Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା
ଆଜିର ଖବର

ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା

October 17, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ମାତ୍ର ଦୁଇ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସର୍ବାଗ୍ରେ ରହିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ପୋର୍ଟାଲରେ ଓଡ଼ିଶାର ୮୮ ଲକ୍ଷ ୩୫ ହଜାର ୫୭୨ ଜଣ ଶ୍ରମିକ ପଞ୍ଜୀକରଣ କରିଛନ୍ତି। ଟୁଇଟ୍ ଯୋଗେ ଏହି ସୂଚନା ଦେଇ ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ଯେ, ଏହି ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସହଜରେ ସରକାରୀ ଯୋଜନାଗୁଡ଼ିକର ଲାଭ ପାଇପାରିବେ।

ନିର୍ମାଣ, ବସ୍ତ୍ର ଉତ୍ପାଦନ, ମତ୍ସ୍ୟଚାଷ, ଗିଗ୍ ଓ ପ୍ଲାଟଫର୍ମ କାମ, ଉଠାଦୋକାନୀ, ଘରୋଇ କର୍ମଜୀବୀ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର, ପରିବହନ କ୍ଷେତ୍ର ଆଦି ବିଭିନ୍ନ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ କେତେକ କ୍ଷେତ୍ରରେ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ନିୟୋଜିତ ଅଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମେତ ଅସଂଗଠିତ କ୍ଷେତ୍ରର ସମସ୍ତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିବା ଜରିଆରେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଏବଂ ନିଯୁକ୍ତି ଆଧାରିତ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବେ।

ସଦ୍ୟତମ ତଥ୍ୟ ଅନୁଯାୟୀ, ୪.୦୯ କୋଟି ଶ୍ରମିକ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ ୫୦.୦୨ ପ୍ରତିଶତ ହିତାଧିକାରୀ ମହିଳା ଏବଂ ୪୯.୯୮ ପ୍ରତିଶତ ହିତାଧିକାରୀ ପୁରୁଷ। ପ୍ରାୟତଃ ସମାନ ସଂଖ୍ୟକ ପୁରୁଷ ଏବଂ ମହିଳାମାନେ ଏହି ଅଭିଯାନର ଅଂଶବିଶେଷ ହେବା ବିଶେଷ ଉତ୍ସାହଜନକ। ଲିଙ୍ଗ ଅନୁପାତରେ ସାପ୍ତାହିକ ପଞ୍ଜୀକରଣ ବୃଦ୍ଧି ପରିଲକ୍ଷିତ ହୋଇଛି। ପୁରୁଷ ଓ ମହିଳା ଶ୍ରମିକମାନେ ତୁଳନାତ୍ମକ ଭାବେ ପଞ୍ଜୀକରଣ କରୁଛନ୍ତି, ଯାହାକି ନିମ୍ନ ଗ୍ରାଫରେ ପ୍ରଦର୍ଶିତ କରାଯାଇଛି।

ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ପୋର୍ଟାଲରେ ଶ୍ରମିକ ପଞ୍ଜୀକରଣ କରିବାରେ ଓଡ଼ିଶା ସବୁଠୁ ଆଗରେ ରହିଥିବା ବେଳେ ଏହାପଛକୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ରହିଛନ୍ତି। ନିମ୍ନ ଗ୍ରାଫରେ ଏହାର ତଥ୍ୟ ପ୍ରଦାନ କରାଯାଇଛି। ତେବେ ଛୋଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେ ମଧ୍ୟ ଶ୍ରମିକ ପଞ୍ଜୀକରଣ ସଂଖ୍ୟା ଉତ୍ସାହଜନକ ରହିଛି।

କୃଷି ଏବଂ ନିର୍ମାଣ ଶ୍ରମିକ କ୍ଷେତ୍ରର ସର୍ବାଧିକ ସଂଖ୍ୟକ ଶ୍ରମିକ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଭାରତରେ ଏହି ଦୁଇଟି କ୍ଷେତ୍ରରେ ସର୍ବାଧିକ ସଂଖ୍ୟକ ଲୋକମାନଙ୍କୁ ନିଯୁକ୍ତି ମିଳିଥାଏ। ଏହାଛଡ଼ା ଘରୋଇ ଏବଂ ପାରିବାରିକ ଶ୍ରମିକ, ବସ୍ତ୍ର ଉତ୍ପାଦନ କ୍ଷେତ୍ରର ଶ୍ରମିକ, ଅଟୋମୋବାଇଲ ଏବଂ ସାମଗ୍ରୀ ପରିବହନ ଶ୍ରମିକ, ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେର ଶ୍ରମିକ, କ୍ୟାପିଟାଲ ସାମଗ୍ରୀ, ଶିକ୍ଷା, ସ୍ବାସ୍ଥ୍ୟ, ଖୁଚୁରା ବ୍ୟବସାୟ, ପର୍ଯ୍ୟଟନ ଓ ଆତିଥେୟ, ଖାଦ୍ୟ ଉଦ୍ୟୋଗ ଏବଂ ଅହୁରି ବିଭିନ୍ନ ପେସା ଏବଂ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି।

ପଞ୍ଜୀକରଣ କରିଥିବା ୬୫.୬୮ ପ୍ରତିଶତ ଶ୍ରମିକଙ୍କ ବୟସ ୧୬ରୁ ୪୦ ବର୍ଷ ମଧ୍ୟରେ ଏବଂ ୩୪.୩୨ ପ୍ରତିଶତ ଶ୍ରମିକଙ୍କ ବୟସ ୪୦ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ରହିଛି।  ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ସାଧାରଣ ବର୍ଗରୁ ଯଥାକ୍ରମେ ୪୩ ଏବଂ ୨୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗରୁ ଯଥାକ୍ରମେ ୨୩ ଏବଂ ୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି।

ଉପରୋକ୍ତ ଗ୍ରାଫରେ ଦିଆଯାଇଥିବା ତଥ୍ୟରେ ଦର୍ଶାଯାଇଛି ଯେ ଜନସେବା କେନ୍ଦ୍ର (ସିଏସସି) ମାଧ୍ୟମରେ ଅଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିଛନ୍ତି। କେରଳ, ଗୋଆ ଏବଂ କେତେକ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସମେତ ଦାଦ୍ରା ଓ ନଗର ହାଭେଳୀ, ଆଣ୍ଡାମାନ ଓ ନିକୋବାର ଏବଂ ଲଦାଖ ଭଳି କେନ୍ଦ୍ର ଶାସିତ ପ୍ରଦେଶରେ ବହୁସଂଖ୍ୟକ ଶ୍ରମିକ ବ୍ୟକ୍ତିଗତ ଭାବେ ପଞ୍ଜୀକରଣ କରିଥିବା ଦେଖାଯାଇଛି। ପ୍ରତି ସପ୍ତାହରେ ସିଏସସି ମାଧ୍ୟମରେ ଶ୍ରମିକ ପଞ୍ଜୀକରଣ ବୃଦ୍ଧି ପାଉଛି।

ଉଲ୍ଲେଖନୀୟ କଥା ହେଉଛି ଜନସେବା କେନ୍ଦ୍ର ଜରିଆରେ ସର୍ବାଧିକ ୭୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି। କମ ସୁବିଧା ଥିବା ଅଞ୍ଚଳରେ ଜନସେବା କେନ୍ଦ୍ରଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଏଥିରୁ ପ୍ରମାଣିତ ହେଉଛି। ସେଥିପାଇଁ ଜନସେବା କେନ୍ଦ୍ରଗୁଡ଼ିକ ଜରିଆରେ ଶ୍ରମିକମାନେ ଅଧିକରୁ ଅଧିକ ସଂଖ୍ୟାରେ ଆସି ପଞ୍ଜୀକରଣ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି। ଏହାଦ୍ବାରା ଉପାନ୍ତ ଅଞ୍ଚଳରେ ଥିବା ଶ୍ରମିକମାନେ ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବେ।

ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ବର ତେଲି, ମନ୍ତ୍ରଣାଳୟ ସଚିବ ଶ୍ରୀ ସୁନୀଲ ବର୍ଥଓ୍ବାଲଙ୍କ ସମେତ କେନ୍ଦ୍ରୀୟ ଶ୍ରମ ଆୟୋଗ, ଏବଂ ଅନ୍ୟ ଆଞ୍ଚଳିକ କାର୍ଯ୍ୟାଳୟର ଶ୍ରମ ଆୟୋଗର ଆୟୁକ୍ତ ଓ ଅଧିକାରୀମାନେ ଅସଂଗଠିତ କ୍ଷେତ୍ରର ଶ୍ରମିକ ଓ ବିଭିନ୍ନ ଶ୍ରମିକ ସଂଗଠନର ନେତାମାନଙ୍କ ସହିତ ଆଲୋଚନା କରୁଛନ୍ତି। ସେମାନଙ୍କୁ ଅଧିକ ସଂଖ୍ୟାରେ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିବା ଲାଗି ନିବେଦନ କରୁଛନ୍ତି।

ଇ-ଶ୍ରମ ମୋବାଇଲ ଆପ୍ଲିକେସନ କିମ୍ବା ୱେବସାଇଟ ମାଧ୍ୟମରେ ଶ୍ରମିକମାନେ ନିଜେ ଅନଲାଇନରେ ପଞ୍ଜୀକରଣ କରିପାରିବେ। ସେମାନେ ମଧ୍ୟ ଜନ ସେବା କେନ୍ଦ୍ର, ରାଜ୍ୟ ସେବା କେନ୍ଦ୍ର, ଶ୍ରମ ସୁବିଧା କେନ୍ଦ୍ର, ନିର୍ଦ୍ଦିଷ୍ଟ ଡାକ ଘରେ ଥିବା ଡାକ ବିଭାଗର ଡିଜିଟାଲ ସେବା କେନ୍ଦ୍ରକୁ ଯାଇ ଏହି ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇପାରିବେ।

ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ପରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଏକ ଡିଜିଟାଲ ଇ-ଶ୍ରମ କାର୍ଡ ପାଇବେ ଏବଂ ସେମାନେ ପୋର୍ଟାଲ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ ସେମାନଙ୍କର ପ୍ରୋଫାଇଲ ଅପଡେଟ୍ କରିପାରିବେ। ସେମାନଙ୍କୁ ଇ-ଶ୍ରମ କାର୍ଡ ଉପରେ ଗୋଟିଏ ଏକକ ପରିଚୟ ସଂଖ୍ୟା ମିଳିବ। ସାରା ଦେଶରେ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇବା ପାଇଁ ଏହା ଗ୍ରହଣୀୟ ହେବ। ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଶ୍ରମିକ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ତାଙ୍କର ନିକଟ ସମ୍ପର୍କୀମାନେ ୨ ଲକ୍ଷ ଟଙ୍କାର ବୀମା ରାଶି ପାଇବେ। ଆଂଶିକ ଅକ୍ଷମତା କ୍ଷେତ୍ରରେ ଶ୍ରମିକମାନଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ମିଳିବ।

ଇ-ଶ୍ରମ ପୋର୍ଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.