ବାଲୁଗାଁ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାଇକ୍ ଆରୋହୀ

Published: Dec 4, 2021, 12:23 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୋଚିଲା ଛକ ନିକଟରେ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଲୁଗାଁ ନିକଟସ୍ଥ ଗୋପୀନାଥ ପୁର ଗ୍ରାମର ସୁଶିଲ କୁମାର ପାଢୀଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ସୁଶିଲ କୁମାର ପାଢୀ (୩୪) ଗତ କାଲି ରାତିରେ ନିଜ ବାଇକ୍ ଯୋଗେ ଟାଙ୍ଗୀରୁ ବାଲୁଗାଁ ଫେରୁଥିଲେ। ତେବେ ୧୬ ନଂ ଜାତୀୟ ରାଜପଥର କୋଚିଲା ଛକ ନିକଟରେ ନିୟନ୍ତ୍ରଣ ହରାଇ ଡିଭାଇଡରକୁ ସେ ଧକ୍କା ଦେଇଥିଲେ। ଫଳରେ ସୁଶିଲ ଗୁରୁତର ହୋଇ ପଡିଥିଲେ। କୁହୁଡି ଫାଣ୍ଡି ପୋଲିସ୍ ଖବର ପାଇ ଗୁରୁତର ଅଵସ୍ଥାରେ ସୁଶୀଲଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୁଶୀଲଙ୍କ ମୃତ ଦେହ ଜବତ କରି ପୋଲିସ୍ ତଦନ୍ତ ଜାରି ରଖିଛି। ସୁଶୀଲଙ୍କ ପକେଟ୍ ରୁ ପୋଲିସ୍ ୨୬ ହଜାର ଟଙ୍କା ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ସୁଶୀଲ ଜଣେ ଯୁବ ସମାଜସେବୀ ଥିଲେ। ସେ ଉକ୍ତ ଅଞ୍ଚଳରେ ଅନେକ ସମାଜସେବା କାର୍ଯ୍ୟରେ ଅଂଶଗ୍ରହଣ କରି ଲୋକଙ୍କୁ ସେବା ଯୋଗାଉଥିଲେ। ଗତ କିଛି ଦିନ ତଳେ ବାଲୁଗାଁ ହସ୍ପିଟାଲର ଖରାପ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୋସିଆଲ ମିଡିଆରେ ଭାଇରାଲ କରି ସେ ଚର୍ଚ୍ଚାକୁ ଆସିଥିଲେ। କମ ବୟସରୁ ସେ ଜନପ୍ରିୟତା ଲାଭ କରିଥିଲେ। ତାଙ୍କର ଏହି ଅକାଳ ବିୟୋଗ ଯୋଗୁଁ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts