ଖୋର୍ଦ୍ଧା ଉପଖଣ୍ଡରେ ଏହି ଦିନ ଲାଗିବ ଧାରା ୧୪୪, ନିୟମ କଡ଼ାକଡି କରିବାକୁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ

Published: Jan 12, 2022, 3:30 pm IST

ଖୋର୍ଦ୍ଧା: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଳନ ଉପରେ କଟକଣା କରିଛନ୍ତି। ସାଧାରଣତଃ ଏହି ଦିନ ଶ୍ରଦ୍ଧାଳୁମାନେ ସମୁଦ୍ର ତଟ, ନଦୀ, ପୁଷ୍କରିଣୀ ଆଦିରେ ବୁଡ ପକାଇଥାନ୍ତି। ହେଲେ ଏଥର ଏସବୁକୁ ବାରଣ କରାଯାଇଛି।

ସେହିପରି ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାକୁ ମଧ୍ୟ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଖଣ୍ଡରେ ମଧ୍ୟ ମକର ସଂକ୍ରାନ୍ତି ଉପଲକ୍ଷେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇସାଲୱାର ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତି ଦିନ ଖୋର୍ଦ୍ଧା ଉପଖଣ୍ଡ ଅଧୀନରେ ଥିବା ସମସ୍ତ ମନ୍ଦିର ଗୁଡିକରେ ଧାରା ୧୪୪ ଜାରି କରିଛନ୍ତି। ମନ୍ଦିର ମଧ୍ୟରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। କେବଳ ୫ ଜଣ ସେବାୟତଙ୍କ ଉପସ୍ଥିତିରେ ମନ୍ଦିର ପୂଜା ହେବ ବୋଲି ସ୍ପଷ୍ଟ କରାଯାଇଛି।

ତେବେ ଏହାକୁ ପ୍ରଚାର ପ୍ରସାର ସମେତ କଡ଼ାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଆଇଆଇସି, ତହସିଲଦାର, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related posts