
ରାମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଜୟା ପ୍ରଦାଙ୍କ ପ୍ରତି ଏସ୍ପି ନେତା ଆଜମ ଖାନଙ୍କ ଅଶ୍ଳୀଳ ଏବଂ ଅରୁଚିକର ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଥାନାରେ ଏତଲା ଦିଆଯିବା ପରେ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା ୫୦୯ ଏବଂ ଲୋକ ପ୍ରତିନିଧିତ୍ଵ ଅଧିନିୟମ ଧାରା ୧୨୫ ଅନୁସାରେ ମାମଲା ରୁଜୁ ହେବା ସହ ପୁଲିସ ଏହାର ତଦନ୍ତ କରୁଛି। ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ଆଜମ ଖାନଙ୍କୁ ନୋଟିସ ଜାରି କରାଯାଇଛି। ଏହି ପ୍ରସଙ୍ଗକୁ ନେଇ ଆଜମ୍ ଖାନ୍ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ମନ୍ତବ୍ୟକୁ ଗଣମାଧ୍ୟମରେ ବିକୃତ କରାଯାଇ, ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପନ କରାଯାଇଛି। ସେ ଏହି ମନ୍ତବ୍ୟ ସମୟରେ କାହାର ନାମ ନେଇନଥିବାର ଯୁକ୍ତି ମଧ୍ୟ ବାଢିଛନ୍ତି। ତେବେ ଯଦି ସେ ଏହି ମାମଲାରେ ଦୋଷୀ ପ୍ରମାଣିତ ହେବେ, ତେବେ ନିର୍ବାଚନ ଲଢିବେ ନାହିଁ ବୋଲି ଆଜମ୍ ଖାନ୍ କହିଛନ୍ତି। ସେ ରାମପୁରରୁ ୯ ଥର ବିଧାୟକ ହୋଇଛନ୍ତି।