Categories
ବିଶେଷ ଖବର

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ଵର: ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି।

୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଚ୍ଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ।

ସବୁଦିନିଆ ଫସଲ କ୍ଷତି ପାଇଁ Input subsidy ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଦିଆଯିବ। ପ୍ରମାଣୀକୃତ ଉଚ୍ଚମାନର ବିହନ – କ୍ଷତିଗ୍ରସ୍ତ ୧୨ଟି ଜିଲ୍ଲାର ଚାଷୀମାନଙ୍କୁ ୧୨ ହଜାର କ୍ବିଣ୍ଟାଲ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ଏବଂ ବର୍ତ୍ତମାନ ରିହାତି ପରିମାଣର ଅତିରିକ୍ତ ୨୫ ପ୍ରତିଶତ DBT ଜରିଆରେ ୨୦୨୧-୨୨ ରବି ଫସଲ ପାଇଁ ଦିଆଯିବ। କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀ ମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍‌ ଯୋଗାଇ ଦିଆଯିବ। ଏହାସହିତ ୪ ଲକ୍ଷ ପରିବା ବିହନ ମିନିକିଟ୍‌ ମାଗଣାରେ ଯୋଗାଇ ଦିଆଯିବ।

ଫଳ ଓ ପନିପରିବା ଚାଷ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ଏକ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ ଜାଲି ବାକ୍‌ସ (Crate) ଯୋଗାଇ ଦିଆଯିବ। ପ୍ରତି ସଦସ୍ୟଙ୍କୁ ୯୦ ପ୍ରତିଶତ ରିହାତିରେ ୫ ଗୋଟି କ୍ରେଟ ଯୋଗାଇ ଦିଆଯିବ। ଯାହାଦ୍ବାରା ଫଳ ଓ ପରିବାର ଅମଳ ପରବର୍ତ୍ତୀ କ୍ଷତି କମ୍‌ କରାଯାଇପାରିବ। ଏକ ଲକ୍ଷ ଚାଷୀଙ୍କୁ ସେମାନଙ୍କ ଘର ପଛ ବଗିଚାରେ ଲଗାଇବା ପାଇଁ ମାଗଣାରେ ପ୍ରତ୍ୟେକଙ୍କୁ ୧୦ ଗୋଟି ଫଳ ଚାରା ଯୋଗାଇ ଦିଆଯିବ।

ଏକ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ ପରିବା ଚାଷ ପାଇଁ ସହାୟତା ଦିଆଯିବ। ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏ ସହାୟତା ମିଳିବ।

କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କର ଚାଷୀ ମାନଙ୍କୁ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୫୦ କୋଟି ଟଙ୍କାର ରିହାତି ଦିଆଯିବ। ଏହା DBT ଜରିଆରେ ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ୫୦୦୦ ପମ୍ପସେଟ୍ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ। ଏଥିପାଇଁ ରିହାତିର ସର୍ବୋଚ୍ଛ ପରିମାଣ ୧୦ ହଜାର ଟଙ୍କା ଦିଆଯିବ।

କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ୫୦୦୦ ସ୍ପ୍ରେୟର (ସିଞ୍ଚନ ଯନ୍ତ୍ର) ଯୋଗାଇ ଦିଆଯିବ। ପାୱାର ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୭୫୦ ଟଙ୍କା ଦିଆଯିବ।

ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା ରଖାଯାଇଛି। ଏଥିପାଇଁ ରିହାତି ଚାଷୀଙ୍କୁ DBT ଜରିଆରେ ପ୍ରଦାନ କରାଯିବ। ସମୁଦାୟ ୧୬ ହଜାର ହେକ୍ଟର ଜମି ପାଇଁ ଏହି ସହାୟତା ବ୍ୟବାସ୍ଥା କରାଯିବ।

୩୩ ପ୍ରତିଶତ ବା ତାଠାରୁ ଧିକ ଫସଲ କ୍ଷତି ହୋଇଥିବା ଅଞ୍ଚଳରେ ଦିଆଯାଇଥିବା ସ୍ବଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ। ସେହିପରି ଆସନ୍ତା ରବି ଋତୁ ପାଇଁ ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ ଓ କୃଷି ଋଣ କରିପାରିବେ, ସେଥିପାଇଁ ଆନୁଷ୍ଠାନିକ ଆର୍ଥିକ ସଂସ୍ଥା ଦ୍ବାରା ସହାୟତାର ବ୍ୟବସ୍ଥା କରାଯିବ। ଭାଗଚାଷୀ ମାନେ ଯେପରି ରବି ଋତୁରେ ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ Joint Liability Group ଗଠନ ପାଇଁ ତ୍ବରିତ ପଦକ୍ଷେପ ନିଆଯିବ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନେ ଯେପରି ତାଙ୍କ କ୍ଷତିପୂରଣ ଶୀଘ୍ର ପାଇପାରିବେ, ସେଥିପାଇଁ ଅମଳ ପରବର୍ତ୍ତୀ କ୍ଷତିର ତୁରନ୍ତ ଆକଳନ ନିମନ୍ତେ ପଦକ୍ଷେପ ନିଆଯିବ ଏବଂ Crop Cutting Experiement ମଧ୍ୟ ଶୀଘ୍ର ଶେଷ କରାଯିବ। ବାତ୍ୟା ଜୱାଦ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ମାନେ ଯେପରି ରବି ଫସଲ ପାଇଁ ତୁରନ୍ତ ଋଣ ସହାୟତା ପାଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ତିନି କୃଷକଙ୍କ ଆତ୍ମହତ୍ୟା: ବାତ୍ୟା ଜୱାଦ ଯୋଗୁଁ ଫସଲ କ୍ଷତି ସହ୍ୟ କରିନପାରିଥିବା ଅଭିଯୋଗ

ବର୍ଦ୍ଦମାନ: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ତିନିଜଣ ଚାଷୀଙ୍କ ମୃତଦେହ ମିଳିଛି। ପୋଲିସ ଆଜି ଏହି ସୂଚନା ଦେଇଛି। ମୃତ କୃଷକଙ୍କ ପରିବାର ଦାବି କରିଛନ୍ତି ଯେ, ଘୂର୍ଣ୍ଣିବଳୟ ଜୱାଦରେ ଲଗାଣ ବର୍ଷା ହେତୁ ଆଳୁ ଏବଂ ଧାନ ଫସଲ ନଷ୍ଟ ହେବା ପରେ ସେମାନେ ଆତ୍ମହତ୍ୟା କରିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଘଟଣାର ଅନୁସନ୍ଧାନ କରୁଛି। ଶନିବାର ଦିନ ରାଇନା ପ୍ରଥାମ ମଣ୍ଡଳର ଦେବିପୁର ଏବଂ ବନ୍ତିର ଗ୍ରାମରେ ଦୁଇଜଣ ଚାଷୀଙ୍କୁ ଝୁଲୁଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଜଣେ ଚାଷୀଙ୍କୁ ଶୁକ୍ରବାର ଦିନ କଲନା ଦ୍ୱିତୀୟ ମଣ୍ଡଳର ବିରୁହା ଗ୍ରାମରେ ଗୋଟିଏ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ବର୍ଦ୍ଧମାନ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ ପ୍ରିୟଙ୍କା ସିଙ୍ଗଲା କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି।

କୃଷି ଉପରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ପ୍ରଦୀପ ମଜୁମଦାର କହିଛନ୍ତି ଯେ, ଫସଲ ନଷ୍ଟ ହେତୁ କୃଷକମାନେ ଆତ୍ମହତ୍ୟା କରି ନଥାଇ ପାରନ୍ତି। କାରଣ ସେମାନେ ଏକ ସପ୍ତାହ ପୂର୍ବରୁ ‘କୃଷକ ବନ୍ଧୁ’ ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇଥିଲେ। ସ୍ଥାନୀୟ ବିଧାୟକ ଶମ୍ପା ଧାରା ମଧ୍ୟ ଦାବି କରିଛନ୍ତି ଯେ ଫସଲ ନଷ୍ଟ ହେତୁ କୌଣସି ମୃତ୍ୟୁ ହୋଇନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଚାଲିଗଲା ବାତ୍ୟା, ଝାଡି ଦେଇଗଲା ବର୍ଷା; ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ପରିମାଣ

ଭୁବନେଶ୍ୱର: ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ୩୫.୮ ମିମି ବୃଷ୍ଟିପାତ ହୋଇଛି। ଜଗତସିଂହପୁରରେ ୧୯୨.୦ମିମି, କେନ୍ଦ୍ରାପଡ଼ାରେ ୧୩୩.୯ ମିମି ଏବଂ ପୁରୀରେ ୧୧୩.୫ ମିମି ବର୍ଷା ହୋଇଛି। ଅର୍ଥାତ୍‌ ଏହି ତିନୋଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବୃଷ୍ଟପାତ ରେକର୍ଡ କରାଯାଇଛି ।

ସେହିପରି ଖୋର୍ଦ୍ଧାରେ ୭୪.୮ ମିମି, ଗଞ୍ଜାମରେ ୭୩.୩ ମିମି, କଟକରେ ୬୧.୮ ମିମି, ବାଲେଶ୍ୱରରେ ୫୩.୪ ମିମି, ନୟାଗଡ଼ରେ ୫୨.୩ ମିମି ଏବଂ ଭଦ୍ରକରେ ୫୧.୬ ମିମି ଅର୍ଥାତ୍‌ ଏହି ୬ଟି ଜିଲ୍ଲାରେ ହାରାହାରି ୫୦ ମିମି ବୃଷ୍ଟିପାତ ହୋଇଛି ।

ଅନ୍ୟପକ୍ଷରେ ଯାଜପୁରରେ ୪୪.୫ ମିମି, ମୟୂରଭଞ୍ଜରେ ୩୩.୬ ମିମି, ବୌଦ୍ଧରେ ୩୨.୬ ମିମି, ଗଜପତିରେ ୩୧.୧ ମିମି, କେଉଁଝରରେ ୨୭.୧ ମିମି, ଢେଙ୍କାନାଳରେ ୨୫.୮ ମିମି, ଅନୁଗୋଳରେ ୧୭.୦ ମିମି ଏବଂ କନ୍ଧମାଳରେ ୧୫.୪ ମିମି, ଏହିପରି ହାରାହାରି ୧୦ ମିମିରୁ ଅଧିକ ବୃଷ୍ଟିପାତ ହୋଇଛି ।

ସେହିପରି ୧୨ଟି ଜିଲ୍ଲା ସମ୍ବଲପୁରରେ ୬.୯ ମିମି, ସୁବର୍ଣ୍ଣପୁରରେ ୫.୩ ମିମି, ବଲାଙ୍ଗୀରରେ ୪.୪ ମିମି, ବରଗଡ଼ରେ ୪.୨ ମିମି, କଳାହାଣ୍ଡିରେ ୩.୮ ମିମି, ଝାରସୁଗୁଡ଼ାରେ ୩.୬ ମିମି, ସୁନ୍ଦରଗଡ଼ରେ ୩.୬ ମିମି, ଦେବଗଡ଼ରେ ୩.୪ ମିମି, ରାୟଗଡ଼ାରେ ୩.୩ ମିମି, କୋରାପୁଟରେ ୨.୦ ମିମି, ନୂଆପଡ଼ାରେ ୦.୬ ମିମି ଏବଂ ନବରଙ୍ଗପୁରରେ ୦.୪ ମିମି ଅର୍ଥାତ୍‌ ୧୦ ମିମିରୁ କମ୍‌ ବୃଷ୍ଟିପାତ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବାତ୍ୟା ଜୱାଦ ପ୍ରଭାବ: ଚିନ୍ତାରେ ଚାଷୀ, ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ଲାଗି ନିବେଦନ

ସୀତାରାମ ଅଗ୍ରୱାଲ

ଚିଲିକା: ବାତ୍ୟା ଜୱାଦ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଚାଷୀ ଚିନ୍ତା ଓ ଭୟଭିତ ଅବସ୍ଥାରେ ଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଆଖିରୁ ନିଦ ହଜିଗଲାଣି। ଚିଲିକାରେ ଏହି ବାତ୍ୟା ଜୱାଦ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଛି। ଶହ ଶହ ଏକର କ୍ଷେତରେ ଧାନ ପାଚି ଅମଳ ହେବା ଅବସ୍ଥାରେ ଥିବା ବେଳେ ବର୍ତ୍ତମାନ ବର୍ଷା ଯୋଗୁଁ ଧାନ ଫସଲରେ ପାଣି ମାଡିଯାଇଛି। ଯାହାଫଳରେ ଚାଷୀର ବର୍ଷ ଯାକର ଅକ୍ଲାନ୍ତ ପରିଶ୍ରମ ବୃଥା ହୋଇଛି।

ଏହାର ପୂର୍ବ ବର୍ଷାରେ ଅନେକ ଜମିରେ ପାଣି ମାଡି ଯିବାରୁ ଚାଷୀଙ୍କ ଧାନ ଗଜା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ପୁଣି ଉକ୍ତ ବର୍ଷା ଚାଷୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ପାଲଟିଛି। ଏପରିକି କିଛି ଚାଷୀ ଧାନ କାଟି ତରବରିଆ ଭାବେ ଜମି ହୁଡାରେ ପକେଇଦେଇଛନ୍ତି। ମାତ୍ର ଜୱାଦ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ଅମଳ ଧାନରୁ ଗଜା ବାହାରିବା ନେଇ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି।

ବର୍ତ୍ତମାନ ଚାଷୀର ଏହି ସମସ୍ୟାକୁ ନେଇ ରାଜ୍ୟ ସରକାର ବାତ୍ୟା ଜନିତ କ୍ଷୟକ୍ଷତି କେବେ ଆକଳନ କରୁଛନ୍ତି ଏବଂ ନଷ୍ଟ ହୋଇଥିବା ଚାଷର ଭରଣ ପୋଷଣ କେବେ ପ୍ରଦାନ କରୁଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ଚାଷୀକୂଳ।

ରାଜ୍ୟରେ ବାରମ୍ବାର ପ୍ରାକୃତିକ ଦୁର୍ବିପାକ ଯେଉଁ ଭଳି ଗ୍ରାସ କରିଛି ବାସ୍ତବରେ ତାହା ସାଧାରଣ ଲୋକଙ୍କ ମେରୁ ଦଣ୍ଡ ଭାଙ୍ଗି ଦେଇଛି। ଛୋଟବଡ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଦିନ ମଜୁରିଆଙ୍କୁ ଅମେକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ଅନୁରୂପ ଭାବେ ଚିଲିକା ଅଞ୍ଚଳର ମତ୍ସ୍ୟଜୀବୀ ଏବଂ ମାଛ ବ୍ୟବସାୟୀମାନେ ବାତ୍ୟା ଜୱାଦ କୋପରୁ ବର୍ତ୍ତିପାରିନାହାନ୍ତି।

ପାଣିପାଗ ବିଭାଗର ସତର୍କ ସୂଚନା ପରେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାପାଇଁ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଥିଲେ। ଏଥି ସହିତ ମତ୍ସ୍ୟଜୀବୀ ମାନଙ୍କ ଡ଼ଙ୍ଗାକୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ଚିଲିକା ଏକ ଉପକୂଳବର୍ତ୍ତି ଅଞ୍ଚଳ ହୋଇଥିବାରୁ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଯାହାକି ଅଧିକାଂଶ ଲୋକ ମତ୍ସ୍ୟଜିବୀ ହେତୁ ପରିବାର ପ୍ରତିପୋଷଣ ପାଇଁ ଚିଲିକା ଉପରେ ନିର୍ଭର କରନ୍ତି। ମାତ୍ର ପ୍ରଶାସନର ତାଗିଦ ଯୋଗୁଁ ଚିଲିକା ଭିତରକୁ ମାଛ ଧରାଳି କିମ୍ବା ଯାତ୍ରୀବାହି ଡ଼ଙ୍ଗା ନେବାପାଇଁ ବାରଣ କରାଯାଇଥିଲା।

ତେଣୁ ଚିଲିକାରୁ ମାଛ ସଂଗ୍ରହ ଯେଉଁ ପରିମାଣରେ ହବା କଥା ତାହା ହୋଇପାରିଲା ନାହିଁ। ଖାସ କରି ଛୁଟି ଦିନ ମାନଙ୍କରେ ମାଛ ଗୋଦାମ ଗୁଡିକ ଗ୍ରାହକଙ୍କ ଗହଳିରେ ଫାଟି ପଡୁଥିଲେ ମଧ୍ୟ ବାତ୍ୟା ଯୋଗୁଁ ଖାଁ ଖାଁ ପଡିଥିବାର ପରିଲକ୍ଷିତ ହୋଇଛି। ଯାହାଫଳରେ ମାଛ ଧରାଳିଙ୍କ ରୋଜଗାର ଉପରେ ବିଶେଷ ପ୍ରଭାବ ପଡିଛି। ସରକାର ଏଥିପ୍ରତି ଏକ ସକାରାତ୍ମକ ଦୃଷ୍ଟି ଦେବାପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ମତ୍ସ୍ୟଜୀବୀ ସଂଘ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

CycloneAlert: ଗୋପାଳପୁରରୁ ୧୩୦ କିଲୋମିଟର ଦୂରରେ ଜୱାଦ, କାଲିରାତିରୁ ଚାଲିଛି ବର୍ଷା

ଭୁବନେଶ୍ୱର: ସମୁଦ୍ରରେ ଭିତରେ ଦୁର୍ବଳ ହେବାରେ ଲାଗିଛି ‘ଜୱାଦ’ । ଗଭୀର ଅବପାତରେ ପରିଣତ ହୋଇ ସାରିଛି ଜୱାଦ। ଆଉ କିଛି ସମୟ ପରେ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ବର୍ତ୍ତମାନ ଜୱାଦ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ।

ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ଜୱାଦ ଦକ୍ଷିଣ-ଦକ୍ଷିଣପୂର୍ବରେ ଗୋପାଳପୁର ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୮୦ କିଲୋମିଟର ଓ ପାରାଦୀପ ଠାରୁ ୨୭୦ କିଲୋମିଟର ଦୂରରେ ରହିଛି ।

ଏହାର ପ୍ରଭାବରେ ଗତକାଲି ରାତିରୁ ରାଜ୍ୟରେ କ୍ରମାଗତ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷ ମଧ୍ୟ ହେବାରେ ଲାଗିଛି। ଭୁବନେଶ୍ବରରେ ପାଗ ପୁରା ଅନ୍ଧାରିଆ ରହିଛି। ଗତକାଲି ରାତିରୁ ଅନବରତ ବର୍ଷା ଲାଗି ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

CycloneAlert: ବିପଦ ଟଳିଲା, ଦୁର୍ବଳ ହେଲା ସାମ୍ଭବ୍ୟ ବାତ୍ୟା ‘ଜୱାଦ’, ଜାରୀ ରହିବ ପ୍ରବଳ ବର୍ଷା

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ବର୍ତ୍ତମାନ ସମୁଦ୍ର ଭିତରେ ଦୁର୍ବଳ ହେବାରେ ଲାଗିଛି। ଯାହା ଆଶା କରାଯାଉଥିଲା ତାହା ଆଉ ହେବ ନାହିଁ ବୋଲି ଜଣାପଡିଛି। ତେବେ ଏହା ବର୍ତ୍ତମାନ ଗଭୀର ଅବପାତରେ ପରିଣତ ହୋଇଛି। ଧୀରେଧୀରେ ଏହା ସ୍ଥଳ ଭାଗକୁ ମାଡି ଆସୁଛି। ଆସନ୍ତାକାଲି ଏହି ପୁରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ‘ଜୱାଦ’ ବର୍ତ୍ତମାନ ବିଶାଖପାଟନାମ୍ ର ଦକ୍ଷିଣପୂର୍ବ ଦିଗରେ 230 କିଲୋମିଟର ଦୂରରେ ରହିଛି। ସେହିପରି ଗୋପାଳପୁରରୁ 340 କିଲୋମିଟର, ପୁରୀ ଉପକୂଳରୁ 410 କିଲୋମିଟର ଏବଂ ପାରାଦ୍ବୀପଠାରୁ 490 କିଲୋମିଟର ଦୂରରେ ରହିଛି।

ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଏହା ପୁରୀତଟ ସ୍ଥଳଭାଗରେ ପ୍ରବେଶ କରି ପଶ୍ଚିମ ବଂଗ ଆଡକୁ ଗତି କରିବ। ତେବେ ସ୍ଥଳଭାଗ ଛୁଇଁବା ବେଳକୁ ଏହା ଦୁର୍ବଳ ହୋଇପଡିଥିବା। ଫଳରେ ପବନର ଗତି ହ୍ରାସ ପାଇବ। ହେଲେ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବକୁ ଲକ୍ଷ ରଖି ତିନୋଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡିକ ହେଲା ଗଂଜାମ ପୁରୀ ଏବଂ ଜଗତସିଂହପୁର। ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି।

ସେହିପରି ଆଠଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, ଗଜପତି ଏବଂ ଯାଜପୁର ଜିଲ୍ଲା। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି କନ୍ଧମାଳ, ରାୟଗଡା, କେଉଁଝର ଏବଂ ମୟୁରଭଂଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ଜୱାଦ ପାଇଁ ଚିଲିକାରେ ପ୍ରସ୍ତୁତି, ଜାଣନ୍ତୁ କଣ ପଦକ୍ଷେପ ନେଇଛି ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ମାଡିଆସୁଛି ବାତ୍ୟା ଜୱାଦ। ଏଥି ନିମନ୍ତେ ରାଜ୍ୟ ସରକାର ସମସ୍ତ ପୂର୍ବପ୍ରସ୍ତୁତି ସାରିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ମଧ୍ୟ ସମାନ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ। ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କ ସୂଚନା ମୁତାବକ ଏନଡ଼ିଆରଅଫ ର ଗୋଟେ ଟିମ ଖୋର୍ଦ୍ଧାରୁ ଆସି ଚିଲିକା ବ୍ଲକ ହେଡ଼ କ୍ୱାର୍ଟରରେ ସଜାଗ ଅଛି।

ସେହିପରି ଭାବେ ଚିଲିକା ତଟବର୍ତ୍ତୀ ଅଞ୍ଚଳଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା କୂଳକୁ ନଯିବା ପାଇଁ ପ୍ରଚାର ଜାରିରହିଥିବା ବେଳେ ଜରିପଡ଼ା ପଞ୍ଚାୟତର ମାଟିଆପଡା ପ୍ରାଥମିକ ବିଦ୍ୟାଳୟ, ପାଣିଦୁଆର ପ୍ରାଥମିକ ବିଦ୍ୟାଳୟ ଓ ଦାଶରଥି ଉଚ୍ଚ ବିଦ୍ୟାଳୟକୁ ବାତ୍ୟା ଆଶ୍ରୟସ୍ଥଳୀ ସେଣ୍ଟର ଭାବେ ଚି଼ହ୍ନଟ କରାଯାଇଥିବା ବେଳେ ସେଠାରେ ବିସ୍ଥାପିତଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। ତେବେ ଅଦ୍ୟାବଧି ସ୍ୱଳ୍ପ ଜନସାଧାରଣ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଥିବାର କହିଛନ୍ତି ତହସିଲଦାର।

ସେହିପରି ଭାବେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କ ସୂଚନା ଅନୁଯାୟୀ ଚିଲିକା କୁଳ ନିକଟସ୍ଥ ଗୋପବନ୍ଧୁ କଲୋନୀ, ସନ୍ୟାସୀ ନଗର ଏବଂ ଶାନ୍ତି ନଗର ଅଞ୍ଚଳକୁ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚି଼ହ୍ନଟ କରାଯାଇଥିବା ବେଳେ ଉକ୍ତ ଅଞ୍ଚଳବାସୀଙ୍କୁ ବାଲୁଗାଁ ଉଚ୍ଚ ବିଦ୍ୟାଳୟକୁ ବିସ୍ଥାପିତ କରାଯାଉଛି। ସେଠାରେ କୋଭିଡ ନିୟମ ମୁତାବକ ଆଣ୍ଟିଜେନ ଟେଷ୍ଟ ହେବାପରେ ଜନସାଧାରଣମାନେ ଏକାଠି ରହିବେ ଓ ଖାଇବେ। ସେହିପରି ଭାବେ ମତ୍ସ୍ୟଜୀବୀମାନଙ୍କୁ ଚିଲିକା ଭିତରକୁ ଆସନ୍ତା ତିନି ଦିନ ଯାଏଁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସେମାନଙ୍କ ଡ଼ଙ୍ଗାଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ବ୍ୟବସ୍ଥା କରାଯାଇଛି।

ସେହିପରି ଭାବେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ସୂଚନା ମୁତାବକ ବାଣପୁର ବ୍ଲକର ୯ ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ସଜାଗ ଅଛି। ତତସହିତ ଶାଳିଆ ଡ୍ୟାମ, ନନ୍ଦପୁର ପଞ୍ଚାୟତ ଏବଂ କୁମାରାଙ୍ଗ ପଞ୍ଚାୟତର ତଳୁଆ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବିଦ୍ୟୁତ, ଅଗ୍ନିଶମ, ମେଡିକାଲ ଏବଂ ସମସ୍ତ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ ସରିଛି ଓ ବାତ୍ୟା ପାଇଁ ସମସ୍ତେ ସଜାଗ ଥିବାର ସୂଚନା ଦେଇଛନ୍ତି ତହସିଲଦାର।

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସୂଚନା ମୁତାବକ ପଲଟନ ପଡିଆ ନିକଟସ୍ଥ ଶହୀଦ କୃତିବାସ ଭବନକୁ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଥିବା ବେଳେ ସେଠାରେ ବିସ୍ଥାପିତଙ୍କ ରହିବା ଓ ଖାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି।  ଅନୁରୂପ ଭାବେ ପ୍ରତି ୱାର୍ଡର ସ୍କୁଲ ଓ କମ୍ୟୁନିଟି ସେଣ୍ଟର ଗୁଡିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଥିବାର କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ।

ବାତ୍ୟା ପାଇଁ ବାଣପୁର ଓ ଚିଲିକା ତହସିଲ ଅଞ୍ଚଳରେ ପୋଲିସ ପ୍ରଶାସନ ପୁରାପୁରି ଭାବେ ପ୍ରସ୍ତୁତ ରହିଥିବାର କହିଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ। ତଳୁଆ ଅଞ୍ଚଳରେ ପୋଲିସ କର୍ମଚାରୀମାନେ ଜନସାଧାରଣଙ୍କୁ ବିସ୍ଥାପିତ ଜାରି ରଖିଥିବାବେଳେ ବାତ୍ୟା ପାଇଁ ଚିଲିକା ଏବଂ ନଦୀ ଅଞ୍ଚଳକୁ ନଯିବା ପାଇଁ ଅନୁରୋଧ କରୁଛନ୍ତି। ଯଦି କୌଣସି ବ୍ୟକ୍ତି ବାତ୍ୟା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ଏସଡ଼ିପିଓଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବର ୯୦୭୮୯୩୪୯୩୪ କୁ ନିଃସଙ୍କୋଚ ଭାବେ ସହାୟତା ପାଇଁ ଯୋଗାଯୋଗ କରିପାରିବେ ବୋଲି ‘ସମୀକ୍ଷା’ ନିୟୁଜ ମାଧ୍ୟମରେ କହିଛନ୍ତି।

ତେବେ ଉଭୟ ଚିଲିକା ଏବଂ ବାଣପୁର ଅଞ୍ଚଳରେ ବର୍ତ୍ତମାନ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲପାଳ ଏବଂ ଉପଜିଲ୍ଲାପାଳ ଉପସ୍ଥିତ ରହି ବିଭିନ୍ନ ବ୍ୟବସ୍ଥାର ତଦାରଖ ଜାରି ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବାତ୍ୟା ଜୱାଦ ଅପଡେଟ: ପୁରୀ ଉପକୂଳ ଛୁଇଁବା ସମ୍ଭାବନା, ୮୦ ରୁ ୧୦୦ କିମି ରହିବ ପବନର ବେଗ

ନୂଆଦିଲ୍ଲୀ: ବାତ୍ୟା ଜୱାଦକୁ ନେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ ବିବୃତ୍ତିରେ ସଦ୍ୟତନ ସୂଚନା ପ୍ରଦାନ କରିଛନ୍ତି। ବର୍ତ୍ତମାନ ‘ଜୱାଦ’ ବାତ୍ୟାର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ବର୍ଷା ଆରମ୍ଭ ହେବ। ବାତ୍ୟା ଆସନ୍ତା ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଓଡିଶାର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୮୦ ରୁ ୧୦୦ କିଲୋମିଟର ରହିପାରେ। ତେଣୁ ଏହାର ପ୍ରଭାବରେ କଚ୍ଚା ଘର ଭାଙ୍ଗିବା, ବିଦ୍ୟୁତ ଏବଂ ଟେଲିଫୋନ ଖୁଣ୍ଟ ଭାଙ୍ଗିବା ସମ୍ଭାବନା ରହିଛି।

ତେବେ ଆଜିଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଧାନ ଫସଲ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଶ୍ରୀ ମହାପାତ୍ର ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ତିନୋଟି ରାଜ୍ୟ ତଥା ଆନ୍ଧ୍ର, ଓଡିଶା ଏବଂ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ପଡୁଛି। କିନ୍ତୁ ଓଡିଶା ଉପରେ ଏହି ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ଆଇଏମଡି ନିର୍ଦ୍ଦେଶକ ଅନୁମାନ କରିଛନ୍ତି। ପ୍ରତ୍ୟେକ ୩ ଘଣ୍ଟାରେ ଏହାର ସଦ୍ୟତନ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସାମ୍ଭବ୍ୟ ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ବନ୍ଦର ଅଧ୍ୟକ୍ଷ ତଥା ବିଭିନ୍ନ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ସହଯୋଗୀଙ୍କ ସହ ବାତ୍ୟା ଜୱାଦ ଯୋଗୁଁ ଆସନ୍ନ ପରିସ୍ଥିତିର ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ବାତ୍ୟା ଜୱାଦ ନେଇ ସମସ୍ତଙ୍କୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ସମସ୍ତ ପରିବହନ ଜାହାଜକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛି ଏବଂ ଜରୁରୀକାଳୀନ ଜାହାଜ ମୁତୟନ କରିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା କେମିକାଲ୍ ଆଣ୍ଡ ପେଟ୍ରୋକେମିକାଲ୍ ପରି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଉପରେ ମଧ୍ୟ ସତର୍କ ନଜର ରଖିବାକୁ ରାଜ୍ୟମାନଙ୍କୁ କୁହାଯାଇଛି ।