ଢେଙ୍କାନାଳରେ ୮୮୦ କୋଟି ଓ ଅନୁଗୁଳରେ ୧୧୭୬ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published: Nov 20, 2021, 6:31 pm IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଉଭୟ ଜିଲ୍ଲାର ୧୦ ଲକ୍ଷ ଲେଖାଏଁ ଲୋକ ଏହି ସୁବିଧା ପାଇବେ। ଏହାସହିତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପାଇଁ ୮୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିବା ବେଳେ ଅନୁଗୁଳ ପାଇଁ ୧୧୭୬ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅନୁଗୁଳ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଇଛନ୍ତି। ଜିଲ୍ଲାରେ ମିଲେଟ ମିଶନ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଥିବା ଯୋଗୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଲେ ଜିଲ୍ଲାରେ ୩୦୦୦ ଚାଷୀ ଏଥିରେ ସାମିଲ ହୋଇଛନ୍ତି। ଏହା ଆମର ପୁଷ୍ଟି ନିରାପତ୍ତାକୁ ମଜବୁତ କରିବ ବୋଲି ସେ କହିଥିଲେ।

ସେହିପରି ଢେଙ୍କାନାଳରେ ଶହୀଦ ବାଜିରାଉତ ଓ ସାରଙ୍ଗଧର ଦାସଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଯେ, ଏ ମାଟି ସବୁବେଳେ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିଆସିଛି। ଢେଙ୍କାନାଳର ପ୍ରଜାମଣ୍ଡଳ ଆନ୍ଦୋଳନ ଓଡିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହାର ସଂଗ୍ରାମୀ ମାନଙ୍କୁ ପ୍ରଣାମ ଜଣାଇଥିଲେ।

ଢେଙ୍କାନାଳରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିଳ୍ପ ସହିତ ଉଦ୍ୟାନ କୃଷିରେ ମଧ୍ୟ ଢେଙ୍କାନାଳ ସୁନାମ କରୁଛି। ଢେଙ୍କାନାଳରେ ପର୍ଯ୍ୟଟନର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

Related posts