ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଚାରୋଟି ବାମପନ୍ଥୀ ଦଳ ତରଫରୁ ଭୁବନେଶ୍ୱରରେ ବିକ୍ଷୋଭ

Published: Oct 23, 2021, 7:33 pm IST

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଓଡ଼ିଶାର ଚାରୋଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ (ଏମ୍‌), ସିପିଆଇ (ଏମଏଲ୍‌) ଲିବରେସନ ଏବଂ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ନେତୃତ୍ୱରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ସଂଗଠିତ ହୋଇଯାଇଛି।

ମମିତା ମେହେର ହତ୍ୟାକାଣ୍ଡ ତଦନ୍ତର ନିରପେକ୍ଷତା ପାଇଁ ଓଡ଼ିଶାର ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଦ୍ୱାରା ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ କରିବା, ଦିବ୍ୟଶଙ୍କର ମିଶ୍ରଙ୍କୁ ଏସ୍‌ଆଇଟି ତଦନ୍ତ ପରିସରଭୁକ୍ତ କରିବା, ଅପରାଧୀମାନଙ୍କୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଶାସ୍ତିଦେବା, ମମିତାଙ୍କ ପରିବାରକୁ ଏକକୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବାମପନ୍ଥୀ ଦଳମାନେ ଦୃଢ ଭାବେ ଦାବି କରିଛନ୍ତି।

ଏହି ଆନ୍ଦୋଳନରେ ସିପିଆଇ ତରଫରୁ ଆଶୀଷ କୁନନଗୋ, ରାମକୃଷ୍ଟ ପଣ୍ଡା, ଅଭୟ ସାହୁ, ସୁର ଜେନା, କୈଳାସ ପୁହାଣ, ସିପିଆଇ (ଏମ୍‌) ତରଫରୁ ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ଅଭିରାମ ବେହେରା, ଯତୀନ ମହାନ୍ତି, ରାମଚନ୍ଦ୍ର ତ୍ରିପାଠୀ, ସିପିଆଇ (ଏମ୍‌ଏଲ୍‌) ଲିବରେସନ ତରଫରୁ ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡ଼ା ଏବଂ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ପୂର୍ଣ୍ଣଚନ୍ଦ୍ର ପାଢୀ, ପ୍ରମୁଖ ନେତୃତ୍ୱଙ୍କ ସମେତ ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ, ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢୀ, ସରୋଜ ନାୟକ, ପ୍ରମୋଦିନୀ ସାହୁ, ବିମଳୀ ନାୟକ, ଜୟପ୍ରକାଶ ଭଞ୍ଜଦେଓ ଏବଂ ବସନ୍ତ ସାହୁ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗଦେଇ ନେତୃତ୍ୱ ନେଇଥିଲେ।

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବାମପନ୍ଥୀ ଦଳମାନେ ଉପସ୍ଥାପିତ କରିଥିବା ସମସ୍ତ ଦାବିପତ୍ର ନ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି।

Related posts