିବା କୁହାଯାଉଛି। ଫଳରେ ସେହି ଜାଲିଆତି ସଂପର୍କରେ ତଦନ୍ତକାରୀ ଅଧିକାରୀଙ୍କ ନଜରକୁ ଆସିପାରୁନଥିବା ଚର୍ଚ୍ଚା ହେଉଛି।
ତଦନ୍ତକାରୀ ଅଫିସର ସଂପୃକ୍ତ ଶିକ୍ଷକଙ୍କର ପଦବୀ ପାଇବା ପାଇଁ ଆବେଦନ ସମୟରେ କେଉଁ ସାର୍ଟିଫିକେଟ ଦାଖଲ କରିଥିଲେ ଏବଂ କେଉଁ ମାର୍କ ବଳରେ ଚାକିରୀ ପାଇବାକୁ ଯୋଗ୍ୟ ବିବେଚିତ ହେଲେ ସେସଂପର୍କରେ ତଦନ୍ତ କଲେ ଆହୁରି ଅନେକ ଜାଲିଆତି ସଂପର୍କରେ ଜଣାପଡିଯାଇପାରେ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ଶିକ୍ଷକ ନିଯୁକ୍ତି ପ୍ରକ୍ରୀୟା ଆରମ୍ଭରୁ କାଗଜାତ ତଦନ୍ତ କରାଗଲେ ଜାଲ ସାର୍ଟୀପିକେଟ ସଂପର୍କରେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିଯାଇପାରିବ ବୋଲି ଆଲୋଚନା ହେଉଛି।