Categories
ଆଜିର ଖବର ଜାତୀୟ ଖବର

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଧୀନରେ ଚଳିତ ବର୍ଷ ଜୁନ୍‌ ୩୦ ସୁଦ୍ଧା ଓଡ଼ିଶାକୁ ମିଳିଛି ୨୩,୧୨୦ କୋଟି

ଭୁବନେଶ୍ଵର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ଅଧୀନରେ ଚଳିତ ବର୍ଷ ଜୁନ୍‌ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩,୧୨୦ କୋଟି ଟଙ୍କା ମିଳିଛି। ଏଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ ମିଳିଥିବା ବେଳେ କୋଇଲା ଓ ଲିଗନାଇଟରୁ ୫୨୩୭.୫୮ କୋଟି ଟଙ୍କା ମିଳିଛି। ସେହିପରି ଲଘୁ ଖଣିଜ ଦ୍ରବ୍ୟରୁ ୧୨୭.୨୧ କୋଟି ଟଙ୍କା ମିଳିଛି।

ଓଡ଼ିଶା ରାଜ୍ୟର ଡିଏମଏଫ ନିୟମ ଅନୁଯାୟୀ, ଅତିକମରେ ୬୦% ପାଣ୍ଠି ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ ଏବଂ ୪୦% ପାଣ୍ଠି ଅନ୍ୟାନ୍ୟ ପ୍ରାଥମିକତା କାର୍ଯ୍ୟରେ ଖର୍ଚ୍ଚ କରାଯାଏ। ଓଡ଼ିଶାରେ, ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଅଧୀନରେ ଉପଯୋଗ ହୋଇଥିବା ପାଣ୍ଠିର ବିବରଣୀ ନିମ୍ନରେ ଦିଆଯାଇଛି।

ଖଣି ମନ୍ତ୍ରଣାଳୟକୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ପ୍ରକଳ୍ପଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଏବଂ ବର୍ତ୍ତମାନର ପ୍ରକଳ୍ପଗୁଡ଼ିକରେ ଡିଏମଏଫ ପାଣ୍ଠିର ଉପଯୋଗକୁ ତ୍ୱରାନ୍ୱିତ କରିବା ଜରିଆରେ ପାଣ୍ଠି ଆବଣ୍ଟନକୁ ବଢ଼ାଇବା ଲାଗି ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ପୋଲିସ ଦ୍ୱାରା ଚାରି ବେଆଇନ ମୋରମ ବୋଝେଇ ହାଇୱା ଜବତ, ୪ ଗିରଫ

ଟାଙ୍ଗୀ: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ବିରୁଦ୍ଧରେ ଖୋର୍ଦ୍ଧା ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଜାରି ରହିଥିବା ବେଳେ ଆଜି ଟାଙ୍ଗୀ ପୋଲିସ ଭୁଶୁଣ୍ଡପୁର ମା’ ଉଗ୍ରତାରା ରୋଡରେ ଚଢ଼ାଉ କରି ଏକାଧିକ ଚୋରା ଲଘୁ ଖଣିଜ ଦ୍ରବ୍ୟ ଗାଡ଼ି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ମା’ ଉଗ୍ରତାରା ରୋଡରୁ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ହେଉଥିବାର ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଆଇଆଇସି ସଦଳବଳେ ଉକ୍ତ ସ୍ଥାନରେ ଚଢ଼ାଉ କରି ଚାରି ଗୋଟି ବେଆଇନ ମୋରମ ବୋଝେଇ ହାଇୱା ଜବତ କରିବା ସହ ଚାରି ଜଣ ଗାଡ଼ି ଚାଳକଙ୍କୁ ଗିରଫ କରିଛନ୍ତି।

ଗିରଫ ବ୍ୟକ୍ତି ମାନେ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳର ବସନ୍ତ କୁମାର ପ୍ରଧାନ (୩୭), ଝାରଖଣ୍ଡ ରାଜ୍ୟ ପାଲମୁ ଜିଲ୍ଲାର ପଙ୍କଜ କୁମାର ଯାଦବ (୨୨), ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ନିବସ ସାମନ୍ତରାୟ (୪୫) ଏବଂ ମଧ୍ୟପ୍ରଦେଶ ରାଜ୍ୟ ସିଦ୍ଧି ଜିଲ୍ଲାର ରାଜକୁମାର ରାୱତ (୪୦)। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ପୋଲିସ କେସ ନମ୍ବର ୪୮୪/୨୨ ଏବଂ ୪୮୫/୨୨ ରେ ଦୁଇ ଗୋଟି ମାମଲା ରୁଜୁକରି ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଚୋରା ଲଘୁ ଖଣିଜ ଦ୍ରବ୍ୟ ଧରପଗଡ, ଦୁଇଦିନରେ ୧୧ ଟି ଗାଡି ଜବତ, ୬ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିକଟରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକ ଲଗାଇବା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପୋଲିସ ଓ ତହସିଲ ପ୍ରଶାସନକୁ ନିର୍ଦେଶ ଦେଇଥିଲେ।

ସେହି ଅନୁସାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ବିଗତ ଦୁଇ ଦିନ ହେଲା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ମାନଙ୍କ ତରଫରୁ ବେଆଇନ ଚୋରା ମାଙ୍କଡା ପଥର ଚାଲାଣ କରୁଥିବା ଖଣିମାନଙ୍କ ଉପରେ ପୋଲିସ ଚଢ଼ାଉ ଜାରିରହିଛି । ତେବେ ଗତକାଲି ରାତି ଏବଂ ଆଜି ପୂର୍ବାହ୍ନ ସୁଦ୍ଧା ଚଢ଼ାଉ ସମୟରେ ଚୋରା ଚାଲାଣ କରୁଥିବା ମୋଟ ୧୧ ଗୋଟି ମାଙ୍କଡା ପଥର ଗାଡିକୁ ପୋଲିସ ଜବତ କରିବା ସହ ୭ ଗୋଟି ମାମଲା ରୁଜୁ କରି ୬ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଜବତ ହୋଇଥିବା ମୋଟ ମାଙ୍କଡା ପଥରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଜବତ ସମୁଦାୟ ୧୧ ଗୋଟି ଗାଡ଼ି ମଧ୍ୟରୁ ନିରାକାରପୁର ଥାନା ଚାରି ଗୋଟି, ଜଙ୍କିଆ ଥାନା ତିନି ଗୋଟି, ଟାଉନ ଥାନା ତିନି ଗୋଟି ଏବଂ ବେଗୁନିଆ ଥାନା ଗୋଟାଏ ଗାଡ଼ି ଜବତ କରିଛି।

ଅନୁରୂପ ଭାବେ ଗିରଫ ୬ ଡ୍ରାଇଭର ମଧ୍ୟରୁ ନିରାକାରପୁର ଥାନା ଦୁଇ ଜଣଙ୍କୁ, ଜଙ୍କିଆ ଥାନା ତିନି ଜଣଙ୍କୁ ଏବଂ ବେଗୁନିଆ ଥାନା ଜଣଙ୍କୁ ଗିରଫ କରିଛି।

ସେହିପରି ଭାବେ ଭୁବନେଶ୍ୱର ଉପଖଣ୍ଡ ଅଧିନସ୍ଥ ବାଲିପାଟଣା ତହସିଲ ଅଞ୍ଚଳରେ ଆଜି ତିନି ଗୋଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ ହେବା ସହ ଏକ ଗୋଟି ମାମଲା ରୁଜୁ କରାଯିବା ସହ ଜଣେ ଡ୍ରାଇଭରକୁ ଗିରଫ କରାଯାଇଛି l ଏବଂ ଉକ୍ତ ତିନି ଟ୍ରକରୁ ତିନି ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବାର ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି । ଆଗକୁ ମଧ୍ୟ ଏହିପରି ଚଢ଼ାଉ ଜିଲ୍ଲାରେ ଜାରିରହିବ ବୋଲି ଉଭୟ ଜିଲ୍ଲାପାଳ ଏବଂ ଏସପି କହିଛନ୍ତି l

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ: ୪ ଟି ଟ୍ରକକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କଲା ନିରାକାରପୁର ପୋଲିସ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧିପାଉଛି। ଏହାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ କରାଯାଇ ଖୋର୍ଦ୍ଧା ଉପଖଣ୍ଡ ଅଞ୍ଚଳର ସମସ୍ତ ଥାନାଧିକାରୀଙ୍କୁ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଥାନାଧୀକାରିଣୀ ଗୀତାଞ୍ଜଳି ନାୟକ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବା ନିମନ୍ତେ ପାଟ୍ରୋଲିଂ କରୁଥିବା ବେଳେ ନିରାକାରପୁର ବଜାର ନିକଟରେ ୪ ଟି ବେଆଇନ ମାଙ୍କଡା ବୋଝେଇ ଟ୍ରକ ଯାଉଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଉକ୍ତ ଗାଡ଼ିଗୁଡିକର ପିଛା କରିବା ସହ ସମସ୍ତ ଗାଡିକୁ ଆଇଆଇସି କାବୁ କରିନେଇଥିଲେ।

ଉକ୍ତ ଘଟଣାରେ ତିନି ଜଣ ଗାଡ଼ି ଚାଳକ ଧରା ପଡ଼ିଥିବାବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଖସିପଳେଇବାରେ ସକ୍ଷମ ହୋଇଥିଲା। ତେବେ ଚାରି ଗୋଟି ଗାଡ଼ିକୁ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ନିରାକାରପୁର ଥାନା କେସ ନମ୍ବର ୧୦୮ଏବଂ ୧୦୯ ରେ ଦୁଇ ଗୋଟି ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ସଲହାସୁତୁରାରେ ଚାଲିଛି ଗଂଜାମ ଜିଲ୍ଲା ଲଘୁ ଖଣିଜ ଦ୍ରବ୍ୟ କାରବାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବୈଠକ ଡ଼କାଇ ନିଜସ୍ୱ ବିଭାଗ ଅଧିକାରୀଙ୍କୁ ବେଆଇନ ଲଘୁ ଖଣିଜ ଉତ୍ତୋଳନ ଉତ୍ସର ସ୍ଥିତାବସ୍ଥା, ବେଆଇନ ମାଟିପୋଡ଼ା ଇଟାଭାଟି, ଚିମିନିଭାଟିର ଆକଳନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଜିଲ୍ଲାସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ତହସିଲ୍ ଗସ୍ତ କରି ବାଲି ସଇରାତ, ପଥର ଓ ମୋରୁମ ଖଦାନ, ଚିମିନି ଭାଟି ଓ ଉପରପୋଡ଼ା ଇଟାଭାଟିରେ ପହଞ୍ଚି ସରଜମିନ୍ ଅନୁଧ୍ୟାନ କରି ଜିଲ୍ଲାପାଳଙ୍‌କୁ ବିବରଣୀ ପ୍ରଦାନ କରୁଥିବାବେଳେ ଜିଲ୍ଲାପାଳଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଛି। ଅନ୍ୟ ଦୃଷ୍ଟିକୋରୁ ଗଂଜାମ ଜିଲ୍ଲା ଅନ୍ତର୍ଗତରେ ଥିବା ଲାଭାଜନକ ଲଘୁ ଖଣିଜ ଉତ୍ସରେ ଶାସକ ଦଳର ସଲାସୁତୁରାରେ ଅବୈଧ କାରବାର ହେଉଥିବା, ପୁଣି ନିର୍ଦ୍ଦିଷ୍ଟ କିଛି ତହସିଲ୍‌ଦାରଙ୍କ କାର୍ଯ୍ୟଶୈଳୀରେ ମାଫିଆ ଗୋଷ୍ଠୀଙ୍କ ନିଦ ହଜିଥିଲା ବେଳେ ପ୍ରଶାସନ ଚାପରେ ଥାଇ ପଦକ୍ଷେପ ବଦଳରେ ତହସିଲ୍‌ଦାରଙ୍କୁ ପରିବର୍ତ୍ତନ କରି ପଛଘୁଞ୍ଚା ଦେଉଥିବା ନଜରକୁ ଆସିଛି।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସବ୍ କଲେକ୍ଟରଙ୍କ ଅଧୀନ ପାତ୍ରପୁର, ଚିକିଟି, ଦିଗପହଣ୍ଡି ତହସିଲ୍ ଅଂଚଳର ସୀମାନ୍ତରେ ଥିବା ଏହି ସଇରାତ ଉତ୍ସର କମ୍ ପରିମିତ ଅଂଚଳକୁ ନିଲାମକୁ ନେଇ ଅବଶିଷ୍ଟ ଅଂଚଳରୁ ଜେସିବି ଲଗାଇ ହାଇୱା ଦ୍ୱାରା ପ୍ରତ୍ୟେକ ହଜାରହଜାର ସିଏମ୍‌ର ରାଜସ୍ୱ ପାଉଣା ହରିଲୁଟ ହେଉଥିବା ସାଧାରଣରେ ଆଲୋଚନା ଜୋର୍ ଧରିଛି। ତହସିଲ୍‌ଦାରଙ୍କ ପରିଯୋଜନା ପ୍ରକାରେ ଏଭଳି କାରବାର ବେଶ୍ ଦୁରୁହ ବ୍ୟାପକାର ହୋଇଥିବାରୁ ଉଭୟ ଚିକିଟି ଏବଂ ଦିଗପହଣ୍ଡି ତହସିଲ୍ କାର୍ଯ୍ୟାଳୟକୁ ଏଥି ନେଇ ଉତ୍ତରଦାୟୀ କରୁଥିବା ଚର୍ଚ୍ଚା ହେଉଛି।

ବିନା ମାଇନିଂ ପ୍ଲାନ ଓ ଯାନ୍ତ୍ରିକ ଉଠାଣ ପାଇଁ ଆବଶ୍ୟକୀୟ ଅନୁମତି ନଥାଇ ବିସ୍ତୀର୍ଣ୍ଣ ଅଂଚଳରୁ ଅବାଧ ବାଲି ଚାଲାଣ ନେଇ ସ୍ଥାନୀୟ ପ୍ରଶାସନ ସଂଦେହ ଘେରରେ ଥିବାରୁ ଉଭୟ ଉପଜିଲ୍ଲାପାଳ ବ୍ରହ୍ମପୁର ଓ ଛତ୍ରପୁର ଜିଲ୍ଲାପାଳ ଏନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ଏବଂ ଚିଲିକାରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ: ଗାଡ଼ି ଜବତ କଲେ ତହସିଲଦାର

ସୀତାରାମ ଅଗ୍ରୱାଲ

ବାଣପୁର/ଚିଲିକା: ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ଅଞ୍ଚଳରେ ପ୍ରତିଦିନ ବେଆଇନ ବାଲି, ମାଟି, ଗୋଡି, ମାଙ୍କଡା ପଥର ଚାଲାଣ କରୁଥିବା ଗାଡିଗୁଡିକ ଉପରେ ଚଢ଼ାଉ କରାଯାଉଛି। ବାଣପୁର ଏବଂ ଚିଲିକା ତହସିଲଦାର ଏହିସବୁ ଗାଡିଗୁଡ଼ିକ ଉପରେ ଚଢାଉ କରି ଜରିମାନା ଆଦାୟ କରୁଛନ୍ତି।

ଗତକାଲି ବାଣପୁର ତହସିଲ ପକ୍ଷରୁ ଦୁଇ ଗୋଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରାଯାଇ ସେମାନଙ୍କଠାରୁ ଜରିମାନା ବାବଦରେ ୫୫ ହଜାର ଟଙ୍କା ଆଦାୟ କରାଯାଇଥିଲା। ତେବେ ଆଜି ପୁଣି ବାଣପୁର ତହସିଲଦାର ମନ୍ମଥ ବେହେରା ତହସିଲ ସ୍କ୍ୱାର୍ଡ ଟିମ୍ ସହଯୋଗରେ ସକାଳୁ ତହସିଲର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ମଧ୍ୟାହ୍ନ ସୁଦ୍ଧା ୬ ଗୋଟି ଗାଡ଼ି ଜବତ କରିଛନ୍ତି। ତନ୍ମଧ୍ୟରୁ ୨ ଗୋଟି ମାଙ୍କଡା ପଥର ବୋଝେଇ ଟ୍ରକ, ୨ ଗୋଟି ମାଟି ବୋଝେଇ ଟ୍ରାକ୍ଟର, ୧ ଗୋଟି ମେଟାଲ ବୋଝେଇ ଟିପର ଏବଂ ଗୋଟାଏ ଜେସିବି ଜବତ ହୋଇଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା। ସମସ୍ତ ଗାଡ଼ି ବେଆଇନ ଭାବେ ଏହି ସବୁ ଜିନିଷ ଚାଲାଣ କରୁଥିଲେ।  ତେବେ ବର୍ତ୍ତମାନ ସମସ୍ତ ଗାଡିଗୁଡିକ ବାଣପୁର ତହସିଲ ପରିସରରେ ଅଛି।

ଅନୁରୂପ ଭାବେ ଆଜି ସକାଳେ ଚିଲିକା ତହସିଲଦାର ପୁନମ ମହାପାତ୍ର ବେଆଇନ ଭାବେ ଗୋଡି ଚାଲାଣ କରୁଥିବା ୨ ଗୋଟି ଟ୍ରାକ୍ଟରକୁ  କୁହୁଡି ନିକଟରୁ ଜବତ କରିଛନ୍ତି। ଜବତ ହୋଇଥିବା ଟ୍ରାକ୍ଟର ଦୁଇଟି ବର୍ତ୍ତମାନ କୁହୁଡି ଫାଣ୍ଡି ପରିସରରେ ରହିଛି। ଉପଯୁକ୍ତ କାଗଜପତ୍ର ଦେଖାଇବାସହ ଜରିମାନା ପରିମାଣ ଦେଇ ଗାଡ଼ି ମାଲିକମାନେ ସେମାନଙ୍କ ଗାଡ଼ି ମୁକୁଳାଇ ନେଇପାରିବେ ବୋଲି ସୂଚନା ଦେଇଛନ୍ତି ଉଭୟ ବାଣପୁର ଏବଂ ଚିଲିକା ତହସିଲଦାର।