ଭେଦଭାବମୁକ୍ତ ଏବଂ ଆତ୍ମନିର୍ଭର ଭାରତର ସ୍ବପ୍ନ ଦେଖିଥିଲେ ସ୍ବାମୀ ବିବେକାନନ୍ଦ 

Published: Jan 13, 2022, 11:36 am IST

ଭୁବନେଶ୍ବର: ସ୍ବାମୀ ବିବେକାନନ୍ଦ ସର୍ବଦା ଏକ ଭେଦଭାବମୁକ୍ତ ଭାରତର ସ୍ବପ୍ନ ଦେଖିଥିଲେ। ଭାରତ ଯାହାକି ଆତ୍ମନିର୍ଭର ହୋଇଥିବ, ଭାରତ ଯେଉଁଠାରେ ମହିଳାମାନେ ସଶକ୍ତ ହୋଇଥିବେ। ‘‘ସ୍ବାମୀ ବିବେକାନନ୍ଦଙ୍କ ସ୍ବପ୍ନର ଭାରତ’’ ସମ୍ପର୍କିତ ୱେବିନାରରେ ବିଶେଷଜ୍ଞମାନେ ଏହି ମତ ପ୍ରକାଶ କରିଛନ୍ତି। ଏହି ୱେବିନାରକୁ ଜାତୀୟ ଯୁବ ଦିବସ ଅବସରରେ ଯୁଗ୍ମ ଭାବରେ ରିଜିଓନାଲ୍ ଆଉଟରିଚ୍ ବ୍ୟୁରୋ (ଆରଓବି) ଓ ପ୍ରେସ୍‌ ଇନ୍‌ଫରମେସନ ବ୍ୟୁରୋ (ପିଆଇବି), ଭୁବନେଶ୍ବର ଦ୍ବାରା ଆୟୋଜନ କରାଯାଇଛି।

ଅନଲାଇନ୍ ଆଲୋଚନାକୁ ଆରମ୍ଭ କରି ଆରଓବି ଭୁବନେଶ୍ବରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଛନ୍ତି ଯେ ଯଦି ଆମେ ସ୍ବାମୀ ବିବେକାନନ୍ଦଙ୍କ ସ୍ବପ୍ନର ଭାରତ ପ୍ରସ୍ତୁତ କରିବାକୁ ଚାହୁଁ ତେବେ ଆମକୁ ଆମର ଆତ୍ମାର ସ୍ବରକୁ ଶୁଣିବାକୁ ହେବ, ଏହା ଉପରେ ବିଶ୍ବାସ ରଖିବାକୁ ହେବ, ବାହ୍ୟ ଚାକଚକ୍ୟରେ ନିଜକୁ ବିଚଳିତ ନକରି ସର୍ବଦା ଆମର ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ହେବ।

ଏହି ଅବସରରେ ପିଏମ୍ ୟୁବା ମେଣ୍ଟରସିପ୍ ପୁରସ୍କାର ବିଜେତା ଲେଶ୍ବର ରଣା କହିଛନ୍ତି ଯେ ସ୍ୱାମୀଜୀ ସର୍ବଦା ଯୁବକ ମାନଙ୍କର ଚରିତ୍ରର ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରୁଥିଲେ। ‘‘ସେ ଏପରି ଏକ ଭାରତର ପରିକଳ୍ପନା କରୁଥିଲେ ଯେଉଁଠାରେ ସଭିଏଁ ସମାନ ସୁବିଧା ହାସଲ କରିବେ ଓ କୌଣସି ଭେଦଭାବ ନଥିବ। ସେ ଦେଶର ମହିଳା ଓ ଯୁବକମାନଙ୍କର ସଶକ୍ତିକରଣ ଉପରେ ଧ୍ୟାନ ପ୍ରଦାନ କରିଥିଲେ। ସ୍ବାମୀ ବିବେକାନନ୍ଦ ଏକ ଆତ୍ମନିର୍ଭର ଭାରତର ପରିକଳ୍ପନା କରିଥିଲେ ଓ ଭାରତ ବର୍ତ୍ତମାନ ଏହି ଦିଗରେ ଅଗ୍ରସର ହେଉଛି’’ ବୋଲି ଶ୍ରୀଯୁକ୍ତ ରଣା କହିଛନ୍ତି।

ଏହି ଆଲୋଚନାରେ ଅଂଶଗ୍ରହଣ କରି ଯୁବ କବି ପ୍ରଶାନ୍ତ ଦାସ କହିଛନ୍ତି ଯେ ବିବେକାନନ୍ଦଙ୍କ ଶିକ୍ଷା ମାନବତା ଓ ଆଧ୍ୟାତ୍ମିକତା ଉପରେ ପର୍ଯ୍ୟବେସିତ। ‘‘ଯଦି କେହି ଭାରତ, ଏହାର ଇତିହାସ, ଭୁଗୋଳ, ସଂସ୍କୃତି ଓ ଐତିହ୍ୟ ବିଷୟରେ ଜାଣିବାକୁ ଚାହେଁ ତେବେ ସେ ସ୍ବାମୀ ବିବେକାନନ୍ଦଙ୍କୁ ବୁଝିବା ସହିତ ତାଙ୍କର ପୁସ୍ତକ ପଢ଼ିବା ଉଚିତ୍। ସେ ଏକ ସ୍ବର୍ଣ୍ଣିମ ଓ ସମୃଦ୍ଧ ଭାରତର ସ୍ବପ୍ନ ଦେଖିଥିଲେ’’ ବୋଲି କହିଛନ୍ତି ଶ୍ରୀ ଦାସ।

ସିପୁନୁ ଜେନା, ଜଣେ ପ୍ରତିଭାବାନ ଲେଖକ ଆଜିର ଯୁବ ପୀଢ଼ି ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହାର ସମାଧାନ ପାଇଁ ସେ ସ୍ବାମୀ ବିବେକାନନ୍ଦଙ୍କର ଚିନ୍ତାଧାରାକୁ ଉଲ୍ଲେଖ କରିଛନ୍ତି। ‘‘ଆଜିର ଯୁବ ପୀଢ଼ି ଅନେକ ଭାଗରେ ବିଭକ୍ତ ହୋଇଛନ୍ତି ଓ ସେମାନଙ୍କର ଭିନ୍ନ ଭିନ୍ନ ଚିନ୍ତାଧାରା ରହିଛି। ସ୍ବାମୀ ବିବେକାନନ୍ଦଙ୍କର ସ୍ବପ୍ନର ଭାରତ ସୃଷ୍ଟି କରିବାକୁ ହେଲେ ସେମାନଙ୍କୁ ଏକତ୍ରିତ କରିବାକୁ ହେବ’’ ବୋଲି ଶ୍ରୀ ଜେନା କହିଛନ୍ତି।

ଏହି ୱେବିନାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସମସ୍ତ ମିଡିଆ ୟୁନିଟର କର୍ମଚାରୀମାନେ ତଥା ଛାତ୍ର, ଲେଖକ ଓ ସାମ୍ବାଦିକ ମାନେ ଅଂଶଗ୍ରହଣ କରିଥିଲେ।

Related posts