ଛାତ୍ରଛାତ୍ରୀଙ୍କୁ ଡ୍ରେସ୍‌, ଜୋତା ବାବଦରେ ଦିଆଯାଉଥିବା ସରକାରଙ୍କ ଅନୁଦାନ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ଦାବି

Published: Jan 31, 2022, 9:09 am IST

ଭୁବନେଶ୍ୱର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ନିମ୍ନଲିଖିତ ଦାବି ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଡ୍ରେସ୍ ଓ ଜୋତା ଗୁଡ଼ିକ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ସିଧା ସେମାନଙ୍କ ଅଭିଭାବକମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରିବା ଦାବିରେ ମହାସଂଘ ପକ୍ଷରୁ ଏକ ପତ୍ର ମାଧ୍ୟମରେ ସରକାରଙ୍କ ନିକଟରେ ଦାବି କରାଯାଇଛି।

ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ କେ. ବାଲାରାଜୁ ଆଚାରୀ ଏକ ପ୍ରେସ୍ ଇସ୍ତାହାର ଜରିଆରେ କହିଛନ୍ତି ଯେ, ରାଜ୍ୟରେ ଗ୍ରାମୀଣ କ୍ଷେତ୍ରରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଏସ୍‌.ଏସ୍‌.ଜି. ଗ୍ରୁପ୍ ମାଧ୍ୟମରେ ପିଲାଙ୍କୁ ଡ୍ରେସ୍ ଓ ଜୋତା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ବ୍ୟବସ୍ଥା ହୋଇଛି, ସେଥିରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। କାରଣ ବର୍ତ୍ତମାନ କୋଭିଡ଼ର ଭୟାବହତା ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ୍ ବନ୍ଦ ରହିଛି। ଏମିତି କରିବା ଦ୍ୱାରା ପିଲାମାନଙ୍କୁ ଖୋଜି ବାହାର କରି ସମସ୍ତଙ୍କୁ ଡ୍ରେସ୍ ଓ ଜୋତା ବାଣ୍ଟିବା ସମ୍ଭବପର ହେବନି। ସେଥିପାଇଁ ସିଧା ପିଲାମାନଙ୍କ ଅଭିଭାବକମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଗଲେ ସେମାନେ ନିଜେ ତାଙ୍କ ସୁବିଧା ଅନୁସାରେ ସ୍ଥାନୀୟ ବଜାରରୁ ଡ୍ରେସ୍ କିଣିପାରିବେ।

ଅପରପକ୍ଷରେ ଏସ୍‌.ଏସ୍‌.ଜି. ଗ୍ରୁପ୍‌ମାନେ ନିଜେ ସିଲାଇ କରି ବିତରଣ ପାଇଁ ସରକାରୀ ନିୟମ ଥିବାବେଳେ ସେମାନେ ନିଜେ ନକରି ବଜାରରୁ କିଣୁଛନ୍ତି। ଯାହାଦ୍ୱାରା ମଧ୍ୟସ୍ଥି କମିଶନ ବାବଦରେ ସରକାରୀ ଅର୍ଥର ବାଟମାରଣ ହେବା ସହିତ ନିମ୍ନମାନର ଜିନିଷ ମିଳୁଥିବା ଅଭିଯୋଗ ହୋଇଛି ଓ ଅନେକ ଗରିବ ଛାତ୍ରଛାତ୍ରୀ ସୁବିଧାରୁ ବଞ୍ôଚତ ହେଉଛନ୍ତି ବୋଲି ଶ୍ରୀ ଆଚାରୀ ଅଭିଯୋଗ କରିଛନ୍ତି। ଏଣୁ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହିତ ନେଇ ପ୍ରାଥମିକ ଶିକ୍ଷା ବିକାଶରେ ମଧ୍ୟସ୍ଥି ପ୍ରଥା ଉଚ୍ଛେଦ ପାଇଁ ମହାସଂଘ ପକ୍ଷରୁ ଦାବି ହୋଇଛି।

Related posts