ଭୁବନେଶ୍ୱର: ନିକଟରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ଚରଣଜିତ ସିଂ ଚନିଙ୍କ ନାମ ଘୋଷଣା କରି ଦଳିତବର୍ଗ ପ୍ରତି ଥିବା କଂଗ୍ରେସର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସେଥିନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏହି ଘୋଷଣାକୁ ସ୍ୱାଗତ କରାଯାଇ ରାହୁଳ ଗାନ୍ଧୀଙ୍କୁ ଧନ୍ୟବାଦ ଦିଆଯାଇଛି।କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି।
ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ବାର୍ତାକୁ ଜନସାଧାରଣଙ୍କ ନିକଟରେ ପଂହଚାଇବାପାଇଁ ଆସନ୍ତା ୧୫ ତାରିଖ ମଙ୍ଗଳବାର ଦିନ ନବରଙ୍ଗପୁର ଠାରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, ଜନଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ଭୁଜବଳ ମାଝୀ, ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ଶ୍ରୀ ଜ୍ଞାନଦେବ ବେଉରା, ଓ ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ସେକ୍ ଜିଆଉଲ ହକଙ୍କ ତତ୍ୱାବଧାନରେ ଏକ ସମାବେଶ କରାଯିବ।
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଙ୍କନିଧି ବେହେରା, ଶ୍ରୀ ଜ୍ଞାନଦେବ ବେଉରା, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ମୁଖପାତ୍ର ଅମିୟ ପାଣ୍ଡବ, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।