ବାତ୍ୟା ଜୱାଦ ଅପଡେଟ: ପୁରୀ ଉପକୂଳ ଛୁଇଁବା ସମ୍ଭାବନା, ୮୦ ରୁ ୧୦୦ କିମି ରହିବ ପବନର ବେଗ

Published: Dec 3, 2021, 1:36 pm IST

ନୂଆଦିଲ୍ଲୀ: ବାତ୍ୟା ଜୱାଦକୁ ନେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ ବିବୃତ୍ତିରେ ସଦ୍ୟତନ ସୂଚନା ପ୍ରଦାନ କରିଛନ୍ତି। ବର୍ତ୍ତମାନ ‘ଜୱାଦ’ ବାତ୍ୟାର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ବର୍ଷା ଆରମ୍ଭ ହେବ। ବାତ୍ୟା ଆସନ୍ତା ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଓଡିଶାର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୮୦ ରୁ ୧୦୦ କିଲୋମିଟର ରହିପାରେ। ତେଣୁ ଏହାର ପ୍ରଭାବରେ କଚ୍ଚା ଘର ଭାଙ୍ଗିବା, ବିଦ୍ୟୁତ ଏବଂ ଟେଲିଫୋନ ଖୁଣ୍ଟ ଭାଙ୍ଗିବା ସମ୍ଭାବନା ରହିଛି।

ତେବେ ଆଜିଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଧାନ ଫସଲ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଶ୍ରୀ ମହାପାତ୍ର ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ତିନୋଟି ରାଜ୍ୟ ତଥା ଆନ୍ଧ୍ର, ଓଡିଶା ଏବଂ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ପଡୁଛି। କିନ୍ତୁ ଓଡିଶା ଉପରେ ଏହି ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ଆଇଏମଡି ନିର୍ଦ୍ଦେଶକ ଅନୁମାନ କରିଛନ୍ତି। ପ୍ରତ୍ୟେକ ୩ ଘଣ୍ଟାରେ ଏହାର ସଦ୍ୟତନ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।

Related posts