୮୨କୋଟିର ସୁନା ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Published: Apr 18, 2019, 6:20 pm IST

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୪୫.୮୯ କିଗ୍ରା ସୁନା ଜବତ କରାଯାଇଛି। ଏହି ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୮୨.୧୧କୋଟି ଟଙ୍କା ହେବ ବୋଲି ଇଡି ପକ୍ଷରୁ କୁହାଯାଇଛି। ଏକ ଅର୍ଥ ହେରଫେର ମାମଲାରେ ତେଲେଙ୍ଗାନା ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ଇଡି ପକ୍ଷରୁ ଏକାଧିକ ସ୍ଥାନରେ ଚଢାଉ କରାଯାଇଥିଲା। ବିମୁଦ୍ରାକରଣ ସମୟରେ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତି ନେଇ ଥିବା ଅଭିଯୋଗ ଉପରେ ଏହି ଚଢାଉ କରାଯାଇଥିଲା। ମୁସଡ୍ଡିଲାଲ ଜୁଏଲର୍ସର କୈଳାସ ଗୁପ୍ତାଙ୍କ ଦୁଇଟି ଅଫିସ୍‌ (ହାଇଦ୍ରାବାଦ ଏବଂ ବିଜୟଓ୍ବାଡା), ଶ୍ରୀ ବାଲାଜୀ ଗୋଲ୍ଡରହ ପବନ ଅଗ୍ରଓ୍ବାଲଙ୍କ ବାସଗୃହ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ସଞ୍ଜୟ ଶାରଦାଙ୍କ ବାସଗୃହରେ ଚଢାଉ କରାଯାଇ ଏହି ସୁନା ଗହଣା ଜବତ କରାଯାଇଛି। ଏହି ଦୁଇ ବିକ୍ରେତା ୮ ନଭେମ୍ବର ୨୦୧୬ରେ ପ୍ରାୟ ୫୨୦୦ ନକଲି ଗହଣା ବିକ୍ରି ରିସିପ୍ଟ ବନାଇଥିଲେ। ପ୍ରତ୍ୟେକ ଦେଣ ନେଣ ପ୍ରାୟ ୨ ଲକ୍ଷ ଟଙ୍କାର ରହିଥିଲା। ବିମୁଦ୍ରାକରଣ ସମୟରେ ଏହି ଦୁଇ ଗହଣା ଦୋକାନୀ ନିଜ ଆକାଉଣ୍ଟରେ ୧୧୦.୮୫ କୋଟି ଟଙ୍କା ଜମା କରିଥିଲେ।

Related posts