ଖୋର୍ଦ୍ଧା ଜିଲ୍ଲାରେ ଚୋରା ଲଘୁ ଖଣିଜ ଦ୍ରବ୍ୟ ଧରପଗଡ, ଦୁଇଦିନରେ ୧୧ ଟି ଗାଡି ଜବତ, ୬ ଗିରଫ

Published: Jan 14, 2022, 11:13 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିକଟରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକ ଲଗାଇବା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପୋଲିସ ଓ ତହସିଲ ପ୍ରଶାସନକୁ ନିର୍ଦେଶ ଦେଇଥିଲେ।

ସେହି ଅନୁସାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ବିଗତ ଦୁଇ ଦିନ ହେଲା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ମାନଙ୍କ ତରଫରୁ ବେଆଇନ ଚୋରା ମାଙ୍କଡା ପଥର ଚାଲାଣ କରୁଥିବା ଖଣିମାନଙ୍କ ଉପରେ ପୋଲିସ ଚଢ଼ାଉ ଜାରିରହିଛି । ତେବେ ଗତକାଲି ରାତି ଏବଂ ଆଜି ପୂର୍ବାହ୍ନ ସୁଦ୍ଧା ଚଢ଼ାଉ ସମୟରେ ଚୋରା ଚାଲାଣ କରୁଥିବା ମୋଟ ୧୧ ଗୋଟି ମାଙ୍କଡା ପଥର ଗାଡିକୁ ପୋଲିସ ଜବତ କରିବା ସହ ୭ ଗୋଟି ମାମଲା ରୁଜୁ କରି ୬ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଜବତ ହୋଇଥିବା ମୋଟ ମାଙ୍କଡା ପଥରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଜବତ ସମୁଦାୟ ୧୧ ଗୋଟି ଗାଡ଼ି ମଧ୍ୟରୁ ନିରାକାରପୁର ଥାନା ଚାରି ଗୋଟି, ଜଙ୍କିଆ ଥାନା ତିନି ଗୋଟି, ଟାଉନ ଥାନା ତିନି ଗୋଟି ଏବଂ ବେଗୁନିଆ ଥାନା ଗୋଟାଏ ଗାଡ଼ି ଜବତ କରିଛି।

ଅନୁରୂପ ଭାବେ ଗିରଫ ୬ ଡ୍ରାଇଭର ମଧ୍ୟରୁ ନିରାକାରପୁର ଥାନା ଦୁଇ ଜଣଙ୍କୁ, ଜଙ୍କିଆ ଥାନା ତିନି ଜଣଙ୍କୁ ଏବଂ ବେଗୁନିଆ ଥାନା ଜଣଙ୍କୁ ଗିରଫ କରିଛି।

ସେହିପରି ଭାବେ ଭୁବନେଶ୍ୱର ଉପଖଣ୍ଡ ଅଧିନସ୍ଥ ବାଲିପାଟଣା ତହସିଲ ଅଞ୍ଚଳରେ ଆଜି ତିନି ଗୋଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ ହେବା ସହ ଏକ ଗୋଟି ମାମଲା ରୁଜୁ କରାଯିବା ସହ ଜଣେ ଡ୍ରାଇଭରକୁ ଗିରଫ କରାଯାଇଛି l ଏବଂ ଉକ୍ତ ତିନି ଟ୍ରକରୁ ତିନି ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବାର ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି । ଆଗକୁ ମଧ୍ୟ ଏହିପରି ଚଢ଼ାଉ ଜିଲ୍ଲାରେ ଜାରିରହିବ ବୋଲି ଉଭୟ ଜିଲ୍ଲାପାଳ ଏବଂ ଏସପି କହିଛନ୍ତି l

Related posts