
ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି), ଭୁବନେଶ୍ବର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ସର୍ବପ୍ରଥମେ ଓଡ଼ିଶାର ମହିଳା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଅବସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପରେ ଏକ ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ଉତ୍କଳ ବିଶ୍ବବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ଅତିରିକ୍ତ ପ୍ରାଧ୍ୟାପକ ଡକ୍ଟର ତନୟା ମହାନ୍ତି, ଏନଏବିଏମ୍ର ଅତିରିକ୍ତ ନିର୍ଦ୍ଦେଶକ (କାର୍ଯ୍ୟକ୍ରମ) କଳ୍ପନା ପରିଡ଼ା, ବ୍ରେକ୍ ଥ୍ରୁ ଇଣ୍ଡିଆର ବରିଷ୍ଠ ପ୍ରବନ୍ଧକ ରୁକ୍ମିଣୀ ପଣ୍ଡା, ଆରଓବି ଆକାଉଣ୍ଟସ ଅଫିସର ନର୍ମଦା ରାଉତରାୟ ପ୍ରମୁଖ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଅତିଥିମାନେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଉପରେ ଆଲୋକପାତ କରିଥିଲେ।
ସ୍ବାଧୀନତା ଆନ୍ଦୋଳନ ପର ଠାରୁ ଦେଶର ପ୍ରଗତି ପାଇଁ ମହିଳାମାନଙ୍କର ଯୋଗଦାନ ଓ ବଳିଦାନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଆରଓବି ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ ମିଶ୍ର ପୁରାଣ କାଳରୁ ଆରମ୍ଭ କରି ଆଧୁନିକ ସମୟ ପର୍ଯ୍ୟନ୍ତ ମହିୟସୀ ମହିଳାମାନଙ୍କ ଉଦାହରଣ ଦେଇ ନାରୀଶକ୍ତିଙ୍କ ତ୍ୟାଗ, ବଳୀଦାନ ଓ ମହନୀୟତା ସମ୍ପର୍କରେ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଆରଓବି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟର ମହିଳା ଗବେଷକମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।