Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଲୋକାର୍ପିତ ହେଲା “ମହାଶକ୍ତି ମା’ ଭଗବତୀ” ପୁସ୍ତକ: ମା’ଙ୍କ ସମ୍ପର୍କରେ ରହିଛି ଅନେକ ଲୁକ୍କାୟିତ ତଥ୍ୟ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି “ମହାଶକ୍ତି ମା’ ଭଗବତୀ”ଙ୍କ ନାମରେ ନାମିତ ପୁସ୍ତକଟି ଲୋକାର୍ପିତ ହୋଇଛି। ଓଡ଼ିଶାର ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ, ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ମହିମା ଓ ମନ୍ଦିରର ଇତିହାସ, ନୀତିକାନ୍ତି, ପର୍ବପର୍ବଣୀ, ଜାନିଯାତକୁ ଆଧାର କରି ବହୁ ଲୋକ କଥା, କିମ୍ବଦନ୍ତୀ, ପୁରାଣ, ଇତିହାସ ଏଥିରେ ରଚିତ ହୋଇଛି।

ଓଡ଼ିଶାର ପ୍ରଖ୍ୟାତ ଇତିହାସ ଗବେଷକ, କାଇପଦର ମହାବିଦ୍ୟାଳୟର ଅଧ୍ୟାପକ ଡଃ ଜନ୍ମେଜୟ ଚୈଧୁରୀ ଆଜି ପବିତ୍ର ମଙ୍ଗଳବାରରେ ମା’ ଭାଗବତୀଙ୍କ ମହିମା, ମନ୍ଦିରର ଐତିହ୍ୟ, ସଂସ୍କୃତି ପରମ୍ପରା, ଜାନିଯାତ୍ରା, ପର୍ବପର୍ବାଣୀ, ଓ ବାଣପୁରରେ ଶାକ୍ତ ପରମ୍ପରା ସମ୍ବଳିତ ଅତି ସୁନ୍ଦର ଗବେଷଣା ଲବ୍ଧ ଲୁକ୍କାୟିତ ତଥ୍ୟ ଭିତିକ ଉପାଦେୟ ପୁସ୍ତକ “ମହାଶକ୍ତି ମା’ ଭଗବତୀ”ଙ୍କ ନାମରେ ନାମିତ ପୁସ୍ତକଟିକୁ ଆଣି ମା’ଙ୍କ ପୂଜାର୍ଚ୍ଚନା ପୂର୍ବକ ଚରଣାର ବିନ୍ଦରେ ସମର୍ପିତ କରିଛନ୍ତି। ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମା’ଙ୍କ ମୁଖ୍ୟ ପୂଜକ ପଣ୍ଡିତ କୃତିବାସ ପରିଚ୍ଛା ସାଆନ୍ତ, ଅଙ୍ଗଲାଗି ସେବକ ଭାସ୍କର ନାୟକ, ମନ୍ଦିର ପାଞ୍ଜିକାର ରତ୍ନାକର ଖଡିରତ୍ନଙ୍କ କରକମଳରେ ଏହି ପୁସ୍ତକଟିକୁ ଲୋକାର୍ପିତ କରାଯାଇଛି।

ମୟୂର ଝାଲିଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସହଦେବ ନାୟକ ଏହି କାର୍ଯ୍ୟକ୍ରମକୁ ସଂପାଦନ କରିଥିବାବେଳେ ମନ୍ଦିରର ବହୁ ନିଯୋଗୀ ସେବାୟତ, ପାଳିଆ ମାଳି ଅକ୍ଷୟ ନାୟକ ପୁସ୍ତକଟିର ଲୋକା ଦ୍ରୁତି କାମନା କରି ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ ସମୂହ ପ୍ରାର୍ଥନା କରିଥିଲେ।

ବହୁ ସଂଗୃହୀତ ତଥ୍ୟରେ ପରିପୂର୍ଣ୍ଣ ଏହି ପୁସ୍ତକଟି ମା’ଙ୍କୁ ଦର୍ଶନ କରିବାକୁ ଆସୁଥିବା ଏବଂ ମା’ଙ୍କ ସଂପର୍କରେ ଜାଣିବାକୁ ଚାହୁଁ ଥିବା ଶ୍ରଦ୍ଧାଳୁମାନଙ୍କ ମନରେ ସୃଷ୍ଟି ହେଉଥିବା ଉତ୍ସାହକୁ ନିଶ୍ଚୟ ପରିପୂର୍ଣ୍ଣ କରିବ ବୋଲି ଆଶା କରାଯାଏ।

Categories
ବିଶେଷ ଖବର

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ: ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ଵର: ଆମେ ଏବେ ବଡ ବଡ ସ୍ବପ୍ନ ଦେଖିପାରୁଛୁ ଏବଂ ସଫଳ ହେବୁ ବୋଲି ମଧ୍ୟ ଭାବୁଛୁ। ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମତରୁ ଏହା ସ୍ପଷ୍ଟ ହୋଇଛି ଯେ ସେମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ବାସ ସୃଷ୍ଟି ହୋଇଛି। କୋରାପୁଟ ଜିଲ୍ଲାର ଜଣେ ଛାତ୍ରୀ ବିଷ୍ଣୁପ୍ରିୟା କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ବଡ ହେଲେ ସେ ନିଜେ ମୁଖ୍ୟମନ୍ତ୍ରୀ ହୋଇ ଓଡିଶାବାସୀଙ୍କ ସେବା କରିବାର ସ୍ବପ୍ନ ଦେଖୁଛନ୍ତି ବୋଲି କହିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ବହୁତ ଖୁସି ହୋଇ ତାଙ୍କୁ ଆଶୀର୍ବାଦ କରିଥିଲେ ଏବଂ ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ସେହିପରି ବଲାଙ୍ଗୀର ଛାତ୍ରୀ ଦୀପାଞ୍ଜଳି ବେହେରା ବଡ ହେଲେ ପାଇଲଟ ହେବାକୁ ଚାହିଁଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜୁ ବାବୁଙ୍କ ସଂପର୍କରେ ଏକ ପୁସ୍ତକ ପ୍ରଦାନ କରାଯିବ ବୋଲି କହିଥିଲେ।

ସେହିପରି ସମ୍ବଲପୁରର ଜଣେ ଛାତ୍ରୀ ବାଗ୍ମୀ ବିଶ୍ବଜିତା ସାହୁ ଆଇ.ଏ.ଏସ ଅଫିସର ହେବାର ଇଚ୍ଛା ପ୍ରକଟ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁମାନେ ଆଇଏଏସ ବା ଆଇପିଏସ ଅଫିସର ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଆଇଏଏସ ବା ଆଇପିଏସ ଅଫିସର ମାନଙ୍କ ସହିତ ସାକ୍ଷାତକାରର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ବାରା ପିଲାମାନେ ଅଧିକ ପ୍ରେରଣା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପୁରୀ ଜିଲ୍ଲାର ଛାତ୍ରୀ ପୂଜାରିଣୀ ନାୟକ ଜଣେ ଆଦର୍ଶ ଶିକ୍ଷକ ଏବଂ କେନ୍ଦ୍ରାପଡାର ମୁବାସରା ନୁର୍ ବଡ ହେଲେ ଡାକ୍ତର ହେବାର ଆଶା ରଖିଥିଲେ। ପିଲାମାନଙ୍କ ଏହି ଉଚ୍ଚ ଆଶା ମୁଖ୍ୟମନ୍ତ୍ରୀଙ୍କୁ ବେଶ ପ୍ରଭାବିତ କରିଥିଲା। ଆଜିର ପିଲାମାନେ ଆଗାମୀ ଦିନରେ ଓଡିଶାର ଟେକ ରଖିବେ ବୋଲି ସେ ଦୃଢ ବିଶ୍ବାସ ପୋଷଣ କରିଥିଲେ।

ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ଆଜି ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ ବଲାଙ୍ଗୀର ଜିଲ୍ଲାର ୧୦୦ଟି ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ୬୧ଟି, ପୁରୀ ଜିଲ୍ଲାର ୫୩ଟି ଓ କେନ୍ଦ୍ରାପଡା ଜିଲ୍ଲାର ୫୬ଟି ହାଇସ୍କୁଲ ଏବଂ କୋରାପୁଟ ଜିଲ୍ଲାର ୫୮ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ଦୁଇ ଦିନରେ ସମୁଦାୟ ୬୮୫ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି। ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।

ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇ ସମୟ ଉପରେ ଗୁରୁତ୍ବ ଦେବକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ସମୟର ଗୁରୁତ୍ବ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ, ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ। ନିଜ ନିଜ ଜୀବନରେ ୫-ଟିର ଉପଯୋଗ ପାଇଁ ପିଲାଙ୍କୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ। ସେ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ତେଣୁ ପିଲାମାନେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଦ୍ବିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ । ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା (Transparency ) ହେଉଛି ଏକ ଜରୁରୀ ଆବଶ୍ୟକତା। ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ସେମାନଙ୍କ ଜୀବନରେ ଆସିବ ରୂପାନ୍ତର ବା ସଫଳତା।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା। ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନସ୍‌ପରେନ୍‌ସି ବା ସ୍ବଚ୍ଛତା ଏବଂ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍‌ସଫରମେସନ ବା ରୂପାନ୍ତର ଆସିଥାଏ । ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍‌ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ବିକାଶ କରାଯାଇଛି । ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍‌ୱାର୍କର ପ୍ରତୀକ। ସମୟକୁ ଗୁରୁତ୍ବ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍‌ ସମୟରେ ଶେଷ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ କାମରେ ପ୍ରତି ସ୍ତରରେ ସ୍ବଚ୍ଛତା ବା ଟ୍ରାନ୍‌ସପରେନ୍‌ସି ରକ୍ଷା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି। ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି। ଏସବୁ ଦ୍ବାରା ଆସିଛି ରୂପାନ୍ତର। ଯାହାକୁ ଆମେ ସବୁ ଦେଖିପାରୁଛୁ ଓ ଅନୁଭବ କରିପାରୁଛୁ।

କାର୍ଯ୍ୟକ୍ରମରେ ଉପସ୍ଥିତ କୋରାପୁଟ ଜିଲ୍ଲାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବଲାଙ୍ଗୀରରେ ଜଳସଂପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ବଲପୁରରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ପୁରୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ କେନ୍ଦ୍ରାପଡାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ସେମାନଙ୍କ ମତାମତ ରଖି ଶିକ୍ଷା କ୍ଷେତ୍ରରେ ଏ ରୂପାନ୍ତର ଓଡିଶାର ଭବିଷ୍ୟତକୁ ଉଜ୍ଜଳ କରିବ ବୋଲି ମତ ଦେଇଥିଲେ। ଦୃଢ ଶିକ୍ଷା ଭିତ୍ତିଭୂମି ପିଲାମାନଙ୍କୁ ସବୁ କ୍ଷେତ୍ରରେ ସଫଳ କରିବ ବୋଲି ଆଶାପ୍ରକାଶ କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ । ମନ୍ତ୍ରୀ ଶ୍ରୀ ସମୀର ଦାଶ କରିଥିଲେ ଯେ ଆଜି ସରକାରୀ ବିଦ୍ୟାଳୟ ପ୍ରତି ପିଲାଙ୍କ ଆକର୍ଷଣ ବୃଦ୍ଧି ପାଉଛି। ରାଜ୍ୟର ୮୧ ପ୍ରତିଶତ ପିଲା ସରକାରୀ ସ୍କୁଲରେ ପାଠ ପଢୁଛନ୍ତି ବୋଲି ସେ କହିଥିଲେ। କେବଳ ସେତିକି ନୁହେଁ, ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତାମୂଳକ ମନୋଭାବ ବୃଦ୍ଧି ପାଇଛି ବୋଲି ପ୍ରକାଶ କରି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ  ଭି.କେ. ପାଣ୍ଡିଆନ କହିଥିଲେ ଯେ ଆଗାମୀ ୬ ମାସ ମଧ୍ୟରେ ରାଜ୍ୟର ସବୁ ସ୍କୁଲକୁ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନଙ୍କ ଶିକ୍ଷାପାଇଁ ମୁଖ୍ୟମନ୍ତ୍ରୀ ଯେଉଁସବୁ ନିର୍ଦ୍ଦେଶ ଦେଉଛନ୍ତି, ସେଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲୋକାର୍ପିତ ହେଲା ଚନ୍ଦକା ଓ ବାଲିଅନ୍ତା ଅଞ୍ଚଳରେ ନୂତନ ଥାନାଗୃହ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ଅନ୍ତର୍ଗତ ଚନ୍ଦକା ଓ ବାଲିଅନ୍ତା ଅଞ୍ଚଳରେ ନୂତନ ଥାନାଗୃହର ଶୁଭ ଉଦଘାଟନ ହେବା ସହ ଲୋକାର୍ପିତ ହୋଇଛି। ଏହି ଉତ୍ସବରେ ରାଜ୍ୟ ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ଜୟଦେବ ବିଧାୟକ ଡଃ.ଅରବିନ୍ଦ ଢାଲି, ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓଡିଶା ପୁଲିସ ଗୃହ ନିର୍ମାଣ ବିଭାଗର ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିଶନର ଡଃ. ଉମାଶଙ୍କର ଦାଶ , ଭୁବନେଶ୍ଵର ଡିସିପି ପ୍ରତୀକ ସିଂହଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ନୂତନ ଥାନା ଗୃହ ମାନଙ୍କରେ କାଉନ୍ସେଲିଂ, ଶିଶୁ ଡ଼େସ୍କ, ୱେଟିଙ୍ଗ ଲବି, କନଫରେନ୍ସ ହଲ , ଜିମନାସିଅମ, ବାରାକ ଇତ୍ୟାଦି ସୁବିଧା ଥିବା ସହ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ନିମନ୍ତେ ସମସ୍ତ ସୁବିଧା ସୁଯୋଗର ବନ୍ଦୋବସ୍ତ କରାଯାଇଅଛି।

ପ୍ରକାଶଯୋଗ୍ୟ, ରାଜ୍ୟ ଯୋଜନା- ୨୦୧୯-୨୦ ଅନୁଯାୟୀ ରାଜ୍ୟ ପୁଲିସ ଗୃହ ନିର୍ମାଣ ସଂସ୍ଥା ଦ୍ବାରା ଚନ୍ଦକାର ନୂତନ ଥାନାର କାର୍ଯ୍ୟ ତା.୦୮.୦୬.୨୦୨୦ ରିଖ ଠାରୁ ଆରମ୍ଭ ହୋଇ ତା.୩୧.୦୫.୨୦୨୨ ରିଖରେ ଶେଷ ହୋଇଥିଲା। ସେହିପରି ବାଲିଅନ୍ତାରେ ନିର୍ମିତ ନୂତନ ଥାନାର କାର୍ଯ୍ୟ ତା.୨୫.୦୮.୨୦୨୦ ରିଖରୁ ଆରମ୍ଭ ହୋଇ ତା.୦୭.୦୭.୨୦୨୨ ରିଖରେ ଶେଷ ହୋଇଥିଲା। ଉଭୟ ଥାନାର ପରିସୀମା ୧୨୭୨୯ ବର୍ଗ ଫୁଟ  ଅଟେ।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଥାନାକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି ଖୋର୍ଦ୍ଧା ଜିଲ୍ଲାର ନୂତନ ଥାନା ‘ନାଚୁଣୀ ଥାନା’। ଏହାକୁ ଶ୍ରୀ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ନାଚୁଣୀ ଥାନା ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା, ଯେଉଁଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସନା ବେହେରା ଓ ବାଣପୁର ନଗରପାଳ ମିଟୁ ନାୟକ ଆଦି ଉପସ୍ଥିତ ଥିଲେ। ଉକ୍ତ ମଞ୍ଚକୁ ପରିଚାଳନା କରିଥିଲେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ।

ଅନୁରୂପ ଭାବେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଖୋର୍ଦ୍ଧା ଅତିରିକ୍ତ ଏସପି, ବାଣପୁର ଓ ଚିଲିକା ତହସିଲଦାର, ବାଣପୁର ଓ ଚିଲିକା ବିଡ଼ିଓ, ବାଣପୁର ବାଲୁଗାଁ ଓ ଟାଙ୍ଗୀ ଥାନାଧିକାରୀ, ବିଭିନ୍ନ ସରକାରୀ ବିଭାଗ ଅଧିକାରୀ ମାନେ, ବିଭିନ୍ନ ପଞ୍ଚାୟତ ସରପଞ୍ଚ ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଆଜି ଏକା ସଙ୍ଗେ ରାଜ୍ୟର ୨୩ ଜିଲ୍ଲାର ୩୦ ଗୋଟି ନୂତନ ଥାନାକୁ ଭିଡିଓ କନଫରେନସିଂ ଦ୍ୱାରା ଲୋକାର୍ପିତ କରିଥିଲେ।

ସୂଚନା ଥାଉ କି ପୁର୍ବରୁ ନାଚୁଣୀ ଫାଣ୍ଡି ବାଣପୁର ଥାନା ଅଧୀନରେ ଥିବା ବେଳେ ଆଜିଠାରୁ ଏହା ସ୍ୱତନ୍ତ୍ର ଥାନାର ମାନ୍ୟତା ପାଇଛି। ଏଠାରେ ନୂତନ ଆଇଆଇସି ଭାବେ ଚନ୍ଦ୍ରଶେଖର ଜେନା କାର୍ଯ୍ୟରେ ଯୋଗ ଦେଇଛନ୍ତି।

ନାଚୁଣୀ ଥାନା ଅଧୀନରେ ଗମ୍ଭାରୀମୁଣ୍ଡା ବିଟ ହାଉସ ରହିବା ସହ ବାଣପୁର ବ୍ଲକର ଛଅ ଗୋଟି ପଞ୍ଚାୟତ ଯଥା ନାଚୁଣୀ, ମୋରାମୋରି, ଗମ୍ଭାରୀମୁଣ୍ଡା, ଦେଓଗାଁ, ଆୟତ୍ତପୁର, କୁଲେଇ ଏବଂ ଚିଲିକା ବ୍ଲକର ଚାରି ଗୋଟି ପଞ୍ଚାୟତ ଯଥା କୁମାଣ୍ଡଳ ପାଟଣା, ହରିପୁର, ବଉଳାବନ୍ଧ ଏବଂ ନଈରୀ ଏହା ଅଧୀନରେ ରହିବ।

ଏହି ଥାନା ପାଇଁ ଜଣେ ମହିଳା ସବ ଇନ୍ସପେକ୍ଟର ସମେତ ଦୁଇ ଜଣ ସବ ଇନ୍ସପେକ୍ଟର, ଦୁଇ ଏଏସଆଇ ନିୟୋଜିତ ହୋଇଛନ୍ତି। ସାମୟିକ ଭାବେ ନାଚୁଣୀ ଥାନା ଅସ୍ଥାୟୀ ଭାବେ ଫାଣ୍ଡି ପରିସରରେ କାର୍ଯ୍ୟକ୍ଷମ ହେବ ଏବଂ ଫାଣ୍ଡି ପଛ ପାର୍ଶ୍ୱରେ ଉଭୟ ନାଚୁଣୀ ନୂତନ ଥାନା ଏବଂ ବାଲୁଗାଁ ଏସଡ଼ିପିଓଙ୍କ ନୂତନ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଅନୁଗୋଳରେ ଇଏସଆଇ ମେଡିକାଲ ଓ ଝାରସୁଗୁଡାରେ ଇଏସଆଇସି କାର୍ଯ୍ୟାଳୟ ଲୋକାର୍ପିତ

ଅନୁଗୋଳ/ଝାରସୁଗୁଡ଼ା: ଅନୁଗୋଳ ଜିଲ୍ଲା ବଳରାମପ୍ରସାଦରେ କର୍ମଚାରୀ ରାଜ୍ୟ ବୀମା (ଇଏସଆଇ) ଡ଼ାକ୍ତରଖାନା ଏବଂ ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରି ମୋଦି ସରକାର ଶ୍ରମିକ ଓ କର୍ମଚାରୀ ମାନଙ୍କୁ ରଜ ସଂକ୍ରାନ୍ତିର ଉପହାର ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲିଙ୍କ ସହ ଏହି ଦୁଇଟି ଜନକଲ୍ୟାଣକାରୀ କାମର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ଶ୍ରୀ ପ୍ରଧାନ ଇଆସଆଇ ହସ୍ପିଟାଲକୁ ପ୍ରତ୍ୟକ୍ଷ ଭାବେ ଲୋକାର୍ପଣ କରିବା ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଝାରସଗୁଡ଼ାରେ ଇଆସଆଇର ଉପଆଂଚଳିକ କାର୍ଯ୍ୟାଳୟର ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ କୋଇଲା ଉତ୍ପାଦନରେ ଭାରତବର୍ଷରେ ଅନୁଗୋଳ ଓ ଝାରସୁଗୁଡ଼ା ଅନ୍ୟତମ ଅଂଚଳ। ଏଠାରେ ଜିନ୍ଦଲ, ଟାଟା, ନାଲକୋ ଭଳି ଶିଳ୍ପାନୁଷ୍ଠାନ ସମେତ ଅନେକ ପାୱାର ପ୍ଲାଂଟ୍ ଅଛି। ଜିଲ୍ଲାରେ ରେଳ ବିଭାଗର କାର୍ଯ୍ୟ ସହ ଲଜିଷ୍ଟିକ ଓ ଅନ୍ସିଲାରୀ ଇଣ୍ଡଷ୍ଟ୍ରିର କାମ ବଢ଼ୁଥିବାରୁ ଶ୍ରମିକ ମାନଙ୍କ ଚାହିଦା ବୃଦ୍ଧି ପାଉଛି। ସେହି ଦୃଷ୍ଟିରୁ ବଳରାମପ୍ରସାଦ ଠାରେ ପାଖାପାଖି ୫ ଏକର ପରିମିତ ଜମିରେ ୬୫ କୋଟି ବ୍ୟୟରେ ନର୍ମିତ ଭାରତ ସରକାରଙ୍କ ଇଏସଆଇ ହସ୍ପିଟାଲ ଶ୍ରମିକ ମାନଙ୍କୁ ଚିକିତ୍ସା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଅନୁଗୋଳ ଓ ଝାରସୁଗୁଡ଼ା ଭଳି ଅଗ୍ରଣୀ ଶିଳ୍ପାଂଚଳରେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଓ କଲ୍ୟାଣକୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଇଏସଆଇ ଡ଼ାକ୍ତରଖାନା ଫଳରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ସହ ୩ ଲକ୍ଷ ଉପକୃତ ହେବେ। କୋଭିଡ ମହାମାରୀ ସମୟରେ ଏହି ହସ୍ପିଟାଲ ଲୋକଙ୍କ ଜୀବନ ବଂଚ।।ଇବା ସହ ସଞ୍ଜିବନୀର ବି କାମ ଦେଇଥିଲା।

ସେହିପରି ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ମୋଦି ସରକାରଙ୍କ ଅନ୍ୟ ଏକ ଭେଟି। ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲା ପାଖାପାଖି ୨ ଲକ୍ଷ ବୀମାଭୁକ୍ତଧାରୀ ଶ୍ରମିକ ଓ କର୍ମଚାରୀମାନେ ଲାଭ ପାଇବେ। ସେଥିମଧ୍ୟରୁ ଝାରସୁଗୁଡ଼ାରେ ବୀମାଭୃକ୍ତ ୫୪ ହଜାର ଲୋକ ଉପକୃତ ହୋଇପାରିବେ। ଉଲ୍ଲେଖନୀୟ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଏସଆଇସିର ଏହି ଉପଆଂଚଳିକ କାର୍ଯ୍ୟାଳୟ ପାଇଁ ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପତ୍ର ଲେଖିଥିଲେ।

ଏହାବ୍ୟତିତ ରାଜ୍ୟରେ ଆଗାମୀ ଦିନରେ ୩ଟି ନୂଆ ଇଏସଆଇ ହସ୍ପିଟାଲ ଓ ୧୨ଟି ଇଆସଆଇ ଡ଼ିସପେନସିଆରୀ ହେବ। ଭୁବନେଶ୍ୱରରେ ୧୫୦ ଶଯ୍ୟା ବିଶିଷ୍ଟ, ଯାଜପୁର ଜିଲ୍ଲା ଡ଼ୁବୁରି ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏବଂ ପାରାଦୀପରେ ୩୦ ଶଯ୍ୟା ବିଶିଷ୍ଟ ଇଆସଆଇ ହସ୍ପିଟାଲ ନିର୍ମାଣ କରାଯିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରମ ଶକ୍ତି ହେଉଛନ୍ତି ଓଡ଼ିଶା ଓ ଭାରତବର୍ଷର ଅର୍ଥନୀତି ପ୍ରଗତିର ଆଧାରଶୀଳା। ଶ୍ରମିକଙ୍କ ସେବା କଲେ ହିଁ ଦେଶର ଉତ୍ପାଦନ ବଢ଼ିବ। ଦେଶର ଉତ୍ପାଦନ ବଢ଼ିଲେ ଅର୍ଥନୀତି ମଜବୁତ୍ ହେବା ସହ ଗରିବଙ୍କ କଲ୍ୟାଣ ହେବ। ଏହି ମନ୍ତ୍ରରେ ମୋଦି ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଶ୍ରମିକ ମାନଙ୍କ ସର୍ବନିମ୍ନ ପାରିଶ୍ରମିକ ଅଧାରୁ ଅଧିକ ବୃଦ୍ଧି କରାଯାଇଛି। କୋଲ ଇଣ୍ଡିଆ ଦ୍ୱାରା ଶ୍ରମିକ ମାନଙ୍କୁ ବିଶେଷ ପାରିଶ୍ରମିକ ଦିଆଯାଉଛି। ଅପରପକ୍ଷରେ ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର ଭଳି ଖଣି ସମ୍ପନ୍ନ ଜିଲ୍ଲା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର (ଡ଼ିଏମଏଫ)ର ବ୍ୟବସ୍ଥା କରାଯାଇଛି। ଏହି ପାଣ୍ଠି ଅଧୀନରେ ଅନୁଗୋଳ ପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ରାଜସ୍ୱ ମିଳୁଛି।

ସରକାର ଲୋକଙ୍କ କଥା ଚିନ୍ତା କଲେ ତାକୁ କଲ୍ୟାଣକାରୀ ସରକାର କୁହାଯାଏ। ଓଡ଼ିଶା ସମେତ ଦେଶର ସଂଗଠିତ ଓ ଅସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷାରେ ଯୋଡ଼ିବା ସହ ଶ୍ରମିକଙ୍କ ଜୀବନକୁ ଦୃଢ଼ୀଭୂତ କରିବା ଦରକାର। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା, ଉଚିତ୍ ପାରିଶ୍ରମିକ ଦେବା ତଥା ଶ୍ରମିକଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଦିଗରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଇଆସଆଇ,ସବୁ ସରକାରୀ ଓ ବେସରକାରୀ ଶିଳ୍ପ ସମୂହଙ୍କ ମିଳିତ ସହଯୋଗ ଆବଶ୍ୟକ । ସେମାନଙ୍କ ସ୍ୱାସ୍ଥ୍ୟ ବୀମୀ ଓ ଜୀବନ ବୀମା କରିବା ଆବଶ୍ୟକ।

ଇ-ଶ୍ରମ ପୋର୍ଟାଲରେ ଶ୍ରମିକ ପଞ୍ଜିକରଣ କରାଯିବାରେ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ। ଦେଶରେ ୨୭ କୋଟି ଶ୍ରମିକ ଏବଂ ଓଡ଼ିଶାର ୧ କୋଟି ୨୭ ଲକ୍ଷ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି। ପରିବର୍ତିତ ଟେକ୍ନୋଲୋଜି ଦୃଶ୍ୟପଟ୍ଟରେ ଦେଶର ଅସଂଗଠିତ ଶ୍ରମିକ ମାନଙ୍କୁ କୁଶଳୀ କରିବାକୁ ମୋଦି ସରକାର ଦାୟିତ୍ୱ ନେଇଛନ୍ତି। ଶ୍ରମ ଶକ୍ତିକୁ ସଶକ୍ତ କରିବା ଦିଗରେ ଆମ ସମସ୍ତଙ୍କର ଭାଗିଦାରୀ ରହିବା ବି ଜରୁର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଏସଆଇ ଅନ୍ତର୍ଗତ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପରିବାର ବର୍ଗ, ଦିବ୍ୟାଙ୍ଗଙ୍କୁ ପେନସନ ଦରମା ସ୍ୱରପ ଚେକ୍ ପ୍ରଦାନ କରିଥିଲେ। ବିଶେଷ ଭାବରେ କୋଭିଡ୍‌-୧୯ ରିଲିଫ ଅନ୍ତର୍ଗତ କରୋନାରେ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ପରିବାର ବର୍ଗ ତଥା ପିଙ୍କି ଦେହୁରୀ, ଶିବାନୀ ସାହୁ, ପ୍ରତିମା ସାହୁଙ୍କୁ ଆର୍ôଥକ ସହାୟତା, ପେନସନ ଦରମାର ପ୍ରଦାନ କରିଥିଲେ । ଏହାସହ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ପେନସନ ପ୍ରଦାନ କରାଯାଇଥିଲା।

Categories
ବିଶେଷ ଖବର

ଆଜି ଗୋଟିଏ ଦିନରେ ୫ଟି ଜିଲ୍ଲାର ରେକର୍ଡ ୫୩୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି। ଆଜି ରାଜ୍ୟର ୫ଟି ଜିଲ୍ଲା – ଖୋର୍ଦ୍ଧା, ବୌଦ, ମାଲକାନଗିରି, ସୋନପୁର ଓ ମୟୁରଭଂଜର ରେକର୍ଡ ୫୩୨ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା। ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ। ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର।

ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା। ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି। ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି। ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମରେ ଉପସ୍ଥିତ ମନ୍ତ୍ରୀ ସୁଦାମ ମାରଣ୍ଡୀ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ରମେଶ ମାଝୀ ଓ ବିଧାୟକ ପ୍ରଦୀପ ଅମାତ ପ୍ରମୁଖ ଉଦବୋଧନ ଦେଇ ୫ଟି school transformation ପିଲାଙ୍କ ଭିତରେ କିପରି ଉତ୍ସାହ ସୃଷ୍ଟି କରିଛି ତା ଉପରେ ଆଲୋକପାତ କରିଥିଲେ .

ମୟୁରଭଞ୍ଜ ରୁ ପୁର୍ଣିମା., ସୋନପୁର ରୁ ମୌସୁମୀ ବୌଦ ରୁ ରାଜଶ୍ରୀ ମାଲକାନଗିରି ରୁ ହିତାକାଂକ୍ଷୀ ଓ ଖୁରଧା ରୁ ପର୍ଶୁରାମ ଆଦି ଛାତ୍ର ଛାତ୍ରୀ ମାନେ ସେମାନଙ୍କ ବକ୍ତବ୍ୟ ରେ
ସ୍କୁଲ transformation କିପରି ସେମାନଙ୍କ ମନରେ ଆଶା ଓ ବିଶ୍ୱାସ ଭରି ଦେଇଛି ତାହା ବର୍ଣନା କରିବା ସହିତ ସେମାନଙ୍କ ସ୍କୁଲ ଏବେ ଭୁବନେଶ୍ୱର ର ସ୍କୁଲ ମାନଙ୍କ ଠାରୁ କିଛି କମ ନୁହେଁ ବୋଲି ଆନନ୍ଦ ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ ଟି ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ ଆଜି ଗୋଟିଏ ଦିନରେ ପାଞ୍ଚ ଟି ଜିଲ୍ଲାର ରେକର୍ଡ ୫୩୨ ଟି ହାଇସ୍କୁଲ ଲୋକାର୍ପିତ ହେଲା।  ମୟୁରଭଞ୍ଜ ରେ ସର୍ବାଧିକ ୩୩୯ ଟି ସୋନପୁରରେ ୪୧ ଟି ବୌଦ୍ଧ ରେ ୨୪ ଟି ମାଲକାନଗିରି ରେ ୪୭ ଟି ଓ ଖୁରୁଧା ରେ ୮୧ ଟି ହାଇସ୍କୁଲ ଲୋକାର୍ପିତ ହେଲା। ଏହା ଜୁନ ଦଶ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ମହାନ୍ ବିପ୍ଲବୀ ନାଗଭୂଷଣଙ୍କ ରଚିତ ପୁସ୍ତକ ‘ବିପ୍ଲବର ପଥେ’ ଲୋକାର୍ପିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନାଗଭୂଷଣ ଭବନରେ ସିପିଆଇ (ଏମ୍‌.ଏଲ୍‌) ଲିବରେସନର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ମହାନ୍ ବିପ୍ଲବୀ ନାଗଭୂଷଣଙ୍କ ଚରିତ ପୁସ୍ତକ ‘ବିପ୍ଲବର ପଥେ’ର ଲୋକାର୍ପିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର ଉକ୍ତ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି।

ଏହି ପୁସ୍ତକକୁ ସମୀକ୍ଷା କରି ପ୍ରଫେସର ବିଜୟ ବହିଦାର କହିଛନ୍ତି ଯେ, ନାଗଭୂଷଣ ସମାଜର ପରିବର୍ତ୍ତନ ଲାଗି ଉକ୍ତ ପୁସ୍ତକରେ କୃଷକ, ଶ୍ରମିକ ଓ ବିଶେଷକରି ମହିଳା ସମାଜକୁ ଆହ୍ୱାନ ଦେଇଥିଲା ବେଳେ ଜାତିପ୍ରଥାକୁ ଉଚ୍ଛେଦ କରିବା ଲାଗି କହିଛନ୍ତି। ନାଗଭୂଷଣ କହିଥିଲେ ଯେ, ଲୋକମାନଙ୍କ ଆନ୍ଦୋଳନ ଫଳରେ ସମାଜରେ ପରିବର୍ତ୍ତନ ସମ୍ଭବ ହୋଇପାରିବ। ସ୍ୱାଧୀନତା ଆନ୍ଦୋଳନ ପୂର୍ବରୁ କୃଷକମାନଙ୍କ ଆନ୍ଦୋଳନ ସ୍ୱାଧିନତା ଆଣିବା ଲାଗି ପଥ ପରିଷ୍କାର ହୋଇଥିଲା ବୋଲି ନାଗଭୂଷଣ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ସ୍ୱାଧୀନତାର ୭୫ ବର୍ଷ ପରେ ସ୍ୱପ୍ନ ଓ ସଂକଳ୍ପ ଶୀର୍ଷକରେ ଆଲୋଚନା କରି ଦୀପଙ୍କର ଭଟ୍ଟଚାର୍ଯ୍ୟ କହିଲେ ଯେ, ନାଗଭୂଷଣ ଜଣେ ସର୍ବଭାରତୀୟ ନେତା ଥିଲେ ଓ ଭାରତବର୍ଷର କୃଷକ, ଦଳିତ, ଆଦିବାସୀ ଓ ବିଶେଷକରି ମହିଳାଙ୍କ ଲାଗି ତାଙ୍କର ସଂଗ୍ରାମ ଜାରି ରଖିଥିଲେ। ଆଜି ଭାରତବର୍ଷରେ ମଧ୍ୟ ଦଳିତ, ସଂଖ୍ୟାଲଘୁ, ମହିଳା, କୃଷକମାନଙ୍କ ଫାସିବାଦୀ ମୋଦି ସରକାରର ଆକ୍ରମଣ ବ୍ୟାପକ ଭାବେ ବଢିବାରେ ଲାଗିଛି। ଏହାକୁ ଯେ ବିରୋଧ କରୁଛି, ତାଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇ ଗିରଫ କରାଯାଉଛି। ଏବେ ଭାରତରେ କୃଷକମାନଙ୍କ ଦୀର୍ଘ ଏକବର୍ଷ ଧରି ଆନ୍ଦୋଳନ ଫଳରେ ଯେଉଁ ଐତିହାସିକ ବିଜୟ ହୋଇଛି, ଏହା ସ୍ପଷ୍ଟ କରିଛି ଯେ, ଭାରତରେ ବାମ, ଗଣତାନ୍ତ୍ରିକ ଶକ୍ତିର ଏକତା ଓ ବଡ଼ ଆନ୍ଦୋଳନର ଆବଶ୍ୟକତା ରହିଛି। ଏହା ଫଳରେ ଭାରତବର୍ଷର ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ।

ଏଥିରେ ପୂର୍ବତନ ବିଧାୟକ ତଥା ସିପିଆଇ(ଏମ୍‌.ଏଲ୍‌) ଲିବରେସନର କେନ୍ଦ୍ରୀୟ କମିଟି ସଭ୍ୟ ରାଧାକାନ୍ତ ସେଠି ସ୍ୱାଗତ ଭାଷଣ ଦେଇଥିବା ବେଳେ ସିପିଆଇ(ଏମ୍‌.ଏଲ୍‌) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ସଭାପତିତ୍ୱ କରିଥିଲେ। ଶେଷରେ ସିପିଆଇ(ଏମ୍‌.ଏଲ୍‌) ଲିବରେସନର ରାଜ୍ୟ କମିଟି ସଦସ୍ୟ ମହେନ୍ଦ୍ର ପରିଡ଼ା ଧନ୍ୟବାଦ ର୍ର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ସାଥୀ ତିରୁପତି ଗମାଙ୍ଗ, ଅଶୋକ ପ୍ରଧାନ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଲୋକାର୍ପଣ ଉତ୍ସବରେ ନାଗଭୂଷଣ ପଟ୍ଟନାୟକଙ୍କ ସହିତ କାର୍ଯ୍ୟ କରିଥିବା ଶରତ ତ୍ରିପାଠୀ, ଦିବାକର ବେଉରିଆଙ୍କୁ ସମ୍ମାନିତ କରାଯାଇଥିଲା। ଯୁବ ସାଥୀ ମଧୁସୂଦନ ସେଠୀ ସିପିଆଇ(ଏମ୍‌.ଏଲ୍‌) ଲିବରେସନରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସିପିଆଇ ନେତା ଦିବାକର ନାୟକ, ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ଛବି ମହାନ୍ତି ଓ ଫରୱାର୍ଡ଼ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ତାଙ୍କର ବକ୍ତବ୍ୟ ରଖିଥିଲେ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନଶୁଣାଣୀ ପୋର୍ଟାଲ ଏବଂ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ବିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରତିଷ୍ଠିତ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍‌ ପୋର୍ଟାଲ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମର ସମସ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ। ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନର ସହାୟତାରେ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। କୌଣସି ସରକାରୀ କାର୍ଯ୍ୟାଳୟକୁ ନ ଯାଇ ସରକାରଙ୍କ ଠାରୁ ସେବା ପାଇବାର ସ୍ବାଧୀନତା ଲୋକଙ୍କୁ ଦିଆଯାଇପାରିଛି। ଏହି ନୂତନ ପୋର୍ଟାଲ ଦ୍ବାରା ଲୋକମାନେ ବିଭିନ୍ନ ଡିଜିଟାଲ ପ୍ଲାଟ୍‌ଫର୍ମରେ ଅଭିଯୋଗ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍‌ନୋଲୋଜି ହେଉଛି ଆମର ମୁଖ୍ୟ ଆଧାର। ସରକାରଙ୍କ ବିଭିନ୍ନ ବିଭାଗ ନୂଆ ବୈଷୟିକ ଜ୍ଞାନ ଓ ଡିଜିଟାଲ ସେବା ଦ୍ବାରା ଲୋକଙ୍କୁ ବିନା କୌଣସି ଅସୁବିଧାରେ ସେବା ଯୋଗାଇ ଦେବା ପାଇଁ କାମ କରୁଛନ୍ତି।

Artificial Intellegence ଓ Machine Learning ଆଦି ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଏହି applicationରେ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗକୁ ପ୍ରଶଂସା କରିଥିଲେ। ଏହାଦ୍ବାରା ଜନସାଧାରଣ ସହଜରେ ଅଭିଯୋଗ ଦାଖଲ କରିବା ସହିତ ସରକାରଙ୍କ ବିଭାଗ ଗୁଡିକ ଅଭିଯୋଗର ତୁରନ୍ତ ପ୍ରତିକାର ପାଇଁ ପଦକ୍ଷେପ ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଏହି ନୂତନ ଜନଶୁଣାଣୀ ପୋର୍ଟାଲ ଜରିଆରେ ଜନସାଧାରଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନ୍‌ ଲାଇନ ଜରିଆରେ ଅଭିଯୋଗ ଦାଖଲ କରିପାରିବେ । ଏହା ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସହଜ, ସରଳ ଓ ସମୟୋପଯୋଗୀ କରିଛି। ଏଥିରେ ୱେବ୍‌ସାଇଟ୍‌, ମୋବାଇଲ ଆପ୍‌, ୱେବ ଚାଟବଟ (web chatbot), ହ୍ବାଟ୍‌ସଆପ, ଚିଠି ଏବଂ ଟୁଇଟର ଓ ଫେସ୍‌ବୁକ୍‌ ଆଦି ବିଭିନ୍ନ ସୋସିଆଲ ମେଡିଆ ହାଣ୍ଡଲ୍‌ ଜରିଆରେ ଅଭିଯୋଗ ଦାଖଲ ହୋଇପାରିବ। ଏହି ଏକୀକୃତ ପୋର୍ଟାଲରେ ଅଭିଯୋଗକାରୀ ତାଙ୍କ ଅଭିଯୋଗର ସ୍ଥିତି ବିଷୟରେ ମଧ୍ୟ ଜାଣିପାରିବେ । ଏହାବ୍ୟତୀତ ସେମାନଙ୍କୁ SMS ଓ whatsapp ଜରିଆରେ ମଧ୍ୟ ସେମାନଙ୍କୁ ଅଭିଯୋଗର ଅଗ୍ରଗତି ସଂପର୍କରେ ଜଣାଇ ଦିଆଯିବ।

ସେହିପରି ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍‌ ପୋର୍ଟାଲକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ଅନେକ ବିରଳ ପୁସ୍ତକ, ପାଣ୍ଡୁଲିପି, ଗେଜେଟ୍‌, ଡିକ୍‌ସିନାରୀ ଓ ପିଲାଙ୍କ ପାଇଁ ଲାଙ୍ଗୁଏଜ୍ ପ୍ରାଇମର ଆଦି ଓଡିଆ ସାହିତ୍ୟକୁ ଆହୁରି ଲୋକପ୍ରିୟ କରିବା ସହିତ ଦେଶ ବିଦେଶରେ ରହୁଥିବା ଓଡିଆ ମାନଙ୍କୁ ଓଡିଶା ସହ ଯୋଡି ରଖିବାରେ ସଫଳ ହେବ।

ସୂଚନାଯୋଗ୍ୟ ଯେ ଏହି ଓଡିଆ ଭର୍ଚୁଆଲ ଏକାଡେମୀ ୨୦୧୮ ମସିହା ଅକ୍ଟୋବର ୨୬ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା। ଏହି ତିନି ବର୍ଷ ମଧ୍ୟରେ ଏହା ସଫଳତାର ସହ କାର୍ଯ୍ୟ କରିବା ସହିତ ଏହାକୁ ଆହୁରି ଦକ୍ଷ ଓ ଲୋକାଭିମୁଖୀ କରିବା ପାଇଁ ଏହି ଅତ୍ୟାଧୁନିକ ୱେବ୍‌ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୭୦୦ ବିରଳ ପୁସ୍ତକକୁ ୟୁନିକୋଡ ଫର୍‌ମାଟରେ ଡିଜିଟାଇଜ କରାଯାଇ ୱେବ୍‌ପୋର୍ଟାଲରେ ରଖାଯାଇଛି। ଏହାସହିତ ଦଶ ହଜାର ପୁସ୍ତକର ପିଡିଏଫ ପ୍ରତିଲିପିକୁ ସଂରକ୍ଷିତ କରିବାର ପ୍ରକ୍ରିୟା ଜାରି ରହିଛି।

ଏଥିରେ ପଞ୍ଚଦଶ ଶତାଦ୍ଦୀରୁ ଆରମ୍ଭ କରି ଏକବିଂଶ ଶତାଦ୍ଦୀ ପର୍ଯ୍ୟନ୍ତ ବିଶିଷ୍ଟ କବି, କଥାକାର, ଭାଷାବିତ୍‌ ଓ ଗବେଷକ ମାନଙ୍କର ସର୍ବଶ୍ରେଷ୍ଠ କୃତୀକୁ ସ୍ଥାନୀତ କରାଯାଇଛି। ଓଡିଶା ଜନଜାତି ଶଦ୍ଦକୋଷ ଓ ଭାଷା ଶିକ୍ଷା ମଧ୍ୟ ସ୍ଥାନିତ ହୋଇଛି। ଏହାସହିତ ପ୍ରଶାସନିକ ଶଦ୍ଦକୋଷ, ପିଲାଙ୍କ ଶିକ୍ଷା ପାଇଁ ଆନିମେସନ ପଦ୍ଧତିରେ ଅଭିନବ ବର୍ଣ୍ଣବୋଧ, ଅଭିଭକ୍ତ ୧୩ଟି ଜିଲ୍ଲାର ରାଜପତ୍ର ମଧ୍ୟ ସ୍ଥାନୀତ ହୋଇଛି। ଅପ୍ରକାଶିତ, ବିଲୁପ୍ତପ୍ରାୟ ଦୁର୍ଲଭ ପୁସ୍ତକ ଓ ପାଞ୍ଜିଗୁଡିକୁ ୱେବ୍‌ସାଇଟ୍‌ରେ ସ୍ଥାନିତ କରି ଏହି ପୋର୍ଟାଲକୁ ଆହୁରି ସମୃଦ୍ଧ କରିବାପାଇଁ ପ୍ରୟାସ ଜାରି ରହିଛି।

ଏହି ଅବସରରେ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ ଜନଶୁଣାଣୀ ପୋର୍ଟାଲ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଏକ ପ୍ରମୁଖ ଉପଲବ୍‌ଧତା। ଏହା ଲୋକଙ୍କୁ ସୁବିଧାରେ ସେବା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ପୂରଣ କରିବ। ଭର୍ଚୁଆଲ ଏକାଡେମୀର ଏହି ନୂତନ ୱେବ୍‌ସାଇଟ ଓଡିଆ ଭାଷାକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇପାରିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ସଚିବ ମନୋଜ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ସଚିବ ଓ ଜିଲ୍ଲାପାଳ ପ୍ରମୁଖ
ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡଃ ଗୋପବନ୍ଧୁ ଦାଶଙ୍କ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଡଃ ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ ଡାଇନାମିକ ଅଫ ଇଣ୍ଡୋ ସାଉଥ ଆଫ୍ରିକାନ କୋଅପରେସନ ଇନ ଦ ଚେଞ୍ଜିଙ୍ଗ ୱାର୍ଲ୍ଡ ଆଜି ଲୋକାର୍ପିତ କରିଛନ୍ତି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଂପର୍କ ପ୍ରାଚୀନ ଓ ନିବିଡ। ଉପନିବେଶବାଦ ବିରୋଧରେ ଉଭୟ ଦେଶର ସଂଗ୍ରାମ ଉଭୟଙ୍କୁ ନିକଟତର କରିଛି। ମହାତ୍ମା, ମାଦିବା ଓ ଜାହାଜି ଭାଇ ମାନେ ଦୁଇ ଦେଶର ଭାବଗତ ସଂପର୍କର ନିଦର୍ଶନ ହୋଇଛି।

ମହାତ୍ମାଗାନ୍ଧୀଙ୍କ ରାଜନୈତିକ ଜୀବନର ମୂଳଦୁଆ ଦକ୍ଷିଣ ଆଫ୍ରିକାରୁ ହିଁ ପଡିଥିଲା। ବର୍ଣ୍ଣବୈଷମ୍ୟବାଦ ବିରୋଧରେ ସେଠାରେ ତାଙ୍କର ଅହିଂସ ସଂଗ୍ରାମ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ସଂଖ୍ୟା ଏବେ ମୋଟ ଲୋକସଂଖ୍ୟାର ୩ ପ୍ରତିଶତ।

ବର୍ଣ୍ଣବୈଷମ୍ୟବାଦର ଅବସାନ ପରେ ୧୯୯୪ ଠାରୁ ଉଭୟ ଦେଶ ନାମ, ଜି-୭୭ ଓ ବ୍ରିକ୍ସ ଆଦି ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକାଠି କାର୍ଯ୍ୟ କରି ସେମାନଙ୍କ ମଧ୍ୟରେ ଥିବା ଐତିହାସିକ ସଂପର୍କକୁ ସୁଦୃଢ କରିଛନ୍ତି। କୋଭିଡ଼ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଉଭୟ ରାଷ୍ଟ୍ର ଏକାଠି କାମ କରିଛନ୍ତି। ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ cosmopolitanism ଓ nativism ଉଭୟ ଦେଶ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ଡଃ ଦାଶ ତାଙ୍କ ପୁସ୍ତକରେ ମତବ୍ୟକ୍ତ କରିଛନ୍ତି। ଏହା ହିଁ ଆଗାମୀ ଦିନରେ ଭାରତ ଓ ଦକ୍ଷିଣ ଆଫ୍ରିକାର ସଂପର୍କକୁ ନୂଆ ସ୍ତରରେ ପହଞ୍ଚାଇବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ଛାତ୍ରଛାତ୍ରୀ: ଆମେ ଆଗକୁ ବଢିବୁ, ଆପଣଙ୍କ ସ୍ବପ୍ନ ସାକାର କରିବୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ଚତୁର୍ଥ ପର୍ଯ୍ୟାୟରେ ୫-ଟି କାର୍ଯ୍ୟକ୍ରମ ରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା–

(୧) ପଞ୍ଚାୟତ ହାଇସ୍କୁଲ, ଦୁରବନ୍ଧ ପଞ୍ଚାୟତ
(୨) ସରକାରୀ ହାଇସ୍କୁଲ, ସେରଗଡ ପଞ୍ଚାୟତ
(୩) ବୃନ୍ଦାବନ ସରକାରୀ ହାଇସ୍କୁଲ, ହିଞ୍ଜିଳିକାଟୁ ମ୍ୟୁନିସ୍‌ପାଲଟି
(୪) ରାମଚନ୍ଦ୍ରପୁର ହାଇସ୍କୁଲ, ନରେନ୍ଦ୍ରପୁର ପଞ୍ଚାୟତ
(୫) ୟୁ.ଏନ୍‌. ହାଇସ୍କୁଲ, ସିକ୍ରୀ ପଞ୍ଚାୟତ
(୬) ବି. ବ୍ରହ୍ମପୁର ହାଇସ୍କୁଲ, କୃଷ୍ଣଛାଇ ପଞ୍ଚାୟତ
(୭) ସରକାରୀ ୟୁ.ଜି. ହାଇସ୍କୁଲ, ବିକେପୁର, ପୁଟିଆପଦର ପଞ୍ଚାୟତ
(୮) ନରେନ୍ଦ୍ରପୁର ହାଇସ୍କୁଲ, ନରେନ୍ଦ୍ରପୁର ପଞ୍ଚାୟତ
(୯) ସରକାରୀ ୟୁ.ଜି. ହାଇସ୍କୁଲ, ନନ୍ଦିକା ପଞ୍ଚାୟତ
(୧୦) ପିତ୍ତଳ ବାଳକ ହାଇସ୍କୁଲ, ପିତ୍ତଳ ପଞ୍ଚାୟତ

ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ। ଆଜି ସୁଦ୍ଧା ୪୦ଟି ସ୍କୁଲ ଲୋକାର୍ପିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ହିଞ୍ଜିଳିର ଏ ସ୍କୁଲ ରୂପାନ୍ତର ପିଲାମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବ ଓ ସେମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିବ।। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଯୁଗ ପ୍ରତିଯୋଗିତାର ଯୁଗ।ଞାନର ଯୁଗ। ବର୍ତ୍ତମାନ ଯୁଗର ଆବଶ୍ୟକତା କୁ ଆଖି ଆଗରେ ରଖି ଆମେ ପିଲାଙ୍କୁ ସବୁଠାରୁ ଭଲ ସୁବିଧା ଦେବା ପାଇଁ ଚେଷ୍ଟା କରିଛୁ।

ହିଞ୍ଜିଳିରୁ ଆରମ୍ଭ ହୋଇଥିବା ଏ ପରିବର୍ତ୍ତନ, ଏ ରୂପାନ୍ତର ଓଡିଶାର ଭବିଷ୍ୟତକୁ ଉଜ୍ଜଳ କରିବ ଓ ଓଡିଶାର ପିଲାମାନଙ୍କୁ ଦେଶର ଶ୍ରେଷ୍ଠ ନାଗରିକ କରି ଗଢିତୋଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ।

ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଢିବାର ସମୟ। ପିଲାମାନଙ୍କର ଭବିଷ୍ୟତ ଭଲ ହେଲେ, ରାଜ୍ୟ ଓ ଦେଶର ଭବିଷ୍ୟତ ମଧ୍ୟ ଉଜ୍ଜଳ ହେବ। ତେଣୁ ସବୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ କଠୋର ପରିଶ୍ରମ କରନ୍ତୁ ଏବଂ ନିଜ ପାଇଁ ଓ ନିଜ ପରିବାର ପାଇଁ ସଫଳତା ଆଣନ୍ତୁ ବୋଲି ସେ କହିଥିଲେ। ପିଲା ମାନଙ୍କ ସଫଳତା ହିଁ ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର।

୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀଶ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ବିଧାୟକମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ। ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିବା ମନ୍ତ୍ରୀଶ୍ରୀ ପ୍ରେମାନନ୍ଦ ନାୟକ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ବିଧାୟକଗଣ, ସେମାନଙ୍କ ଭାଷଣରେ କେଵଳ ହିଞ୍ଜିଳିର ସ୍କୁଲ ନୁହେଁ ସମଗ୍ର ନିର୍ବାଚନ ମଣ୍ଡଳୀ ବିକାଶ ର ଅନନ୍ୟ ମଡେଲ ବୋଲି ମତ ଦେଇଥିଲେ।

ଆଗାମୀ ନଭେମ୍ବର ୧୪ ଶିଶୁ ଦିବସରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫-ଟି ଟ୍ରାନ୍ସଫର୍ମେସନରେ ରୂପାନ୍ତରିତ ହୋଇ ଥିବା ୧୦୭୦ ଲୋକାର୍ପିତ ହେବ ବୋଲି କାର୍ଯ୍ୟକ୍ରମ ପରିଚାଳନା କରି ୫-ଟି ସଚିବ ଭି କେ ପାଣ୍ଡିଆନ୍ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ସ୍ମୃତି, ଅଙ୍କିତା, ପୂଜା ରାଣୀ, ପ୍ରଞାଶ୍ରୀ ଅମ୍ବିକା ଆଶା, ଦୁର୍ଗା ମାଧବ ଆଦି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ସେମାନେ ଆଗକୁ ବଢି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବେ ଵୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ତୃତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ତୁମେମାନେ ବଡ ବଡ ସ୍ବପ୍ନ ଦେଖ । ତୁମ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ବପ୍ନକୁ ସାକାର କର। ତୁମର ସଫଳତା ଆମ ସମାଜର ଗୌରବ। ବିଦ୍ୟାଳୟର ଗୌରବ। ପରିବାରର ଗୌରବ। ତେଣୁ ତୁମ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ। ଆଜି ସୁଦ୍ଧା ୩୦ଟି ସ୍କୁଲ ଲୋକାର୍ପିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏ ରୂପାନ୍ତର ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବାରେ ପ୍ରୋତ୍ସାହିତ କରିବ। ପିଲାମାନଙ୍କ ଖୁସି ଓ ଉତ୍ସାହରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲଗୁଡିକର ଏହି ନୂଆ ସୁଯୋଗ ଓ ନୂଆ ପରିବେଶ ପିଲାମାନଙ୍କୁ ସ୍କୁଲକୁ ଆସିବାପାଇଁ ଓ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିପାରିଛି। ପିଲାମାନଙ୍କର ଏହି ଆଗ୍ରହ ହିଁ ସେମାନଙ୍କ ସଫଳତା ପାଇଁ ନୂଆ ରାସ୍ତା ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି –

(୧) ଗଣେଷ ବିଦ୍ୟାପୀଠ, ଗଣ୍ଡୋଳ ପଞ୍ଚାୟତ ।
(୨) କୃଷ୍ଣଛାଇ ହାଇସ୍କୁଲ, କୃଷ୍ଣଛାଇ ପଞ୍ଚାୟତ
(୩) ଅଲପୁର ହାଇସ୍କୁଲ, ରଲବା ପଞ୍ଚାୟତ
(୪) ପଞ୍ଚାୟତ ହାଇସ୍କୁଲ, ଅଲାରିଗଡା ପଞ୍ଚାୟତ
(୫) ସରକାରୀ ହାଇସ୍କୁଲ, କଞ୍ଚୁରେ ପଞ୍ଚାୟତ
(୬) ଧବଳପୁର ହାଇସ୍କୁଲ, ଧବଳପୁର ପଞ୍ଚାୟତ
(୭) ସମଲାଇ ବିଦ୍ୟାପୀଠ, ପୋଡିଙ୍ଗି, ବୁରୁପଡା ପଞ୍ଚାୟତ
(୮) ଗୋବିନ୍ଦପୁର ହାଇସ୍କୁଲ, ଗୋବିନ୍ଦପୁର ପଞ୍ଚାୟତ
(୯) କୁରୁଲା ସରକାରୀ ହାଇସ୍କୁଲ, କୁରୁଲା ପଞ୍ଚାୟତ
(୧୦) ସାରୁ ହାଇସ୍କୁଲ, ସାରୁ ପଞ୍ଚାୟତ

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ ସମୟ।
ତେଣୁ ଏହି ସମୟର ସଦୁପଯୋଗ କରି ନିଜ ପ୍ରତିଭାର ବିକାଶ ପାଇଁ ପିଲାମାନେ ଉଦ୍ୟମ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ।

ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ ଗୋଟିଏ ନିର୍ବାଚନ ମଣ୍ଡଳୀ ର ସମସ୍ତ ସରକାରୀ ବିଦ୍ୟାଳୟ ର ରୂପାନ୍ତରୀକରଣ ରେ ହିଞ୍ଜିଳି ସାରା ଦେଶରେ ପ୍ରଥମ। ୫-ଟି ସଚିବ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ନିକିତା, ସ୍ମୃତି ରାଣୀ, ଶିବାନୀ, ଅଞଳି, ଶାଶ୍ବତୀ ସମୀରଣ, ପୂର୍ଣ୍ଣଚନ୍ଦ୍ର ପ୍ରମୁଖ ଛାତ୍ରଛାତ୍ରୀ ରୂପାନ୍ତର କିପରି ପାଠ ପ୍ରତି ସେମାନଙ୍କ ଆଗ୍ରହ ଦ୍ବିଗୁଣିତ କରିଛି ତାହା ବର୍ଣ୍ଣନା କରିଥିଲେ।

ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀଶ୍ରୀ ବିକ୍ରମ କେଶରୀ ଆରୁଖ ଅରୁଣ ସାହୁ, ତୁଷାର କାନ୍ତି ବେହେରା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଏମ୍ ପି ପ୍ରମିଳା ବିଶୋଇ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ। ଗଞ୍ଜାମ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ଅକ୍ସିଜେନ୍ ବ୍ୟାଙ୍କ ଲୋକାର୍ପିତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ରେଢାଖୋଲ ଠାରେ ଏକ ଅକ୍ସିଜେନ୍ ବ୍ୟାଙ୍କ ଲୋକାର୍ପିତ ହୋଇଯାଇଛି। ସମ୍ବଲପୁରର ସମ୍ବଳ ଅନୁଷ୍ଠାନ ଓ ବ୍ରଜରାଜନଗରର ବାସୁ ଅନୁଷ୍ଠାନ ମିଳିତ ସହଯୋଗରେ ରେଢାଖୋଲ ସାମ୍ବାଦିକ ସଂଘକୁ ଲୋକମାନଙ୍କ ସେବାରେ ୫ଟି ସିଲିଣ୍ଡର, ୨ ଟି ଅକ୍ସିଜେନ୍ କନସେଂଟେର ଏବଂ ୧୦୦୦ ମାସ୍କ ଦିଆଯାଇଛି।

ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ରେଢାଖୋଲ ବିଧାୟକ ରୋହିତ ପୂଝାରୀ ମୁଖ୍ୟ ଅତିଥୀ ଭାବେ ଭିଡିଓ କନ୍‌ଫରେସନ୍ ମାଧ୍ୟମରେ ଶୁଭାରାମ୍ଭ କରିଥିଲେ। ରେଢାଖୋଲ ସାମ୍ବାଦିକ ସଂଘର ଏହି ମହତ୍ କାର୍ଯ୍ୟପାଇଁ ବିଧାୟକ ଭୁୟସୀ ପ୍ରଶଂସା କରିଥିଲେ।

ରେଢାଖୋଲ ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଏସ୍‌ଡିପିଓ ହାଡିବନ୍ଧି ସ୍ୱାଇଁ, ଏସ୍‌ଡିଏମ୍‌ଓ ଡ. ରାମକୃଷ୍ନ ପତି, ଏସ୍ ବିଆଇ ବ୍ୟାଙ୍କ ମ୍ୟାନେଜର ଗୋବିନ୍ଦ ଜେନା ଯୋଗଦେଇଥିବା ବେଳେ, ସମ୍ବଳ ଅନୁଷ୍ଠାନର ସଭ୍ୟ ରାମଦାସ ପଣ୍ଡା, ବାସୁ ଟ୍ରଷ୍ଟର ପ୍ରତ୍ୟୁଷ ପଣ୍ଡା, ଏନ୍‌ଏସି ପୂର୍ବ ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ରେଢାଖୋଲ ସାମ୍ବାଦିକ ସଂଘକୁ ଭୂୟସି ପ୍ରଶଂସା କରିଥିଲେ।

ସାମ୍ବାଦିକ ରବିନ୍ଦ୍ର ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ଶରତ ପ୍ରଧାନ, ଶଙ୍କର ପୃଷ୍ଟି, ସୁଶାନ୍ତ ନାଗ, ମମତା ପାତ୍ର, ଅନିଲ ପୃଷ୍ଟି, ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ଏହି ସେବା ରୋଗୀମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ବୋଲି ସଂଘର ସଭାପତି ରମାକାନ୍ତ ମହାନନ୍ଦ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

କବିସୂର୍ଯ୍ୟ ଜୀବନୀ ଆଧାରିତ ନାଟକ ଲୋକାର୍ପିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ସାହିତ୍ୟିକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୀବନୀ ଆଧାରିତ ପୁସ୍ତକ “ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ” ପ୍ରଥମାର୍ଦ୍ଧ ଏବଂ “ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ”ର ଶେଷାର୍ଦ୍ଧ କବିସୂର୍ଯ୍ୟ ଜୟନ୍ତୀରେ ଲୋକାର୍ପିତ ହୋଇଛି। ଏଇ ପୁସ୍ତକ ଦୁଇଟି ଓଡ଼ିଶା ସାହିତ୍ୟ ବିଭବ ପାଇଁ ଅମୂଲ୍ୟ ଉପହାର ଏବଂ ଆଗାମୀ ଦିନରେ କବିସୂର୍ଯ୍ୟ ନାଟକ, କଳା, ସାହିତ୍ୟ, ସଂସ୍କୃତି ବିକାଶରେ ଓଡ଼ିଶା ନାଟକ ମଂଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ସାହିତ୍ୟିକ ମାନେ ମତପ୍ରକାଶ କରିଥିଲେ।

ହାରା ଫାଉଣ୍ଡେସନ ନିବେଦିତ କବିସୂର୍ଯ୍ୟ ଜୟନ୍ତୀରେ ସୁଲେଖନୀ ଅମିତା ମିଶ୍ରଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ଡ. ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସଂଯୋଜନା ମଧ୍ୟରେ ପୁସ୍ତକ ଲୋକାର୍ପିତ ହୋଇଥିଲା। ପ୍ରଫେସର ପିସି ସାହୁ, ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ମେଜର ରମାରମଣ ପାଢ଼ୀ, ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ନାଟ୍ୟକାର ସୁବୋଧ ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, କେସି ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ଅଶୋକ ମିଶ୍ର, ରବି ରଥ ଅତିଥି ଭାବରେ ଯୋଗଦେଇଥିଲେ।

କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ କୃତିତ୍ୱ ସ୍ୱରୂପ ଏଇ ନାଟକ ଦ୍ୱୟ ଓଡ଼ିଶାର ସାହିତ୍ୟ ପାଇଁ ଆକାଙ୍‌କ୍ଷିତ ଉଦ୍ଦେଶ୍ୟ ପୂରଣରେ ସହାୟ ହେବ ବୋଲଇ କହିଥିଲେ । କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପୁସ୍ତକ ରଚୟିତା ନିଜ ବକ୍ତବ୍ୟରେ କହିଥିଲେ କବିସୂର୍ଯ୍ୟ ବଳଦେବ ସାହିତ୍ୟ କୃତ ବିନା ଓଡ଼ିଆ ଭାଷାର ସୁରୁଚିପୂର୍ଣ୍ଣ ଗୀତ ସମ୍ଭାର ପ୍ରତି ଓଡ଼ିଆ ଭାଷାପ୍ରେମୀମାନେ ଅଧିକନ୍ତୁ ଆକୃଷ୍ଟ ହେଲେ ମୋର ବହି ଲେଖିବାର ଶ୍ରମ ସାର୍ଥକ ହେବ। ପୁସ୍ତକ ଦ୍ୱୟର ପ୍ରକାଶକ କବିଙ୍କ ପୁତ୍ର ଦ୍ୱୟ ଇଂ. ମାନସ ରଂଜନ ତ୍ରିପାଠୀ, ଡା. ସାଗର ରଂଜନ ତ୍ରିପାଠୀଙ୍କ ଭଳି ସାହିତ୍ୟିକମାନେ ପ୍ରଶଂସା କରି ଅଭିନନ୍ଦନ ଜଣାଇଥିଲେ। ହାରା ଫାଉଣ୍ଡେସନ ସଂପାଦକ ଇଂ. ମାନସ ରଂଜନ ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ହାରା ଫାଉଣ୍ଡେସନ ସଂପାଦକ ମାନସ ରଂଜନ ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।

ପୁସ୍ତକ ଉନ୍ମୋଚନ ଉତ୍ସବର ମୁଖ୍ୟ ସଂଯୋଜକ ଡା. ସାଗର ରଂଜନ ତ୍ରିପାଠୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶୀ ସଂଗୀତ ଗୁରୁ ସନ୍ତୋଷ କୁମାର ବେହେରା ଏବଂ ତାଙ୍କର ଛାତ୍ରଛାତ୍ରୀ କବିସୂର୍ଯ୍ୟ ବଳଦେବଙ୍କ ରଚିତ ଚମ୍ପୁ ଜଣାଣ ପରିବେଷଣ କରିଥିଲେ। ଆଜିର ଏହି ଉତ୍ସବରେ ବ୍ରହ୍ମପୁର ତଥା ଗଂଜାମର ବହୁ ବରିଷ୍ଠ ସାହିତ୍ୟିକ, କବି, ଲେଖକ, ସାମ୍ବାଦିକଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ବାଣୀରୋଷନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

“ଆଖି ଯେଉଁ ଭାଷା କହେ” ଲୋକାର୍ପିତ

ବ୍ରହ୍ମପୁର: ଓଡ଼ିଶାର ଜଣେ ଯଶସ୍ୱୀ ଗାଳ୍ପିକ, ସ୍ତମ୍ଭକାର, ପ୍ରାବନ୍ଧିକ, ସାମ୍ବାଦିକ ଭାବରେ ତାଙ୍କର ଥିଲା ଅଜସ୍ର ସମ୍ମାନ। ଶ୍ରଦ୍ଧାର ପାତ୍ର ଥିଲେ ସାରା ଓଡ଼ିଶାର ସାହିତ୍ୟିକ ମହଲରେ। “ସମାଜ” ଦୈନିକ ଖବରକାଗଜର ସାମ୍ବାଦିକ ଭାବରେ ରାଉରକେଲା ସହରରେ ଥିଲେ ଜନପ୍ରିୟ। ସାପ୍ତାହିକୀରେ ପ୍ରକାଶ ପାଉଥିବା ତାଙ୍‌କର ପ୍ରବନ୍ଧ, ଆଲୋଚନା, ସ୍ତମ୍ଭ ଥିଲା ତାଙ୍କର ସ୍ୱତନ୍ତ୍ର ପରିଚୟ। କିଏ ଜାଣିଥିଲା ଏମିତି ଗୋଟିଏ ଶାଣିତ କଲମ ସ୍ୱର ନୀରବିଯିବ ଆକସ୍ମିକ, ହଁ ସଂଜୟ କୁମାର ରାଉଳ। ଆଧୁନିକ ଗଳ୍ପ ସାହିତ୍ୟର ଏକ ସ୍ୱର୍ଦ୍ଧିତ ଉଚ୍ଚାରଣ। ଆକସ୍ମିକ ଦୁର୍ଘଟଣାରେ ଦୁଇକନ୍ୟା ପତ୍ନୀ ସୁଜାତାଙ୍କୁ ଯୁବ ବୟସରେ ଛାଡ଼ି ଚାଲିଯାଇଥିଲେ। କିନ୍ତୁ ତାଙ୍କ ଗଳ୍ପ “ଆଖି ଯେଉଁ ଭାଷା କହେ” ସ୍ରଷ୍ଟା ଭାବରେ ସେ ଚିରଦିନ ଅମର ରହିବେ ସାହିତ୍ୟିକଙ୍କ ମନରେ।

ଆଜି ବ୍ରହ୍ମପୁର ସର୍କିଟ ହାଉସ୍ ସଭା କକ୍ଷରେ ସଂଜୟ କୁମାର ରାଉଳଙ୍କ ଆଖି ଯେଉଁ ଭାଷା କହେ ପୁସ୍ତକ ଉନ୍ମୋଚନ ପର୍ବ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ ଯୁବ ପ୍ରତିଭା ଡା. ସାଗର ରଂଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଂଜୟ ରାଉଳଙ୍କ ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ବହୁ ବରିଷ୍ଠ ସାହିତ୍ୟିକ, ଆଲୋଚକ, କବି, ସାମ୍ବାଦିକଙ୍କ ଉପସ୍ଥିତିରେ ମୁଖ୍ୟବକ୍ତା ଆଲୋଚକ ସାହିତ୍ୟିକ କେଦାର ମିଶ୍ର ଯୋଗଦେଇ ସଂଜୟ କୁମାର ରାଉଳଙ୍କ ସୃଷ୍ଟି ସମ୍ଭାର ସଂପର୍କରେ ଆଲୋଚନା କରିଛନ୍ତି। ତରୁଣ ସାହିତ୍ୟିକ ପୀଢ଼ିଙ୍କ ପାଇଁ ସଂଜୟ ରାଉଳଙ୍କ ଗଳ୍ପଗୁଡ଼ିକ ପ୍ରେରଣାପୂର୍ଣ୍ଣ। ଜୀବନଧର୍ମୀ ସାହିତ୍ୟ ସର୍ଜନାରେ ସଂଜୟ ରାଉଳଙ୍କ ପରି ପ୍ରତିଭାବାନ ଗାଳ୍ପିକ ଜନ୍ମ ହୁଅନ୍ତି କିନ୍ତୁ ନିୟତିର ବିଚାର ନିଷ୍ଠୁର କରିଦିଏ ହୋଇଯାଏ ଅକାଳରେ।

ପ୍ରଫେସର ସନ୍ତୋଷ କୁମାର ଦାଶ, ସାହିତ୍ୟିକ ସୁଶାନ୍ତ କୁମାର ଦାସ, ବରିଷ୍ଠ ସାମ୍ବାଦିକ ସାହିତ୍ୟିକ ପ୍ରକାଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ, ଗାଳ୍ପିକ, ସ୍ତମ୍ଭକାର ଭରତ ମାଝୀ ପ୍ରମୁଖ ସଂଜୟ ରାଉଳଙ୍‌କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ଜୀବନଧର୍ମୀ ବାସ୍ତବଧର୍ମୀ ଗଳ୍ପଗୁଡ଼ିକର ଆଲୋଚନା କରିଥିଲେ। ଲୋକସେବକ ମଣ୍ଡଳ ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ଆଇନଜୀବୀ ସମାଜସେବୀ ଲଳିତ ମଙ୍ଗରାଜ, ରାଜ୍ୟ ବିଜେଡ଼ି ସଂପାଦିକା ସଂଘମିତ୍ରା ଦଳେଇ, ରାଜ୍ୟ ଖଦୀ ବୋର୍ଡ଼ ସଦସ୍ୟ ପୃଥିବୀରାଜ ସାହୁ ସଂଜୟ ରାଉଳଙ୍କ କୃତି ଓ କୀର୍ତ୍ତି ତାଙ୍କୁ ଚିର ଅମର କରି ରଖିବ ବୋଲି କହିଥିଲେ। ମୁଖ୍ୟଅତିଥି ଭାବରେ ଯୋଗଦେଇ ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ପରିଷଦର ଉପସଚିବ ଡ. କୁଳମଣି ଓଝା ଆଖି ଯେଉଁ ଭାଷା କହେ ଗଳ୍ପର ଭାବାଧାରରେ ସାଧାରଣ ଜନଜୀବନର ଘଟଣାଗୁଡ଼ିକ ପ୍ରତିଫଳିତ।

ସେପରି ଗଳ୍ପିକ ବଂଚି ରହିଥିଲେ ଓଡ଼ିଶାର ଗଳ୍ପ ଭଣ୍ଡାରରେ ଏକ ସମୃଦ୍ଧ ଉର୍ବର କ୍ଷେତ୍ର ପ୍ରସ୍ତୁତ ହୋଇପାରିଥାନ୍ତା ବୋଲି କହିଥିଲେ। ଡା. ସାଗର ରଂଜନ ତ୍ରିପାଠୀଙ୍କ ସଭାପତିତ୍ୱ ଅଭିଭାଷଣରେ କହିଥିଲେ ଯେ ଆଧୁନିକ ଗଳ୍ପ ସାହିତ୍ୟର ସ୍ତର୍ଦ୍ଧିତ ଉଚ୍ଚାରଣ ଥିଲେ ସଂଜୟ ରାଉଳ। ଦୈନନ୍ଦିନ ଜୀବନରେ ଯାହା ଦେଖି ଅନୁଭବ କରି ଲେଖନୀ ସହ ସଂପର୍କ ଯୋଡ଼ି ଗଳ୍ପ ରୂପ ଦେଇ ଯେଉଁ ସବୁ ସୃଷ୍ଟି କରିଛନ୍ତି ଏହା ତାଙ୍କର ସାହିତ୍ୟି କ୍ଷେତ୍ରରେ ଉତ୍କର୍ଷତାର ପ୍ରମାଣ। ଆଜିର ଉନ୍ମୋଚନ ପର୍ବରେ ସଂଜୟ ରାଉଳଙ୍କ ପତ୍ନୀ ସୁଜାତା ରାଉଳ, ଦକ୍ଷିଣ ଓଡ଼ିଶା ସୂର୍ଯ୍ୟପ୍ରଭା ଖବରକାଗଜର ମୁଖ୍ୟ ହେମାଙ୍ଗ ପ୍ରସାଦ ରାଉଳ, ସ୍ୱର୍ଗତ ରାଉଳଙ୍କ ଦୁଇ ଝିଅ ଅନ୍ୱେଷା, ଅପ୍ରମିତା, ବଡ଼ଭାଉଜ ମନୋଜା ରାଉଳ ଏବଂ ବନ୍ଧୁ, ପରିଜନଙ୍କ ସମେତ ବ୍ରହ୍ମପୁର ତଥା ଗଂଜାମ ଜିଲ୍ଲାର ବହୁ ବରିଷ୍ଠ କବି, ଲେଖକ, ସାହିତ୍ୟିକ, ସାମ୍ବାଦିକ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହେଲା କଟକ-ପୁରୀ ବାଇପାସ୍‌ ରୋଡରେ ଏଲଇଡି ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି। ଏହି ଆଲୋକୀକରଣ ବ୍ୟବସ୍ଥା ବାଇପାସ୍‌ ରୋଡର ପଳାଶୁଣୀ ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ ଆଲୋକୀକରଣ କାର୍ଯ୍ୟକାରୀ କରାଯାଇଛି।

ଏହାଦ୍ବାରା ବିଦ୍ୟୁତ ଶକ୍ତି ଖର୍ଚ୍ଚ କମିବା ସହିତ ଜନସାଧାରଣ ବିଶେଷକରି ଗାଡିଚାଳକ ଓ ପଥଚାରୀ ମାନଙ୍କ ଯାତାୟତ ଅଧିକ ନିରାପଦ ହେବ ଏବଂ ଉତ୍ତମ ଆଲୋକୀକରଣ ବ୍ୟବସ୍ଥା ଦ୍ବାରା ସଡକ ଦୁର୍ଘଟଣା କମିବା ସହିତ ଚୋରୀ ଓ ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଥିରେ ୩୮୭ଟି ଖୁଣ୍ଟିରେ ୧୨୦ ୱାଟ ବିଶିଷ୍ଟ ୭୭୪ଟି ଏଲ୍‌ଇଡି ଲାଇଟ ଲଗାଯାଇଛି ଏବଂ ଲିଙ୍ଗିପୁର, କେଶୁରା ଓ ପାଣ୍ଡରା ଠାରେ ୩ଟି ହାଇମାଷ୍ଟ ଲାଇଟ ଲଗାଯାଇଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୮୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଭୁବନେଶ୍ବର ମହାନଗର ଅଞ୍ଚଳ ମଧ୍ୟରେ ନିଗମ ପକ୍ଷରୁ ଉଜ୍ଜଳ ଆଲୋକୀକରଣ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ୪୦ ହଜାରରୁ ଅଧିକ ଲାଇଟ ଲଗାଯାଇଛି। ଖୁବ୍‌ଶୀଘ୍ର ଅଧିକ ଆଲୋକୀକରଣ ପାଇଁ ଆଉ ୬.୭ କୋଟି ଟଙ୍କା ବିନିଯୋଗ କରାଯିବ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବି‌ଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ବରର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ମ୍ୟୁନିସପାଲ ଆଡମିନିଷ୍ଟ୍ରେସନର ନିର୍ଦ୍ଦେଶକ  ସଂଗ୍ରାମଜିତ ନାୟକ ସ୍ବାଗତ ଭାଷଣ ଦେଇଥିଲେ ଏବଂ ମହାନଗର ନିଗମର କମିଶନର  ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।