ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ: ୪ ଟି ଟ୍ରକକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କଲା ନିରାକାରପୁର ପୋଲିସ

Published: Jul 1, 2021, 6:24 pm IST

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧିପାଉଛି। ଏହାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ କରାଯାଇ ଖୋର୍ଦ୍ଧା ଉପଖଣ୍ଡ ଅଞ୍ଚଳର ସମସ୍ତ ଥାନାଧିକାରୀଙ୍କୁ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଥାନାଧୀକାରିଣୀ ଗୀତାଞ୍ଜଳି ନାୟକ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବା ନିମନ୍ତେ ପାଟ୍ରୋଲିଂ କରୁଥିବା ବେଳେ ନିରାକାରପୁର ବଜାର ନିକଟରେ ୪ ଟି ବେଆଇନ ମାଙ୍କଡା ବୋଝେଇ ଟ୍ରକ ଯାଉଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଉକ୍ତ ଗାଡ଼ିଗୁଡିକର ପିଛା କରିବା ସହ ସମସ୍ତ ଗାଡିକୁ ଆଇଆଇସି କାବୁ କରିନେଇଥିଲେ।

ଉକ୍ତ ଘଟଣାରେ ତିନି ଜଣ ଗାଡ଼ି ଚାଳକ ଧରା ପଡ଼ିଥିବାବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଖସିପଳେଇବାରେ ସକ୍ଷମ ହୋଇଥିଲା। ତେବେ ଚାରି ଗୋଟି ଗାଡ଼ିକୁ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ନିରାକାରପୁର ଥାନା କେସ ନମ୍ବର ୧୦୮ଏବଂ ୧୦୯ ରେ ଦୁଇ ଗୋଟି ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି।

Related posts