ବାଣପୁର ଏବଂ ଚିଲିକାରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ: ଗାଡ଼ି ଜବତ କଲେ ତହସିଲଦାର

Published: Jan 21, 2021, 5:32 pm IST

ସୀତାରାମ ଅଗ୍ରୱାଲ

ବାଣପୁର/ଚିଲିକା: ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ଅଞ୍ଚଳରେ ପ୍ରତିଦିନ ବେଆଇନ ବାଲି, ମାଟି, ଗୋଡି, ମାଙ୍କଡା ପଥର ଚାଲାଣ କରୁଥିବା ଗାଡିଗୁଡିକ ଉପରେ ଚଢ଼ାଉ କରାଯାଉଛି। ବାଣପୁର ଏବଂ ଚିଲିକା ତହସିଲଦାର ଏହିସବୁ ଗାଡିଗୁଡ଼ିକ ଉପରେ ଚଢାଉ କରି ଜରିମାନା ଆଦାୟ କରୁଛନ୍ତି।

ଗତକାଲି ବାଣପୁର ତହସିଲ ପକ୍ଷରୁ ଦୁଇ ଗୋଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରାଯାଇ ସେମାନଙ୍କଠାରୁ ଜରିମାନା ବାବଦରେ ୫୫ ହଜାର ଟଙ୍କା ଆଦାୟ କରାଯାଇଥିଲା। ତେବେ ଆଜି ପୁଣି ବାଣପୁର ତହସିଲଦାର ମନ୍ମଥ ବେହେରା ତହସିଲ ସ୍କ୍ୱାର୍ଡ ଟିମ୍ ସହଯୋଗରେ ସକାଳୁ ତହସିଲର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ମଧ୍ୟାହ୍ନ ସୁଦ୍ଧା ୬ ଗୋଟି ଗାଡ଼ି ଜବତ କରିଛନ୍ତି। ତନ୍ମଧ୍ୟରୁ ୨ ଗୋଟି ମାଙ୍କଡା ପଥର ବୋଝେଇ ଟ୍ରକ, ୨ ଗୋଟି ମାଟି ବୋଝେଇ ଟ୍ରାକ୍ଟର, ୧ ଗୋଟି ମେଟାଲ ବୋଝେଇ ଟିପର ଏବଂ ଗୋଟାଏ ଜେସିବି ଜବତ ହୋଇଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା। ସମସ୍ତ ଗାଡ଼ି ବେଆଇନ ଭାବେ ଏହି ସବୁ ଜିନିଷ ଚାଲାଣ କରୁଥିଲେ।  ତେବେ ବର୍ତ୍ତମାନ ସମସ୍ତ ଗାଡିଗୁଡିକ ବାଣପୁର ତହସିଲ ପରିସରରେ ଅଛି।

ଅନୁରୂପ ଭାବେ ଆଜି ସକାଳେ ଚିଲିକା ତହସିଲଦାର ପୁନମ ମହାପାତ୍ର ବେଆଇନ ଭାବେ ଗୋଡି ଚାଲାଣ କରୁଥିବା ୨ ଗୋଟି ଟ୍ରାକ୍ଟରକୁ  କୁହୁଡି ନିକଟରୁ ଜବତ କରିଛନ୍ତି। ଜବତ ହୋଇଥିବା ଟ୍ରାକ୍ଟର ଦୁଇଟି ବର୍ତ୍ତମାନ କୁହୁଡି ଫାଣ୍ଡି ପରିସରରେ ରହିଛି। ଉପଯୁକ୍ତ କାଗଜପତ୍ର ଦେଖାଇବାସହ ଜରିମାନା ପରିମାଣ ଦେଇ ଗାଡ଼ି ମାଲିକମାନେ ସେମାନଙ୍କ ଗାଡ଼ି ମୁକୁଳାଇ ନେଇପାରିବେ ବୋଲି ସୂଚନା ଦେଇଛନ୍ତି ଉଭୟ ବାଣପୁର ଏବଂ ଚିଲିକା ତହସିଲଦାର।

Related posts