ନିର୍ବାଚନ କମିଶନ ଏବଂ ଆୟକର ବିଭାଗ ସହିତ ମୋଦିଙ୍କ ଭିତିରିଆ ବୁଝାମଣା : କାନିମୋଝି

Published: Apr 17, 2019, 11:05 am IST
kanimozhi critisized to pm modi on it issue

ଆୟକର ବିଭାଗ ଏବଂ ନିର୍ବାଚନ କମିଶନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁପ୍ତ ରାଜିନାମା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଡିଏମ୍‌କେ ପ୍ରାର୍ଥୀ କାନିମୋଝି। ନିଜ ଘରେ ଆୟକର ବିଭାଗର ଚଢାଉ ପରେ ଏହି ଅଭିଯୋଗ ଆଣିଛନ୍ତି ତୁଥୁକୁଡିରୁ ଡିଏମ୍‌କେର ଏହି ସାଂସଦ ପ୍ରାର୍ଥୀ। ମୋଦି ନିର୍ବାଚନ କମିଶନ ଏବଂ ଆୟକର ବିଭାଗକୁ ମନ ମୁତାବକ ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ସହିତ କେବଳ ବିପକ୍ଷରେ ଥିବା ନେତାଙ୍କ ଘରେ ଚଢାଉ କରୁଛନ୍ତି। ମଙ୍ଗଳବାର ରାତିରେ ଆୟକର ବିଭାଗ ଅଧିକାରୀଙ୍କ ଚଢାଉରୁ କିଛି ତଥ୍ୟ ମିଳିନଥିବା ବେଳେ ବିପକ୍ଷରେ ରହିଥିବାରୁ ଏପରି ରାଜନୈତିକ ଆକ୍ରମଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି କାନିମୋଝି। ଆୟକର ବିଭାଗ ଅଧିକାରୀଙ୍କ ନିକଟରେ ସର୍ଚ୍ଚ ଓ୍ବାରେଣ୍ଟ ନଥିଲା ବୋଲି ମଧ୍ୟ କାନିମୋଝି ଅଭିଯୋଗ କରିଛନ୍ତି। ପ୍ରାୟ ୨ ଘଣ୍ଟା ଧରି ଆୟକର ବିଭାଗ ଅଧିକାରୀ ମାନେ ଖୋଜିବା ଜାରି ରଖିଥିଲେ ମଧ୍ୟ କିଛି ନପାଇ ଫେରି ଯାଇଥିଲେ ବୋଲି ସୂଚନା ଦେଇଛନ୍ତି ଡିଏମ୍‌କେ ମହିଳା ମୋର୍ଚ୍ଚା ମୁଖ୍ୟ। ଏହି ଚଢାଉକୁ ଅଗଣତାନ୍ତ୍ରିକ ବୋଲି ଅଭିହିତ କରିବା ସହିତ ଶାସକ ଦଳ ପରାଜୟ ଭୟରେ ଏପରି କାମ କରୁଛି ବୋଲି କହିଛନ୍ତି କାନିମୋଝି। ବିଜେପି ସାଂସଦ ପ୍ରାର୍ଥୀ ତାମିଲସାଇ ସୌନ୍ଦରାଜନଙ୍କ ଘରେ କୋଟି କୋଟି ଟଙ୍କା ଲୁଚାଇ ରଖାଯାଇଥିବା ବେଳେ ଆୟକର ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି କାନିମୋଝି।

Related posts