କର୍ଣ୍ଣାଟକ ବିଧାୟକଙ୍କ ବଡ ବୟାନ: କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପାଇଁ ମିଳିଥିଲା ଟଙ୍କାର ଅଫର

Published: Sep 13, 2021, 3:15 pm IST

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ବିଧାୟକ ଶ୍ରୀମନ୍ତ ବାଲାସାହେବ ପାଟିଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ମୁଁ କଂଗ୍ରେସ ପାର୍ଟିରେ ଥିଲି ଏବଂ ରାଜ୍ୟରେ ଜେଡିଏସ-କଂଗ୍ରେସ ସରକାର ଥିଲା, ମୋତେ ବିଜେପିରେ ଯୋଗଦେବା ପାଇଁ ଟଙ୍କା ଯଚା ଯାଇଥିଲା। ପାଟିଲ ଦାବି କରିଛନ୍ତି ଯେ, ସେତେବେଳ ମୁଁ ଯାହା ଚାହିଁଥାନ୍ତି, ମୋତେ ମିଳିଥାନ୍ତା। କିନ୍ତୁ ମୁଁ ଲୋକଙ୍କ ସେବା କରିବା ପାଇଁ ମନ୍ତ୍ରୀ ପଦ ମାଗିଥିଲି।

ଶ୍ରୀମନ୍ତ ବାଲାସାହେବ ପାଟିଲ କହିଛନ୍ତି ଯେ, ମୁଁ କୌଣସି ଟଙ୍କା ନ ନେଇ ବିଜେପିରେ ଯୋଗ ଦେଇଥିଲି। ମୋତେ ପଚରାଗଲା ମୁଁ କେତେ ଟଙ୍କା ଚାହୁଁଛି। କିନ୍ତୁ ମୁଁ ଟଙ୍କା ନେବାକୁ ମନା କରିଥିଲି। ଲୋକଙ୍କ ସେବା କରିବା ପାଇଁ ମୁଁ ମନ୍ତ୍ରୀ ପଦ ମାଗିଥିଲି। ବର୍ତ୍ତମାନ ପର୍ଯ୍ୟନ୍ତ ମୋତେ କାହିଁକି ମନ୍ତ୍ରୀ କରାଯାଇ ନାହିଁ, ମୁଁ ଜାଣିନି। କିନ୍ତୁ ପରବର୍ତ୍ତୀ ସମ୍ପ୍ରସାରଣରେ ମୋତେ ମନ୍ତ୍ରୀ ପଦ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀମନ୍ତ ବାଲାସାହେବ ପାଟିଲ କର୍ଣ୍ଣାଟକର କାଗୱାଡ ଅଞ୍ଚଳର ବିଧାୟକ। ସେ ଏହା ପୂର୍ବରୁ କଂଗ୍ରେସରେ ଥିଲେ। କିନ୍ତୁ ଜୁଲାଇ ୨୦୧୯ ରେ ସେ ଦଳ ବଦଳାଇ ବିଜେପିରେ ଯୋଗ ଦେଇଥିଲେ। କଂଗ୍ରେସ ଏବଂ ଜେଡିଏସ୍ ଦଳ ଛାଡି ବିଜେପିରେ ଯୋଗଦେଇଥିବା ୧୬ ଜଣ ବିଧାୟକଙ୍କ ମଧ୍ୟରୁ ବାଲାସାହେବ ପାଟିଲ ଅନ୍ୟତମ।

ରାଜ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ ମିଳିତ ସରକାରରୁ ଏହି ୧୬ ଜଣ ବିଧାୟକଙ୍କ ପରିବର୍ତ୍ତନ ହେତୁ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। ଏହା ପରେ କଂଗ୍ରେସ-ଜେଡିଏସ୍ ମିଳିତ ସରକାରର ପତନ ହେଲା। ପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କଲା। ବିଏସ୍ ୟେଦିୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଥିଲା।

Related posts