ଭାରତରେ ପହଞ୍ଚିଲା ୟୁକ୍ରେନରେ ନିହତ ହୋଇଥିବା ନବୀନଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

Published: Mar 21, 2022, 12:08 pm IST

ବେଙ୍ଗାଲୁରୁ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନର ଖାର୍କିଭରେ ବନ୍ଧୁକ ମୁନରେ ଭାରତୀୟ ଛାତ୍ର ନବୀନ ଶେକରାପ୍ପା ଜ୍ଞାନଗୋଦରଙ୍କ ମୃତ୍ୟୁ ଘଟିଛି। ଜିନବୀନଙ୍କ ମୃତଦେହ ଆଜି ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିଛି। ଏହି ସମୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନବୀନ ଶେଖରପ୍ପା ଖାର୍କିଭରେ ରହୁଥିବାବେଳେ ମେଡିକାଲ ଅଧ୍ୟୟନ କରୁଥିଲେ।

ପରିବାର ସଦସ୍ୟ ନବୀନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏହା ପରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ମଧ୍ୟ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମୃତଦେହକୁ ନେଇ ଯାଉଥିବା ବିମାନଟି ସକାଳ ପ୍ରାୟ ୩ ଟାରେ ବାଙ୍ଗାଲୋର ବିମାନ ବନ୍ଦରରେ ଅବତରଣ କରିଥିଲା, ଯେଉଁଠାରୁ ତାଙ୍କ ମୃତଦେହ କର୍ଣ୍ଣାଟକର ହାଭେରୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ଜନ୍ମ ଗ୍ରାମକୁ ପଠାଯାଇଥିଲା। ବିମାନ ବନ୍ଦର ବାହାରେ ଗଣମାଧ୍ୟମକୁ ସମ୍ବୋଧିତ କରି ବୋମ୍ମାଇ କହିଛନ୍ତି, “ୟୁକ୍ରେନରେ ଗୁଳି ବିନିମୟରେ ନିହତ ହୋଇଥିବା ନବୀନ ଶେଖରପ୍ପାଙ୍କ ମୃତଦେହକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିବାରୁ ମୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛି। ”

ଏମବିବିଏସ୍ ଛାତ୍ର ନବୀନ ଶେଖରପ୍ପା କର୍ଣ୍ଣାଟକର ହାଭେରୀ ଜିଲ୍ଲାରୁ ଆସିଛନ୍ତି। ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିର ୨୧ ବର୍ଷ ବୟସ୍କ ନବୀନ ଶେଖରପ୍ପା ଖାଦ୍ୟ କିଣିବା ପାଇଁ ଏକ ଧାଡିରେ ଠିଆ ହୋଇଥିବା ବେଳେ ଋଷ ସେନାର ଗୁଳିରେ ପ୍ରାଣ ହରାଇଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନବୀନ ଶେଖରପ୍ପାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଏହା ସହିତ ପରିବାରର ସଦସ୍ୟଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଇଛନ୍ତି।

ଏହାପୂର୍ବରୁ ଶନିବାର ଦିନ ନବୀନଙ୍କ ପିତା ଶଙ୍କରାପ୍ପା କହିଛନ୍ତି ଯେ, ଡାକ୍ତରୀ ଅନୁସନ୍ଧାନ ପାଇଁ ପରିବାର ସଦସ୍ୟ ନିଜ ପୁଅର ଶରୀରକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନବୀନଙ୍କ ପିତା କହିଛନ୍ତି ଯେ, “ମୋ ପୁଅ ମେଡିକାଲ କ୍ଷେତ୍ରରେ କିଛି ହାସଲ କରିବାକୁ ଚାହୁଁଥିଲା, କିନ୍ତୁ ତାହା ହୋଇ ନଥିଲା। ଅନ୍ତତଃ ପକ୍ଷେ ତାଙ୍କ ଶରୀରକୁ ଅନ୍ୟ ଡାକ୍ତରୀ ଛାତ୍ରମାନେ ଅଧ୍ୟୟନ ପାଇଁ ବ୍ୟବହାର କରିପାରିବେ। ତେଣୁ ଆମେ ତାଙ୍କ ଶରୀରକୁ ଡାକ୍ତରୀ ଅନୁସନ୍ଧାନ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛୁ।

Related posts