ଡଃ ଗୋପବନ୍ଧୁ ଦାଶଙ୍କ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Oct 5, 2021, 9:40 pm IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଡଃ ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ ଡାଇନାମିକ ଅଫ ଇଣ୍ଡୋ ସାଉଥ ଆଫ୍ରିକାନ କୋଅପରେସନ ଇନ ଦ ଚେଞ୍ଜିଙ୍ଗ ୱାର୍ଲ୍ଡ ଆଜି ଲୋକାର୍ପିତ କରିଛନ୍ତି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଂପର୍କ ପ୍ରାଚୀନ ଓ ନିବିଡ। ଉପନିବେଶବାଦ ବିରୋଧରେ ଉଭୟ ଦେଶର ସଂଗ୍ରାମ ଉଭୟଙ୍କୁ ନିକଟତର କରିଛି। ମହାତ୍ମା, ମାଦିବା ଓ ଜାହାଜି ଭାଇ ମାନେ ଦୁଇ ଦେଶର ଭାବଗତ ସଂପର୍କର ନିଦର୍ଶନ ହୋଇଛି।

ମହାତ୍ମାଗାନ୍ଧୀଙ୍କ ରାଜନୈତିକ ଜୀବନର ମୂଳଦୁଆ ଦକ୍ଷିଣ ଆଫ୍ରିକାରୁ ହିଁ ପଡିଥିଲା। ବର୍ଣ୍ଣବୈଷମ୍ୟବାଦ ବିରୋଧରେ ସେଠାରେ ତାଙ୍କର ଅହିଂସ ସଂଗ୍ରାମ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ସଂଖ୍ୟା ଏବେ ମୋଟ ଲୋକସଂଖ୍ୟାର ୩ ପ୍ରତିଶତ।

ବର୍ଣ୍ଣବୈଷମ୍ୟବାଦର ଅବସାନ ପରେ ୧୯୯୪ ଠାରୁ ଉଭୟ ଦେଶ ନାମ, ଜି-୭୭ ଓ ବ୍ରିକ୍ସ ଆଦି ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକାଠି କାର୍ଯ୍ୟ କରି ସେମାନଙ୍କ ମଧ୍ୟରେ ଥିବା ଐତିହାସିକ ସଂପର୍କକୁ ସୁଦୃଢ କରିଛନ୍ତି। କୋଭିଡ଼ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଉଭୟ ରାଷ୍ଟ୍ର ଏକାଠି କାମ କରିଛନ୍ତି। ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ cosmopolitanism ଓ nativism ଉଭୟ ଦେଶ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ଡଃ ଦାଶ ତାଙ୍କ ପୁସ୍ତକରେ ମତବ୍ୟକ୍ତ କରିଛନ୍ତି। ଏହା ହିଁ ଆଗାମୀ ଦିନରେ ଭାରତ ଓ ଦକ୍ଷିଣ ଆଫ୍ରିକାର ସଂପର୍କକୁ ନୂଆ ସ୍ତରରେ ପହଞ୍ଚାଇବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

Related posts