ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଲଖିମପୁର ଖେରୀ ହିଂସା ଘଟଣାର ସିବିଆଇ ତଦନ୍ତ ହେଉ: ବିଜେପି ସାଂସଦ

Published: Oct 4, 2021, 12:38 pm IST

ଲକ୍ଷ୍ନୌ: ଲଖିମପୁର ଖେରୀରେ ହିଂସା ମାମଲାରେ ପିଲିଭୀତ ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଲଖିମପୁର ଖେରୀରେ ତିକୋନିୟା ହିଂସାରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ବରୁଣ ଗାନ୍ଧୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଛନ୍ତି। ବିଜେପି ସାଂସଦ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଲଖିମପୁର ଖେରୀ ହିଂସାରେ ୪ ଜଣ କୃଷକଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ସମେତ ୧୪ ଜଣଙ୍କ ବିରୋଧରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି।

ବରୁଣ ଗାନ୍ଧୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ହେଉଛି ଖେରି ଜିଲ୍ଲାର ପଡୋଶୀରେ ଥିବା ପିଲିଭୀତ। ବରୁଣ ଗାନ୍ଧୀ ତାଙ୍କ ଚିଠିକୁ ଟ୍ୱିଟରରେ ସେୟାର କରିଛନ୍ତି। ସିବିଆଇ ତଦନ୍ତ ସହିତ ପୀଡ଼ିତାଙ୍କ ପରିବାରକୁ ୧-୧କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ସାଂସଦ। ବରୁଣ ଗାନ୍ଧୀ ଲେଖିଛନ୍ତି ଯେ, ଧାରା ୩୦୨ ଅନୁଯାୟୀ ହତ୍ୟା ମାମଲା ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ଭବିଷ୍ୟତରେ ଚାଷୀଙ୍କ ସହ ଏପରି ଅନ୍ୟାୟ କିମ୍ବା ଅତ୍ୟାଚାର ଯେପରି ନହୁଏ ସେଥିପାଇଁ ବିଜେପି ସାଂସଦ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସାଂସଦ କହିଛନ୍ତି ଯେ, “ଅକ୍ଟୋବର ୩ ତାରିଖରେ ଖେରୀରେ ବିରୋଧୀ ଚାଷୀଙ୍କୁ ଅତି ନିର୍ମମ ଭାବରେ ଗାଡି ଚଢାଇବା ଭଳି ହୃଦୟ ବିଦାରକ ଘଟଣା ସମଗ୍ର ଦେଶରେ ଦୁଃଖ ଓ କ୍ରୋଧ ସୃଷ୍ଟି କରିଛି। ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଥିଲା। କିନ୍ତୁ ପରଦିନ ଲକ୍ଷ୍ମୀପୁର ଖେରୀରେ ଆମର ଖାଦ୍ୟ ଦାତାଙ୍କୁ ହତ୍ୟା କରାଯାଇଥିବା ଘଟଣା କୌଣସି ସଭ୍ୟ ସମାଜରେ କ୍ଷମା ଯୋଗ୍ୟ ନୁହେଁ।

ବରୁଣ ଲେଖିଛନ୍ତି ଯେ, ଆନ୍ଦୋଳନକାରୀ କୃଷକ ଭାଇମାନେ ଆମ ଦେଶର ନାଗରିକ। ଯଦି କୃଷକ ଭାଇମାନେ କିଛି ପ୍ରସଙ୍ଗରେ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରୁଛନ୍ତି, ତେବେ ଆମେ ସେମାନଙ୍କ ପ୍ରତି ଅତ୍ୟଧିକ ସଂଯମତା ଏବଂ ଧର୍ଯ୍ୟର ସହ ବ୍ୟବହାର କରିବା ଉଚିତ୍। ଯେକୌଣସି ପରିସ୍ଥିତିରେ, ଆମେ ଆମର କୃଷକମାନଙ୍କୁ ସମ୍ବେଦନଶୀଳତା ସହିତ ବ୍ୟବହାର କରିବା ଉଚିତ ଏବଂ କେବଳ ଗାନ୍ଧୀବାଦୀ ତଥା ଗଣତାନ୍ତ୍ରିକ ଉପାୟରେ ସମାଧାନ କରିବା ଉଚିତ୍।

Related posts