Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାଲ ସାର୍ଟିଫିକେଟ ମାମଲା: ବାଲୁଗାଁରୁ ମାଷ୍ଟରମାଇଣ୍ଡଙ୍କୁ ଧରିଲା ଗୋଶାଣି ନୂଆଗାଁ ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଜାଲ ସାର୍ଟିଫିକେଟ ଦେଉଥିବା ମାମଲାରେ ବାଲୁଗାଁ ଥାନା ଅଞ୍ଚଳରୁ ମାଷ୍ଟରମାଇଣ୍ଡଙ୍କୁ ପୋଲିସ କରିଛି। ଗତକାଲି ବାଲୁଗାଁ ଥାନା ଅଞ୍ଚଳରୁ ମାଷ୍ଟରମାଇଣ୍ଡଙ୍କୁ ବ୍ରହ୍ମପୁର ଗୋଶାଣି ନୂଆଗାଁ ପୋଲିସ ଉଠାଇନେଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଦୈତାରୀ ବେହେରା। ପେଶାରେ ଦୈତାରୀ ଲଙ୍ଗଳେଶ୍ୱର ୟୁପି ସ୍କୁଲରେ ସରକାରୀ ଶିକ୍ଷକ ଥିବାବେଳେ ସେ ବାଲୁଗାଁ ଗାନ୍ଧୀନଗରରେ ଏକ ଭଡ଼ା ଘରେ ରହୁଥିଲେ।

ଗୋଶାଣୀ ନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ସୂଚନା ମୁତାବକ ଉକ୍ତ ଥାନା ଅଞ୍ଚଳର ଜଣେ ଘରୋଇ ସ୍କୁଲ ଶିକ୍ଷକ ମନୋରଞ୍ଜନ ଗୌଡ଼ ଜାଲ ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ କରିଥିଲେ। ତେବେ ଏହାକୁ ଗୁରୁତର ସହ ନେଇଥିଲେ ବ୍ରହ୍ମପୁର ଏସପି।  ଏକ ସ୍ୱତନ୍ତ୍ର ଟିମ ତିଆରି କରାଯାଇ ଘଟଣାର ଯାଞ୍ଚ ଚାଲିଥିବା ବେଳେ ଗତକାଲି ଗୋଶାଣୀ ନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବାଲୁଗାଁ ଗାନ୍ଧୀନଗରରୁ ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଦୈତାରୀଙ୍କୁ ଗିରଫ କରିଥିଲେ।

ତେବେ ଉକ୍ତ ରାକେଟରେ ସମ୍ପୃକ୍ତ ଥିବା ଦୈତାରୀଙ୍କ ପୁଅଙ୍କ ସମେତ ସମୁଦାୟ ଚାରି ଜଣ ଅଭିଯୁକ୍ତ ଅଦ୍ୟାବଧି ଗିରଫ ହୋଇଥିବା ଜଣାପଡିଛି। ଜାଲ ସାର୍ଟିଫିକେଟର ଚେର ବାଲୁଗାଁ ପର୍ଯ୍ୟନ୍ତ ମାଡିଥିବା ବେଳେ ବାଣପୁର-ବାଲୁଗାଁ ଅଞ୍ଚଳରେ ନିଶ୍ଚିତ ଭାବେ ଏକାଧିକ ଦଲାଲ ଉକ୍ତ ଅପରାଧରେ ସାମିଲ ଥିବେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଏସପି ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସଂପର୍କରେ ତଦନ୍ତ ପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସଂପର୍କରେ ଉଚିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ କଳାହାଣ୍ଡି ସମେତ ଓଡିଶାର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପୂର୍ବ ପତ୍ର ସଂଖ୍ୟା ୧୯୧୬୬ ତା୨୯.୧୦.୨୦୨୦, ୨୨୪୨୨ ତା.୦୧.୧୨.୨୦୨୦, ୫୨୬ ତା.୨୧.୦୧.୨୦୨୧ ଏବଂ ୧୩୨୩୨ ତା.୧୯.୦୮.୨୦୨୧ ଆଧାରରେ ପତ୍ର ସଂଖ୍ୟା ୧୩୮୬୩ ତା.୨୮.୦୮.୨୦୨୧ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ତଥା ତତ ସଂଲଗ୍ନିତ ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ଦିଆଯାଇଥିବା ଜଣାପଡିଛି।

ମାନ୍ୟବର ଓଡିଶା ହାଇକୋର୍ଟ WP(C)18752/2018 ରେ ଜାଲ ଶିକ୍ଷକ ତଥା କର୍ମଚାରୀ ମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନେ ତଥ୍ୟ ଯୋଗାଇ ଦେବାରେ ବିଳମ୍ବ ହେଉଥିବା କାରଣରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଅସୁବିଧାର ସମ୍ମୁଖିନ ହେଉଥିବା ଦର୍ଶାଯାଇଛି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଜାଲ ଶିକ୍ଷକ ମାନଙ୍କ ସଂପର୍କରେ ତଥ୍ୟ ଯୋଗାଇ ନଦେଲେ ସଂପୃକ୍ତ ଶିକ୍ଷାଧିକାରୀ ମାନଙ୍କ ଦରମା ବନ୍ଦ କରିଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

ସରକାରଙ୍କ ଏହି ନିର୍ଦ୍ଦେଶ ଦେବାପରେ କଳାହାଣ୍ଡି ଜିଲ୍ଲାରେ ଜାଲିଆତିକରି ଶିକ୍ଷକତା କରୁଥିବା ଶିକ୍ଷକ ମହଲରେ ଭୟର ବାତାବରଣ ଖେଳିଯାଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାରେ ବହୁ ସଂକ୍ୟାରେ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ କାର୍ଯ୍ୟରତ ଥିବା ବହୁଦିନରୁ ଅଭିଯୋଗ ହୋଇଆସୁଥିବା ବେଳେ ସେସବୁର ତନଖି କରାଯାଉନଥିବା ଜଣାପଡିଛି। ଅଧିକାଂଶ ପ୍ରାର୍ଥୀ ଦରଖାସ୍ତ ଦାଖଲ ସମୟରେ ଅଧିକ ମାର୍କ ପାଇଥିବା ଜାଲ ସାର୍ଟିଫିକେଟ ଦାଖଲ କରି ଚୟନ ହୋଇଯାଉଥିବା ଏବଂ ପୋଷ୍ଟିଂ ଅର୍ଡର ହାସଲ କରି କାର୍ଯ୍ୟରେ ଯୋଗ ଦେବା ସମୟରେ ସଠିକ ସାର୍ଟିଫିକେଟ ଦାଖଲ କରିଦେଇଥିବା କୁହାଯାଉଛି। ଫଳରେ ସେହି ଜାଲିଆତି ସଂପର୍କରେ ତଦନ୍ତକାରୀ ଅଧିକାରୀଙ୍କ ନଜରକୁ ଆସିପାରୁନଥିବା ଚର୍ଚ୍ଚା ହେଉଛି।

ତଦନ୍ତକାରୀ ଅଫିସର ସଂପୃକ୍ତ ଶିକ୍ଷକଙ୍କର ପଦବୀ ପାଇବା ପାଇଁ ଆବେଦନ ସମୟରେ କେଉଁ ସାର୍ଟିଫିକେଟ ଦାଖଲ କରିଥିଲେ ଏବଂ କେଉଁ ମାର୍କ ବଳରେ ଚାକିରୀ ପାଇବାକୁ ଯୋଗ୍ୟ ବିବେଚିତ ହେଲେ ସେସଂପର୍କରେ ତଦନ୍ତ କଲେ ଆହୁରି ଅନେକ ଜାଲିଆତି ସଂପର୍କରେ ଜଣାପଡିଯାଇପାରେ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ଶିକ୍ଷକ ନିଯୁକ୍ତି ପ୍ରକ୍ରୀୟା ଆରମ୍ଭରୁ କାଗଜାତ ତଦନ୍ତ କରାଗଲେ ଜାଲ ସାର୍ଟୀପିକେଟ ସଂପର୍କରେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିଯାଇପାରିବ ବୋଲି ଆଲୋଚନା ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଧରା ପଡିଲେ ନକଲି ଶିକ୍ଷକ: ଜାଲ ସାର୍ଟିଫିକେଟ ଦେଖାଇ ସରକାରୀ ବିଦ୍ୟାଳୟରେ କରୁଥିଲେ ଚାକିରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଜାଲ ସାର୍ଟିଫିକେଟ ଦେଇ ସରକାରୀ ବିଦ୍ୟାଳୟରେ ଚାକିରୀ କରୁଥିବା ବେଳେ ନକଲି ଶିକ୍ଷକ ଧରା ପଡିଛନ୍ତି। ଫଳରେ ନକଲି ଶିକ୍ଷକଙ୍କ ନାମରେ ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ।

ସୂଚନା ମୁତାବକ ବାଣପୁରର ପବିତ୍ର କୁମାର ପଣ୍ଡା ବିଷ୍ଣୁଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ତେବେ ରେଗୁଲାର ଚାକିରୀ ହେବା ନିମନ୍ତେ ସରକାରୀ ନିୟମ ମୁତାବକ ସମସ୍ତ କନିଷ୍ଠ ଶିକ୍ଷକଙ୍କ କାଗଜପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଗତବର୍ଷ ଯାଞ୍ଚ ବେଳେ ପବିତ୍ରଙ୍କ ବିଇଡ଼ି ସାର୍ଟିଫିକେଟ ନକଲି ଥିବା ଜିଲ୍ଲା ଶିକ୍ଷା ଅଧିକାରିଣୀ ବନ୍ଦନା ମହାପାତ୍ର ଜାଣିବାକୁ ପାଇଥିଲେ।

ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବିଇଡ଼ି କରିଥିବାର ସରକାରଙ୍କୁ ସୂଚନା ଦେଇଥିଲେ। ଏଥି ନିମନ୍ତେ ଗତ ୬.୫.୨୦୨୦ ତାରିଖରୁ ତାଙ୍କୁ ଚାକିରୀରୁ ଅବ୍ୟାହତି ଦିଆଯାଇଥିଲା। ହେଲେ ଗତ ଅଗଷ୍ଟ ୨୪ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କୁ ପବିତ୍ରଙ୍କ ବିରୁଦ୍ଧରେ ବାଣପୁର ଥାନାରେ ଏକ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଯାହାଫଳରେ ଗତକାଲି ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଣପୁର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ କେସ ନମ୍ବର ୩୦୧ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।