
ଭୁବନେଶ୍ୱର: ଶ୍ରମିକ ସଂଗଠନମାନଙ୍କ ଜାତୀୟ କନ୍ଭେନସନ ମାର୍ଚ୍ଚ ୨୮, ୨୯ ଦୁଇଦିନ ପାଇଁ ସର୍ବଭାରତୀୟ ଧର୍ମଘଟ ଡ଼ାକରା ଦେଇଛି। ଏହି ଧର୍ମଘଟକୁ ସିପିଆଇ (ଏମ୍.ଏଲ୍) ଲିବରେସନ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି। ଏନେଇ ଦଳ ପକ୍ଷରୁ ଏକ ପ୍ରେସ ମିଟରେ ସୂଚନା ଦିଆଯାଇଛି।
ଦଳ ପକ୍ଷରୁ କୁହାଯାଇଛି ଯେ, ମୋଦି ସରକାର ଦ୍ୱିତୀୟ ପାଳି କ୍ଷମତାକୁ ଆସିବା ପରେ କର୍ପୋରେଟ୍ ସପକ୍ଷରେ ଜନଗଣଙ୍କର ସର୍ବନାଶ କରିଚାଲିଛି। ଶ୍ରମକୋଡ଼ ବଦଳାଇବା, କୃଷକଙ୍କ ବିରୁଦ୍ଧରେ ଆଇନ ଆଣିବା, ସମସ୍ତ ରାଷ୍ଟ୍ରାୟତ ସଂସ୍ଥାକୁ ବ୍ୟକ୍ତିଗତ ମାଲିକାନାକୁ ଟେକିଦେବା ଆଦି କାର୍ଯ୍ୟ କରିଚାଲିଛି। ରେଳ ଷ୍ଟେସନ, ରେଳଗାଡ଼ି, ବ୍ୟାଙ୍କ, ବୀମା, ଜାତୀୟ ରାଜପଥ, ବନ୍ଦର, ବିମାନ ବନ୍ଦର, ଷ୍ଟାଡ଼ିୟମ, ଖଣି, ଡ଼ାକ, ଟେଲି କମୁନିକେଶସନ, ଇସ୍ପାତ କାରଖାନା କେହି ଏଥିରୁ ବାଦ୍ ପଡୁନାହାଁନ୍ତି। ପେଟ୍ରୋଲ, ଡ଼ିଜେଲ ଦର, ଅତ୍ୟାବଶ୍ୟୀକ ସାମଗ୍ରୀର ଦରଦାମ ଓ ବେକାରୀ ବଢି ବଢି ଚାଲିଛି।
ଜାତି ଧର୍ମ ଆଧାରରେ ଦେଶକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ ଚାଲିଛି। ମୋଦି ସରକାର ସମସ୍ତ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଉଲଂଘନ କରି ଦେଶରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା ଦିଗରେ ଆଗେଇ ଚାଲିଛି। ତେଣୁ କେନ୍ଦ୍ର ସରକାରଙ୍କ ଏହି ଜନବିରୋଧୀ ଓ ଦେଶ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଦିଆଯାଇଥିବା ୨୮ ଓ ୨୯ ସର୍ବଭାରତୀୟ ଧର୍ମଘଟକୁ ଆମ ପାର୍ଟି ସମର୍ଥନ ଘୋଷଣା କରୁଛି।