ରେଢାଖୋଲ: ହାତୀ ଆକ୍ରମଣରେ କକା, ପୁତୁରା ମୃତ

Published: Oct 15, 2021, 10:57 am IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ହାତୀ ମଣିଷ ମଧ୍ୟରେ ଲଢେଇ ଦିନକୁ ଦିନ ବଢିବାରେ ଲାଗିଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ମଣିଷ ହାତୀକୁ ମାରୁଥିବା ନିତ୍ୟନୈମିତିକ ଘଟଣା ହୋଇଗଲାଣି। ବନ ବିଭାଗ ସେତେଟା ଆଖିଦୃଷ୍ଟିଆ ହାତୀ ପ୍ରତି ପଦେକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ଗତକାଲି ରେଢାଖୋଲ ଡିମିରିକୁଦା ଗ୍ରାମରେ ହାତୀ ଆକ୍ରମଣରେ କକା ଓ ପୁତୁରାର ଅକାଳ ବିୟୋଗ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ଖୋଲଗଡ ସଂରକ୍ଷିତ ଜଙ୍ଗଲର ଡିମିରିକୁଦା ଗ୍ରାମ ନିକଟରେ ଅପରାହ୍ନ ୪ ଟାରେ କକା ,ପୁତୁରାକୁ ରାସ୍ତାରେ ବୁଲାଉଥିବା ବେଳେ ଏକ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ। ପଳାଇବାକୁ ଚେଷ୍ଟା କରି ମଧ୍ୟ ହାତୀଟି ସେମାନଙ୍କୁ ରାସ୍ତା ଉପରୁ ଟାଣି ନେଇ ଅତି ବିଭତ୍ସ ଭାବେ ମାରି ଦେଇଥିଲା। କକା ଦୁଃଶାସନ ଭୋଇ(୨୭) ଓ ପୁତୁରା ରତିକ ଭୋଇ (୫ବର୍ଷ) ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଗତକାଲି ସଂଧ୍ୟାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲେ ମଧ୍ୟ ସେମାନେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ କେହି ବି ଜାଣି ପାରି ନ ଥିଲେ। ସେମାନଙ୍କ ସାଇକେଲକୁ ହାତୀଟି ଭାଙ୍ଗି ଦେଇଛି। ସଂଧ୍ୟା ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ହାତୀ ଭୟରେ ମଧ୍ୟ ଜଙ୍ଗଲକୁ ଯାଇ ଖୋଜି ପାରି ନ ଥିଲେ ପରିବାର ଲୋକେ। କାହିଁକି ନା କିଛି ଦିନ ହେଲା ଏକ ଦନ୍ତା ହାତୀ ଅଂଚଳରେ ଆତଙ୍କ ଚଳାଇ ଆସୁଥିଲା।

ଆଜି ସକାଳୁ ସକାଳୁ ସେମାନଙ୍କ ସାଇକେଲ ପଡିଥିବା ଗାଁ ଲୋକେ ଦେଖିବାକୁ ପାଇ ସେମାନଙ୍କୁ ଖୋଜି ପାଇ ଥିଲେ। ରାସ୍ତାରୁ ମାତ୍ର ୧୦୦ ମିଟର ଦୁରରେ ହିଁ ସେମାନଙ୍କ ଶବ ପଡିଥିଲା। ହାତୀ ଟି ସେମାନଙ୍କୁ ମାରି ପକାଇ ଟାଣି ନେଇଥିବା ଅନୁମାନ କରାଯାଉଛି। ସଙ୍ଗେ ସଙ୍ଗେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗର ରେଞଅଧିକାରୀ, ଫରେଷ୍ଟର ଘଟଣା ସ୍ଥଳକୁ ଯାଇଥିଲେ। ବନବିଭାଗ ଦତନ୍ତ ଚଳାଇଥିବା ଜଣା ପଡିଛି। ପରିବାର ଲୋକଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ସହାୟତା ଦିଆଯିବ ବୋଲି ବନବିଭାଗ ପ୍ରକାଶ କରିଛି।

ଦିନକୁ ଦିନ ଅଂଚଳରେ ହାତୀ ଜନିତ ମୃତ୍ୟୁ ସଂଖ୍ୟା ବଢୁଥିଲେ ମଧ୍ୟ ସେଇ ମଣିଷ ମରା ହାତୀଟିକୁ ଟ୍ରାଙ୍କୁଲାଇଜର୍ ଦେଇ ତାକୁ ଅନ୍ୟତ୍ର ନେବାରେ ବନବିଭାଗ ବିଫଳ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଦୁଇ ଦିନ ହେଲା ସେଇ ହାତୀଟି ଜାତୀୟ ରାଜ ପଥ ଉପରେ ଆତଙ୍କ ଚଳାଇଥଲେ ମଧ୍ୟ ବନବିଭାଗ ଟ୍ରାଙ୍କୁଲାଇଜର୍ ଦେଇ ପାରି ନ ଥିଲା। ବହୁ ସମୟ ଧରି ରାସ୍ତା ଉପରେ ରହିଯାଉଥିଲା ହାତୀଟି। ଯା ଫଳରେ ଗାଡି ଚଳାଚଳ ବାଧା ପ୍ରାପ୍ତ ହେଉଥଲା। ରାସ୍ତାରେ ଯିବାକୁ ମଧ୍ୟ ଲୋକମାନେ ନିରାପଦ ମଣୁ ନାହାନ୍ତି। ବନବିଭାଗ ତୁରନ୍ତ ସେଇ ହାତୀଟିକୁ ଅଂଚଳରୁ ଘଉଡାଇବାକୁ ଦାବୀ କରିଛନ୍ତି ଗ୍ରାମବାସୀ।

Related posts